ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି କ୍ଷେତ୍ରରେ ଏବେ ଅନେକ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ହେଉଛି। ଏହା କୃଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବାରେ ସହାୟ ହେଉଛି। ଆଗରୁ ଲୋକେ କେବଳ ଟ୍ରାକ୍ଟର ଓ ପାୱର ଟିଲର ଭଳି ଯନ୍ତ୍ର ବ୍ୟବହାର କରୁଥିବା ବେଳେ ଏବେ ନୂତନ ଟେକ୍ନୋଲୋଜି ଏହାର ସ୍ଥାନ ନେବା ଆରମ୍ଭ କଲାଣି। ଏହି ପରିପ୍ରେକ୍ଷୀରେ ଏବେ ଚାଷ କାର୍ଯ୍ୟ ପାଇଁ ବ୍ୟବହାର ହେଉଛି କୃଷିଭିତ୍ତିକ ଡ୍ରୋନ।

କୃଷିରେ ଡ୍ରୋନର ବ୍ୟବହାର

କୃଷି କ୍ଷେତ୍ରରେ ଡ୍ରୋନ ମୁଖ୍ୟତଃ ସାର କିମ୍ବା କୀଟନାଶକର ପ୍ରୟୋଗ ତଥା ସିଞ୍ଚନ ପାଇଁ ବ୍ୟବହାର କରାଯାଏ। ଡ୍ରୋନରେ ଥିବା ପାତ୍ରରେ ବିଭିନ୍ନ ଔଷଧକୁ ରଖି ଫସଲ ଉପରେ ପକାଯାଏ। ଏହାର ବ୍ୟବହାର ଫଳରେ ଔଷଧ ତଥା ସାରର ପ୍ରୟୋଗ ସଠିକ ମାତ୍ରାରେ ହୋଇଥାଏ।

ଡ୍ରୋନର ବ୍ୟବହାର ଫଳରେ କୃଷକମାନେ ମଧ୍ୟ କୀଟନାଶକ ଔଷଧର ସିଧାସଳଖ ସଂସ୍ପର୍ଶରେ ଆସିନଥାନ୍ତି। ସେମାନେ ଏହା ଦ୍ଵାରା ହେଉ ଥିବା ବିଭିନ୍ନ ରୋଗରୁ ରକ୍ଷା ପାଇଥାନ୍ତି।

କୃଷି ଓଡ଼ିଶା ୨୦୨୩ରେ ଡ୍ରୋନ କମ୍ପାନି ‘ଆଓଟେକ ଏଭିଗେସନ’ ପକ୍ଷରୁ ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ‘ଏଗ୍ରୀବୋଟ ଡ୍ରୋନ’ର ପ୍ରଦର୍ଶନ କରଯାଇଥିଲା। ଅନେକ ଚାଷୀ ଓ ଉଦ୍ୟୋଗୀ ଏହି ଡ୍ରୋନକୁ ଦେଖିବା ପାଇଁ ଷ୍ଟଲ ନିକଟକୁ ଆସୁଥିଲେ। ଏହି ‘ଏଗ୍ରୀବୋଟ ଡ୍ରୋନ’ ବିଷୟରେ ଅଧିକ ଜାଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଥିଲେ।

“କୃଷିରେ ଯନ୍ତ୍ରପାତିର ବ୍ୟବହାର ନୂଆ କଥା ନୁହେଁ। ଏବେ ନୂତନ ଟେକ୍ନୋଲୋଜି ଏହି ଯନ୍ତ୍ରପାତିର ସ୍ଥାନ ନେଉଛି। ଏବେ ଚାଷ କ୍ଷେତ୍ରରେ ଡ୍ରୋନର ବ୍ୟବହାର ଆଣିଛି ଅନେକ ସଫଳତା”, କହିଛନ୍ତି ଆଓଟେକ ଏଭିଗେସନର ମୁଖ୍ୟ ଇଂଜିନିୟର ହର୍ଷ ଶ୍ରୀବାସ୍ତବ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମ କମ୍ପାନିର ‘ଏଗ୍ରୀବୋଟ ଡ୍ରୋନ’ ହେଉଛି ଭାରତ ସରକାରଙ୍କ ‘ଡିଜିସିଏ’ଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ପ୍ରଥମ କୃଷିଭିତ୍ତିକ ଡ୍ରୋନ। କୃଷି କ୍ଷେତ୍ରରେ ଏହାର ବ୍ୟବହାର ଦ୍ଵାରା ଚାଷୀମାନେ ଅନେକ ଲାଭବାନ ହେଉଛନ୍ତି। ଏହାକୁ ବଜାରରେ ଆଣିବା ପୂର୍ବରୁ ଆମେ ଏଥିରେ ଅନେକ ପରୀକ୍ଷଣ କରିଛୁ। ଏବେ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଥିବାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ୪୦ ପ୍ରତିଶତ ରିହାତି ମିଳୁଛି ଏହା ଭାରତର କୃଷି କ୍ଷେତ୍ରକୁ ଏକ ନୂଆ ରୂପ ଦେବ।”

ଆଓଟେକ ଏଭିଗେସନ ହରିୟଣାର ଗୁରୁଗ୍ରାମରେ ଥିବା ନିଜର କାରଖାନାରେ ଏଗ୍ରୀବୋଟ ଡ୍ରୋନ ତିଆରି କରି ଚାଷୀମାନଙ୍କ ପାଖରେ ଉପଲବ୍ଧ କରାଇଥାଏ। ଓଡ଼ିଶାରେ ଏବେ ଏହାର ବ୍ୟବହାର କମ ମାତ୍ରାରେ ହେଉଥିବା ବେଳେ ଆଗକୁ ଏହାକୁ ଅଧିକ ଚାଷୀ ବ୍ୟବହାର କରିବେ।

ଭୁବନେଶ୍ଵରରେ ଆୟୋଜିତ ହୋଇଯାଇଛି ମେଗା କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ୨୦୨୩। ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ୩ ଦିନ ଧରି ଚାଲିଥିଲା କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ଜ୍ଞାନ କୌଶଳର ସମାରୋହ। ଅନେକ କୃଷି ଉଦ୍ୟୋଗୀ ଏଠାରେ ବିଭିନ୍ନ କୃଷିଭିତ୍ତିକ ଯନ୍ତ୍ରପାତି ପ୍ରଦର୍ଶନ କରିଥିଲେ।

Tags: #KrushiOdisha2023 #AgribotDrone #DroneTechnology #FarmMachinery #Agriexhibition #Odisha

Comment