ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରଠାରେ ତିନି ଦିନ ଧରି ଚାଲିଥିବା ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୩’ ଉଦଯାପିତ।

‘‘ଭାରତୀୟ ସଭ୍ୟତା ସହିତ କୃଷି କ୍ଷେତ୍ର ଯୋଡ଼ି ହୋଇ ରହିଛି। ମଣିଷ ଯେବେଠୁ କୃଷି କାର୍ଯ୍ୟ ଆରମ୍ଭ କଲା ସେବେଠୁ ବିକାଶର ଜୟଯାତ୍ରା ଆରମ୍ଭ ହେଲା। କୃଷକ ଭାଇ ଭଉଣୀମାନେ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନେ ସଶକ୍ତ ହେଲେ ରାଜ୍ୟ ଏବଂ ଦେଶ ଆଗକୁ ଯାଇ ପାରିବ’’, କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଖେଳପଡ଼ିଆଠାରେ ଚାଲିଥିବା ‘କୃଷି ଓଡ଼ିଶା-୨୦୨୩’ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଆହୁରି କହିଥିଲେ ଯେ, ‘‘ଆମ ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରାଣକେନ୍ଦ୍ର ହେଉଛି କୃଷି। କୃଷକର କୌଣସି ବିକଳ୍ପ ନାହିଁ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଚାଷ କାର୍ଯ୍ୟ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ମୁକାବିଲା ପାଇଁ ସମସ୍ତେ ଏକାଠି ହେବା ଦରକାର। ପରିବର୍ତ୍ତିତ ଜଳବାୟୁରେ କିପରି ଚାଷ କାର୍ଯ୍ୟ ଆଗକୁ ଯାଇପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ନେବା ଜରୁରୀ।

ଫେବ୍ରୁଆରି ୧୬ ତାରିଖରୁ ‘କୃଷି ଓଡ଼ିଶା-୨୦୨୩’ ଆରମ୍ଭ ହୋଇଥିଲା। ଏହା ତିନି ଦିନ ଧରି ଚାଲିଥିଲା। ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍‌ ରହିଥିଲା ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’। ଏଥିରେ ୩୦ଟି ଜିଲ୍ଲାର ଚାଷୀ ଭାଇ ଭଉଣୀଙ୍କ ସହିତ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ଚାଷୀ ଭାଇ ଭଉଣୀମାନେ ହେଉଛନ୍ତି ଆମ ଅନ୍ନଦାତା। ଦିନ ରାତି ସେମାନେ କଠିନ ପରିଶ୍ରମ କରି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଫଳରେ ଓଡ଼ିଶା ଆଜି କୃଷି ଉତ୍ପାଦନରେ ବିଶେଷ ଅଗ୍ରଗତି କରୁଛି। ତେଣୁ ଏହି କ୍ଷେତ୍ରକୁ ଆହୁରି ଆଗକୁ ନେବା ହେଲେ ଚାଷୀମାନେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଆବଶ୍ୟକ। ଏ ଦିଗରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ।’’

‘‘ଚାଷୀ ଭାଇ ଭଉଣୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଏବଂ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଜଣାଇବା ଲାଗି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ବିଶେଷ ପଦକ୍ଷେପ ନିଆଯାଇଥିଲା। କୃଷକ ଶିକ୍ଷା ଶିବିର ଆୟୋଜନ କରାଯାଇ ଚାଷୀ ଏବଂ କୃଷି ବିଜ୍ଞାନୀମାନଙ୍କୁ ଏକାଠି କରାଯାଇଥିଲା। ଚାଷରେ କାହିଁକି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ ସେ ବିଷୟରେ କୃଷି ବିଜ୍ଞାନୀମାନେ ଚାଷୀମାନଙ୍କୁ ସୂଚନା ଦେଇଥିଲେ। ଚାଷୀମାନେ ମଧ୍ୟ ବିଭିନ୍ନ ବିଷୟରେ କୃଷି ବିଜ୍ଞାନୀମାନଙ୍କଠାରୁ ସିଧାସଳଖ ପଚାରି ବୁଝିଥିଲେ’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ।

‘କୃଷି ଓଡ଼ିଶା’ର ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ କେତେକ ଚାଷୀମାନଙ୍କ ସହ କଥା ହୋଇଥିଲେ। ଚାଷୀମାନେ ରାଜ୍ୟପାଳଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

ଏବର୍ଷ କୃଷି ଓଡ଼ିଶାରେ ମୋଟ ୨୧୨ଟି ମଣ୍ଡପ କରାଯାଇଥିଲା। ଏହି ମଣ୍ଡପଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଳ ବିଭାଜିକା ମିଶନ ଏବଂ ଅନ୍ୟାନ୍ୟ ବୈଷୟିକ ସଂସ୍ଥାମାନେ ଅଂଶଗ୍ରହଣ କରିଥିଲେ। ଏଥିସହିତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏହି ପ୍ରଦର୍ଶନୀରେ ଭାଗ ନେଇଥିଲେ।

୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ପାଳନ କରାଯାଉଛି। ଚଳିତ କୃଷି ଓଡ଼ିଶାରେ ମିଲେଟ୍ସରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ପ୍ରଦର୍ଶନୀରେ ଭାଗ ନେଇଥିଲେ।

‘କୃଷି ଓଡ଼ିଶା’ର ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ସୁରେଶ ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ପ୍ରେମଚନ୍ଦ ଚଉଧାରୀ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ଫିକି ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି ଆର୍‌ କେଶବନ୍‌ ପ୍ରମୁଖ ଯୋଗ ଦେଇଥିଲେ।

#KrushiOdisha #KrushiOdisha2023 #EmergingTechnologiesInAgriculture #MilletsOdisha

Comment