ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱରରେ ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା’ ଉଦଘାଟିତ
  • ଫେବ୍ରୁଆରି ୧୮ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ
  • କୃଷି ଓଡ଼ିଶାର ଥିମ୍‌ – ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’
  • କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ: ମୁଖ୍ୟମନ୍ତ୍ରୀ

‘‘ଟେକ୍ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍ନୋଲୋଜିର ବହୁତ ଆବଶ୍ୟକତା ରହିଛି। ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣି ଏହାର ସଠିକ ବ୍ୟବହାର କରିପାରିଲେ କୃଷି କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇପାରିବ’’, କୃଷି ଓଡ଼ିଶା-୨୦୨୩ରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଖେଳପଡ଼ିଆଠାରେ ଗୁରୁବାରଠୁ ଆରମ୍ଭ ହୋଇଛି ବାର୍ଷିକ କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୩’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ବିଶାଳ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଫେବ୍ରୁଆରି ୧୮ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ।

‘‘କୃଷି ଓ କୃଷକମାନଙ୍କ ଉନ୍ନତି ମୋ’ ସରକାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଓଡ଼ିଶା ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛି। କାଳିଆ ଯୋଜନା ଦ୍ୱାରା ଚାଷୀମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି। କୃଷି ଯନ୍ତ୍ରପାତି ଉପରେ ଗୁରୁତ୍ୱ ଦିଆଯାଇ ଫସଲ ଉତ୍ପାଦନ ବଢାଇବା ପାଇଁ ଉଦ୍ୟମ ଜାରି ରହିଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପଣସ ମିଶନ, ଛତୁ ମିଶନ ଆଦି ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୋଷଣ ସୁନିଶ୍ଚିତ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ମିଲେଟ୍ସ ମିଶନ ଆଜି ସାରା ଦେଶ ଓ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ମିଲେଟ୍ସ ମିଶନ ରାଜ୍ୟରେ ମିଶନ ଶକ୍ତି ମା’ ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି।’’

ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍‌ ରହିଛି ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’। ଏଥିରେ ୩୦ଟି ଜିଲ୍ଲାର ଚାଷୀ ଭାଇ ଭଉଣୀଙ୍କ ସହିତ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେବେ।

‘କୃଷି ଓଡ଼ିଶା-୨୦୨୩’ ଉଦଘାଟନୀ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି ଆନୁସଙ୍ଗୀକ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି। ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ମିଲେଟ୍ସ, ଡାଲି ଜାତୀୟ ଏବଂ ତୈଳବୀଜ ଫସଲ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।’’

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଥିଲେ, ‘‘ରାଜ୍ୟ ସରକାରଙ୍କ ଚାଷୀ ଅନୁକୂଳ ନୀତି ଯୋଗୁଁ କୃଷି କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି। କାଳିଆ, ବଳରାମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କ୍ଷେତ ପୋଖରୀ, ଫସଲ ବିବିଧକରଣ ଆଦି କାର୍ଯ୍ୟକ୍ରମ ଚାଷୀମାନଙ୍କ ବିକାଶରେ ବିଶେଷ ସହାୟକ ହୋଇପାରିଛି। ଉଦ୍ୟାନ କୃଷି କ୍ଷେତ୍ରରେ ଓଡ଼ିଶା ଉଲ୍ଲଖନୀୟ ସଫଳତା ହାସଲ କରିଛି। ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ପ୍ରକଳ୍ପ ମାଧ୍ୟମରେ ପରିବେଶ ଅନୁକୂଳ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି।’’

ଚାଷୀ ଭାଇ ଭଉଣୀମାନଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଗା କୃଷି ପ୍ରଦର୍ଶନୀ ଆୟୋଜନ କରାଯାଇଛି।

ଏବର୍ଷ କୃଷି ଓଡ଼ିଶାରେ ମୋଟ ୨୧୨ଟି ମଣ୍ଡପ କରାଯାଇଛି। ଏହି ମଣ୍ଡପଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଳ ବିଭାଜିକା ମିଶନ ଏବଂ ଅନ୍ୟାନ୍ୟ ବୈଷୟିକ ସଂସ୍ଥାମାନେ ଅଂଶଗ୍ରହଣ କରିଛନ୍ତି।

ଏଥିସହିତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମିଲେଟ୍ସ ମିଶନ ଆଦି ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି।

ଗୋଟିଏ ଛାତ ତଳେ ଚାଷୀ ଭାଇ-ଭଉଣୀମାନେ କୃଷି ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ୠଣ, କୃଷି ସାମଗ୍ରୀ ବିତରଣ ସହ କୃଷି ଉଦ୍ୟୋଗ ସ୍ଥାପନ ଭଳି ସମସ୍ତ ସୂଚନା ପାଇ ପାରିବେ।

‘କୃଷି ଓଡ଼ିଶା’ର ଉଦଘାଟନୀ କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ସୁରେଶ ବଶିଷ୍ଠ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ପ୍ରେମଚନ୍ଦ ଚଉଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନର ଅଫିସର ଇନ ଚାର୍ଜ ଡକ୍ଟର କୋଣ୍ଡା ରେଡ୍ଡୀ, ଇଣ୍ଟରନାସନାଲ୍ ଫଣ୍ଡ ଫର ଏଗ୍ରିକଲଚର ଡେଭେଲପମେଣ୍ଟର କଣ୍ଟ୍ରି ଡାଇରେକ୍ଟର ଡକ୍ଟର ଉଲାକ ଡେମିରାଗ୍ ,ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ଡକ୍ଟର ଏଲିଜାବେଥ ଫ୍ୟୁର, ନୀତି ଆୟୋଗର ପ୍ରତିନିଧି ଡକ୍ଟର ସାଲୋନି ଭୁତାନି, ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚର ଡାଇରେକ୍ଟର ଡକ୍ଟର ସି ଭି ରତ୍ନାବତୀ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀ ଭାଇ ଭଉଣୀ, କୃଷି ଉଦ୍ୟୋଗୀ ଏବଂ ମିଶନ ଶକ୍ତିର ମା’ମାନେ ଯୋଗ ଦେଇଥିଲେ।

ତିନି ଦିନ ବ୍ୟାପି ହେବାକୁ ଥିବା ‘କୃଷି ଓଡ଼ିଶା’ର ମୁଖ୍ୟ ଆକର୍ଷଣ ରହିଛି – କୃଷି ଯନ୍ତ୍ରପାତି ପ୍ରଦର୍ଶନୀ, କୃଷକ ଶିକ୍ଷା ଶିବିର, ବିଟୁବି ଓ ବିଟୁଜି ବୈଠକ, ଅଂଶୀଦାରମାନଙ୍କ ସହ ଆଲୋଚନା, କୃଷି ଭିତ୍ତିକ ପୁସ୍ତିକା ଉନ୍ମୋଚନ, ସେଲଫି ପଏଣ୍ଟ ଏବଂ ଫୁଡ କୋର୍ଟ।

#KrushiOdisha #KrushiOdisha2023 #EmergingTechnologiesInAgriculture #MilletsOdisha #NaveenPatnaik

Comment