ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି କଟକ ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‌ଫେଡ୍‌ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯିବ ଏବଂ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ। ଏହା ସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣୀ, ଘିଅ, ପନୀର ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘‘ଓମ୍‌ଫେଡ୍‌ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀମାନଙ୍କର ନିଜ ଅନୁଷ୍ଠାନ। ଏହାର ବିକାଶରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କର ଅବଦାନ ରହିଛି। ଓମ୍‌ଫେଡ୍‌ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି। ଆଜିର ଏହି ନୂଆ ପ୍ଲାଣ୍ଟ ଉଦଘାଟନ  ଦ୍ୱାରା ଚାଷୀମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ।’’

ଆମର ମୁଖ୍ୟ ଲକ୍ଷ ହେଉଛି ଚାଷୀ ଭାଇର ରୋଜଗାର ବଢାଇବା। ଏଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରୋସେସିଙ୍ଗ୍‌ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ତେଣୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହାସହିତ  ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନି ଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପନ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗୀକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Comment