ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ ଫଟୋ
  • ଫେବ୍ରୁଆରି ୧୬ରୁ ୧୮ ‘କୃଷି ଓଡ଼ିଶା ୨୦୨୩’
  • ଏ ବର୍ଷର ଥିମ୍‌ – ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’
  • ଭାଗନେବେ ୩୦ ଜିଲ୍ଲାର ଚାଷୀ ଭାଇ ଭଉଣୀ, କୃଷି ଉଦ୍ୟୋଗୀ ଏବଂ ଏସଏଚଜି ମହିଳା

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଗୁରୁବାରଠାରୁ ଆରମ୍ଭ ହେବ ‘କୃଷି ଓଡ଼ିଶା ୨୦୨୩’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ। ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବିଶାଳ ପ୍ରଦର୍ଶନୀ ଫେବ୍ରୁଆରି ୧୮ ତାରିଖ ଯାଏଁ ଚାଲିବ।

ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍‌ ରହିଛି ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’। ଏଥିରେ ୩୦ଟି ଜିଲ୍ଲାର ଚାଷୀ ଭାଇ ଭଉଣୀଙ୍କ ସହିତ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେବେ।

ଫାଇଲ ଫଟୋ

ଚାଷୀ ଭାଇ ଭଉଣୀମାନଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଗା କୃଷି ପ୍ରଦର୍ଶନୀ ଆୟୋଜନ କରାଯାଉଛି।

ଏବର୍ଷ କୃଷି ଓଡ଼ିଶାରେ ମୋଟ ୨୧୨ଟି ମଣ୍ଡପ ପ୍ରଦର୍ଶିତ ହେବ। ଏହି ମଣ୍ଡପଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଳ ବିଭାଜିକା ମିଶନ ଏବଂ ଅନ୍ୟାନ୍ୟ ବୈଷୟିକ ସଂସ୍ଥାମାନେ ଅଂଶଗ୍ରହଣ କରିବେ। ଏଥିସହିତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମିଲେଟ୍ସ ମିଶନ ଆଦି ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।

ଗୋଟିଏ ଛାତ ତଳେ ଚାଷୀ ଭାଇ-ଭଉଣୀମାନେ କୃଷି ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ୠଣ, କୃଷି ସାମଗ୍ରୀ ବିତରଣ ସହ କୃଷି ଉଦ୍ୟୋଗ ସ୍ଥାପନ ଭଳି ସମସ୍ତ ସୂଚନା ପାଇ ପାରିବେ।

ଫାଇଲ ଫଟୋ

ତିନି ଦିନ ବ୍ୟାପି ହେବାକୁ ଥିବା ‘କୃଷି ଓଡ଼ିଶା’ର ମୁଖ୍ୟ ଆକର୍ଷଣ ରହିଛି – କୃଷି ଯନ୍ତ୍ରପାତି ପ୍ରଦର୍ଶନୀ, କୃଷକ ଶିକ୍ଷା ଶିବିର, ବିଟୁବି ଓ ବିଟୁଜି ବୈଠକ, ଅଂଶୀଦାରମାନଙ୍କ ସହ ଆଲୋଚନା, କୃଷି ଭିତ୍ତିକ ପୁସ୍ତିକା ଉନ୍ମୋଚନ, ସେଲଫି ପଏଣ୍ଟ ଏବଂ ଫୁଡ କୋର୍ଟ।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ସଫଳ ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷକ ଉତ୍ପାଦକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ।

#KrushiOdisha2023 #KrushiOdisha #EmergingTechnologiesInAgriculture #MilletsOdisha

Comment