ଓଡ଼ିଶାଲାଇଭ୍ ବ୍ୟୁରୋ

  • କୃଷି ଓଡ଼ିଶା ୨୦୨୩ର ଦ୍ଵିତୀୟ ଦିନରେ କୃଷକ ଶିକ୍ଷା ଶିବିର
  • ୫୦୦୦ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସ୍କିମକୁ ମଞ୍ଜୁରି

ଚାଷୀମାନଙ୍କ ଆୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। କୁକୁଡ଼ା, ଗୋପାଳନ, ଅଣ୍ଡା ଉତ୍ପାଦନ, ଛେଳି ଓ ମେଣ୍ଢା ପାଳନ, ଦୁଗ୍ଧ ପ୍ରକ୍ରିୟାକରଣ, ଗୋଖାଦ୍ୟ ଉତ୍ପାଦନ, ମତ୍ସ୍ୟଚାଷୀ ନିମନ୍ତେ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଶୁକ୍ରବାର ‘କୃଷି ଓଡ଼ିଶା ୨୦୨୩’ର ଦ୍ଵିତୀୟ ଦିନରେ ଆୟୋଜିତ କୃଷକ ଶିକ୍ଷା ଶିବିରରେ ଯୋଗଦେଇ କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଆୟୋଜିତ ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା ୨୦୨୩’କୁ ଗୁରୁବାର ଦିନ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦି ଦ୍ଵିତୀୟ ଦିନରେ ଆୟୋଜିତ ହୋଇଥିଲା କୃଷକ ଶିକ୍ଷା ଶିବିର। ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜରିଆରେ କୃଷି ସମ୍ବନ୍ଧୀୟ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ପ୍ରକଳ୍ପ ନିମନ୍ତେ ପୁଞ୍ଜି ନିବେଶ ସୁଯୋଗ’ ବିଷୟରେ ଏହି ଶିବିରରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଅସିସ ତ୍ରିପାଠୀ କହିଥିଲେ, “ରାଜ୍ୟ ଅର୍ଥନୀତିରେ କୃଷି କ୍ଷେତ୍ରର ଯୋଗଦାନ ପ୍ରାୟ ୨୨ ପ୍ରତିଶତ ରହିଛି। ଚାଷ ଏବଂ ଚାଷ ଭିତ୍ତିକ କାର୍ଯ୍ୟରେ ଗ୍ରାମାଞ୍ଚଳର ଅଧିକାଂଶ ପରିବାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମ୍ପୃକ୍ତ ରହିଛନ୍ତି। କିନ୍ତୁ ସେହି ଅନୁସାରେ ସେମାନଙ୍କୁ ଫାଇଦା ମିଳିପାରୁ ନାହିଁ। ଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ ଚାଷୀଙ୍କ ଆୟ ବଢ଼ାଇବାକୁ ଏବେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।”

ବର୍ତ୍ତମାନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଚାଷ କରିବାକୁ ପଡ଼ିବ। ଯାହା ଦ୍ଵାରା ଲୋକଙ୍କ ଆବଶ୍ୟକତା ପୂରଣ ହେବା ସହ ଚାଷୀଙ୍କ ରୋଜଗାର ବୃଦ୍ଧି ହୋଇପାରି ବୋଲି ସେ କହିଥିଲେ।

“ବର୍ତ୍ତମାନ ଓଡ଼ିଶା ସହ ଭାରତର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଖାଦ୍ୟ ସହ ଅନ୍ୟାନ୍ୟ ଅବଶ୍ୟକତା ମଧ୍ୟ ବଢ଼ିଛି। ଆସନ୍ତା ୩୦ ବର୍ଷ ବେଳକୁ ଲୋକଙ୍କ ଖାଦ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ଆଉ ୧୬୦ ମିଲିୟନ ହେକ୍ଟର ଜମିରେ ଚାଷ କରିବାର ଆବଶ୍ୟକତା ପଡ଼ିବ। ସେଥିପାଇଁ ଚାଷୀଙ୍କୁ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ। ଜମିର ଅଭାବ ରହିଥିଲେ ମଧ୍ୟ ସେହି ଜମିରେ ନୂଆ ଟେକ୍ନୋଲୋଜିର ଉପଯୋଗ କରି ଅଧିକ ଅମଳ କରିବାର କୌଶଳ ଶିଖିବାକୁ ହେବ”, କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ।

ବର୍ତ୍ତମାନ ଅନେକ କୃଷି ଉଦ୍ୟୋଗୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭ ନେଉଛନ୍ତି। ଖାସ କରି ଯୁବ କୃଷି ଉଦ୍ୟୋଗୀ ଏଥିପ୍ରତି ଆଗ୍ରହ ଦେଖାଉଥିବା ସେ କହିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀଙ୍କୁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା ଅସିତ ତ୍ରିପାଠୀ କହିଛନ୍ତି।

ଦୀର୍ଘ ଦିନ ହେଲା ପଡ଼ି ରହିଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସବସିଡି ତୁରନ୍ତ ପ୍ରଦାନ କରିବାକୁ କୃଷି ନିର୍ଦ୍ଦେଶକ ଆଶ୍ୱାସନା ଦେଇଥିବା ଏହି ଅବସରରେ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପଡ଼ି ରହିଥିବା ସବସିଡି ଦିଆଯିବ ବୋଲି ସେ କହିଥିଲେ।

କୃଷି ବିଭାଗର ସୂଚନା ଅନୁସାରେ ପ୍ରାୟ ୫୦୦୦ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସ୍କିମକୁ ମଞ୍ଜୁରି ମିଳିଥିବାବେଳେ ଅଢ଼େଇ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ଅନୁମୋଦନ ହୋଇଥିବା ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ। ଅଧିକରୁ ଅଧିକ କୃଷି ଉଦ୍ୟୋଗୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସୁଯୋଗ ନେବାକୁ ଆହ୍ଵାନ କରିଥିଲେ ଅସିତ ତ୍ରିପାଠୀ।

Tags: #KrushiOdisha #KrushiOdisha2023 #EmergingTechnologiesInAgriculture #MilletsOdisha #WODCChairmanAstiTripathy #KrushakaSikshaSibira

LEAVE A REPLY

Please enter your comment!
Please enter your name here