ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୟୁଜି, ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଅନଲାଇନ୍‌ରେ ହେବ। ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ମତାମତ କ୍ରମେ ୟୁଜି ଏବଂ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ଅନ୍‌ଲାଇନ୍ ବ୍ୟବସ୍ଥାର ସୁବିଧା ନଥିବ ସେ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।“ଜୁଲାଇ, ଅଗଷ୍ଟ ସୁଦ୍ଧା ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ପରୀକ୍ଷାର ତାରିଖ ଏବଂ ଅନ୍‌ଲାଇନ୍‌ରେ କେମିତି ପରୀକ୍ଷା ହେବ, ତାହା ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜ କର୍ତ୍ତୃପକ୍ଷ ସ୍ଥିର କରିବେ। ପରୀକ୍ଷା ପରେ ଅଗଷ୍ଟ ଓ ସେପ୍ଟେମ୍ବର ସୁଦ୍ଧା ଫଳ ପ୍ରକାଶ ପାଇବ। ସେହିପରି ପିଲାମାନଙ୍କର ଯଦି ପୂର୍ବ ସେମିଷ୍ଟରର କିଛି ପରୀକ୍ଷା ବାକି ଅଛି କିମ୍ବା ବ୍ୟାକ୍‌ ପେପର ରହିଛି, ତା’ହେଲେ ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଜୁଲାଇ, ଅଗଷ୍ଟ ମାସ ସୁଦ୍ଧା ସେ ପରୀକ୍ଷାଗୁଡ଼ିକୁ ଦେଇପାରିବେ”, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ।ଅନ୍ୟପକ୍ଷେ ୟୁଜି ଓ ପିଜିର ବାକି ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କିଛି ନିଷ୍ପତ୍ତି ହୋଇନାହିଁ। ପରବର୍ତ୍ତୀ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

Comment