ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘କୃଷି ଓଡ଼ିଶା-୨୦୨୧’ ଉଦ୍‌ଯାପିତ
  • ଉଦ୍‌ଯାପନି ଉତ୍ସବରେ ଯୋଗଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌
  • ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆରେ ୫ ଦିନ ଧରି ଚାଲୁଥିଲା କୃଷି ମହାକୁମ୍ଭ
  • କୃଷି ଓଡ଼ିଶା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଚଳିତ ବର୍ଷର ଥିମ୍ ‘ସମନ୍ୱିତ ଚାଷ – ଚାଷୀଙ୍କ ବିକାଶ’
  • ଏଥର କୃଷି ଓଡ଼ିଶାର ମାସ୍କଟ ଥିଲା ‘ପାଳଛତୁ’
  • ୧୬୦ଟି ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା କୃଷି ସାମଗ୍ରୀ

“ଚାଷୀମାନେ ଉତ୍ପାଦନ କରୁଥିବା ପ୍ରତ୍ୟେକ ଉତ୍ପାଦକୁ ଜାତୀୟ ଉତ୍ପାଦନ ଭାବରେ ବିବେଚନା କରାଯିବା ଉଚିତ୍। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ କାଳିଆ ଯୋଜନା, ବଳରାମ ଯୋଜନା ଓ ସ୍ୱୟଂ ସହାୟକ ଗୋଷ୍ଠି ହେଉଛି ବାସ୍ତବରେ ଭଗବାନ ଶ୍ରୀକୃଷ୍ଣ, ବଳରାମ ଓ ଦେବୀ ଶୁଭଦ୍ରା। ଚାଷୀର ଶ୍ରମ ହେଉଛି ପୁଞ୍ଜୀ, ଚାଷୀ ହେଉଛି ଉଦ୍ୟୋଗପତି। କାରଣ ଏମାନେ ଛୋଟ ଛୋଟ ଜିନିଷରୁ ବଡ଼ ବଡ଼ ସାମଗ୍ରୀ ପ୍ରସ୍ତୁତ କରିବାରେ କ୍ଷମତା ରଖୁଛନ୍ତି। ଚାଷ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇ ପାରୁଛନ୍ତି” କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍।

ଫିକି ଆନୁକୂଲ୍ୟରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆରେ ଚାଲିଥିବା ପାଞ୍ଚ ଦିନିଆ ‘କୃଷି ଓଡ଼ିଶା-୨୦୨୧’ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଶୁକ୍ରବାର କୃଷି ଓଡ଼ିଶା ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସ୍ୱୟଂ ସହାୟକ ଗୋଷ୍ଠି। ରାଜ୍ୟପାଳଙ୍କ ଉପସ୍ଥିତିରେ ୩୦ ଜିଲ୍ଲାର ୩୦ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି କ୍ଷେତ୍ରଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ୍ ଆଦାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାରଙ୍ଗମତା ଦେଖାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ। ତେଣୁ ଏହି ମହିଳାମାନଙ୍କର ପରିଶ୍ରମ, ଦାୟିତ୍ୱ ଓ ସଫଳତା ପାଇଁ ସେମାନଙ୍କୁ ବେଶ ପ୍ରଶଂସା କରାଯାଇଥିଲା।

“ଭୋକରୁ ଭୂଗୋଳ ନୁହେଁ, ବିକାଶର ଭୂଖଣ୍ଡ ହେଉଛି କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାରୁ ଅଧିକ ପରିମାଣରେ ଧାନ ଉତ୍ପାଦନ ହେବା ସହ ମତ୍ସ୍ୟ ଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଆଗରେ ରହିଛି। ଜନସଂଖ୍ୟା ବଢ଼ିବା ସତ୍ତ୍ୱେ ଖାଦ୍ୟାଭାବ ଦୂର ହୋଇଛି। କୃଷକମାନଙ୍କର ତ୍ୟାଗ ପାଇଁ ଏସବୁ ସମ୍ଭବ ହୋଇପାରିଛି। କରୋନା ମହାମାରୀ ସମୟରେ ସମସ୍ତେ ଘରେ ଥିଲାବେଳେ, ଚାଷୀ କାହାକୁ ଖାତିର ନକରି କ୍ଷେତରେ କାମ କରୁଥିଲା। ଚାଷୀମାନଙ୍କର ସୁବିଧା ପାଇଁ ବିଧାନସଭାରେ ଏକ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନା ହେଉଛି” କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସେ ଆଉ ମଧ୍ୟ କହିଥିଲେ, ପ୍ରାକୃତି ବିପର୍ଯ୍ୟୟକୁ ସାମ୍ନାକରି କୃଷକ ସବୁବେଳେ ଆଗକୁ ବଢ଼ି ଚାଲିଛି। କୃଷି କ୍ଷେତ୍ରର ସବୁ ବିଭାଗରେ ଓଡ଼ିଶାକୁ ଭାରତରେ ଏକ ନମ୍ବର ସ୍ଥାନରେ ପହଞ୍ଚାଇବାକୁ ସେ ଚାଷୀମାନଙ୍କୁ ସଂକଳ୍ପ କରାଇଥିଲେ।

ସମ୍ମାନୀୟ ଅତିଥିଭାବେ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ, ଫିକି ଓଡ଼ିଶା ରାଜ୍ୟପରିଷଦର ଅଧ୍ୟକ୍ଷା ଫିକି ମୋନିକା ନାୟର ପଟ୍ଟନାୟକ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଇମେଜର ମୁଖ୍ୟ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ପ୍ରମୁଖ।

“ଆମ କୃଷି ଆପ୍ ଦ୍ୱାରା କୃଷକମାନଙ୍କୁ ସିଧାସଳଖ ଯୋଗାଯୋଗ କରାଯାଉଛି। ସରକାରଙ୍କ ତରଫରୁ ଓଡ଼ିଶାର ସମସ୍ତ ଚାଷୀଙ୍କୁ ସଠିକ୍ ସମୟରେ ସୁବିଧା ଦିଆଯାଉଛି” କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

‘ସମନ୍ୱିତ ଚାଷ- ଚାଷୀର ବିକାଶ’ଥିମକୁ ନେଇ ମାର୍ଚ୍ଚ ୧୫ରୁ ଏହି କୃଷି ମହୋତ୍ସବ ଚାଲିଥିଲା। ଚାଷରୁ ଅଧିକ ଆୟ କରିବାକୁ ହେଲେ ଚାଷୀମାନଙ୍କୁ ସମନ୍ଵିତ କୃଷିକୁ ଆପଣାଇବାକୁ ପଡ଼ିବ। ଏହାଦ୍ଵାରା ଅଳ୍ପ ଜାଗାରୁ ଅଧିକ ଉତ୍ପାଦନ ଏବଂ ଅଧିକ ଲାଭ ପାଇପାରିବେ ଚାଷୀ।

ଫିକି ସବୁବେଳେ ଚାଷୀଙ୍କୁ ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ ସହଯୋଗ କରିବ ବୋଲି କହିଥିଲେ ଫିକି ଓଡ଼ିଶା ରାଜ୍ୟପରିଷଦର ଅଧ୍ୟକ୍ଷା ଫିକି ମୋନିକା ନାୟର ପଟ୍ଟନାୟକ।

“ଓଡ଼ିଶା ଏବେ ମାଛ ଚାଷରେ ଭାରତବର୍ଷରେ ପ୍ରଥମ ସ୍ଥାନ ହାସଲ କରିଛି। ଏଥିସହ ବ୍ରୟଲର, ଅଣ୍ଡା ଉତ୍ପାଦନରେ ମଧ୍ୟ ବହୁତ ଆଗେଇଛି । ବିଭିନ୍ନ ଜିଲ୍ଲାରେ ଥିବା ଚାଷୀମାନଙ୍କର ତିନୋଟି ମୁଖ୍ୟ ସମସ୍ୟା ଯଥା ଜଳସେଚନ, ବିଦ୍ୟୁତକରଣ, ରୋଡ଼ ସମସ୍ୟାକୁ ଦୂର କରିଛନ୍ତି ରାଜ୍ୟ ସରକାର। ଏବେ ଚାଷୀମାନେ ସହଜରେ ବଜାର ସହ ଯୋଡ଼ି ହୋଇ ନିଜର ସାମଗ୍ରୀ ବିକ୍ରି କରିପାରୁଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ଫଳ, ପନିପରିବା ଓଡ଼ିଶାରେ ଚାଷ କରାଯିବ” କହିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର।

ସେ ଆଉ ମଧ୍ୟ କହିଛନ୍ତି, ଆମ ରାଜ୍ୟକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭର କରିବା ହେଉଛି ମୂଳ ଲକ୍ଷ୍ୟ। ଆମ ରାଜ୍ୟରେ ସବୁକିଛି ଚାଷ କରିହେବ। ବିଭିନ୍ନ ସ୍କିମ ମାଧ୍ୟମରେ ଚାଷୀମାନେ ସୁଫଳ ପାଇବେ। ଏହାଦ୍ୱାରା ଆମ ରାଜ୍ୟର ଚାଷୀ ଅଲଗା ରାଜ୍ୟକୁ ରପ୍ତାନୀ ମଧ୍ୟ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କୃଷି ଓଡ଼ିଶା-୨୦୨୧’କୁ ଉଦ୍‌ଘାଟନ କରିଥିଲେ। ଏହି ମହୋତ୍ସବରେ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହୋଇଥିଲା। କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ମିଶନ, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ ବିଭାଗ, ଓୟୁଏଟି, ଏନଆରଆରଆଇ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା ବ୍ୟତୀତ କୃଷି ଉଦ୍ୟୋଗୀ, ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ, କୃଷି ସାମଗ୍ରୀ ବିତରକ, କୃଷି ଉତ୍ପାଦନକାରୀ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଲେଟ ମିଶନ ଆଦି ସଂସ୍ଥା ଏହି ମହୋତ୍ସବରେ ଅଂଶ ଗ୍ରହଣ କରିଥିଲେ।

ଏଥର ‘କୃଷି ଓଡ଼ିଶା’ର ମାସ୍କଟ ରହିଥିଲା ‘ପାଳଛତୁ’। ‘କୃଷି ଓଡ଼ିଶା’ ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ସେହିପରି ବ୍ୟବସାୟିକ କୃଷି ପରିଚାଳନା ପାଇଁ ଉଦ୍ୟୋଗ ସ୍ଥାପନ କରିବାରେ ରାଜ୍ୟରେ କେଉଁ କେଉଁ ସୁବିଧା ଓ ସୁଯୋଗ ରହିଛି ସେ ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା। ଏଥିନିମନ୍ତେ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ନେଇ ୧୧ଟି ସ୍ଵତନ୍ତ୍ର ପାଠଶାଳା ଆୟୋଜନ କରାଯାଇଥିଲା।

Comment