ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରେ ଜାନୁଆରି ୧୨ରୁ ୧୪ ଯାଏଁ ‘କୃଷି ଓଡ଼ିଶା-୨୦୨୪’
  • ଯୋଗଦେବେ ୫୦୦୦ ମହିଳା ଚାଷୀ, ୨୦୦୦ ଏସଏଚଜି ଓ କୃଷି ଉଦ୍ୟୋଗୀ
  • ଚଳିତ ବର୍ଷ ପ୍ରଦର୍ଶନୀର ଥିମ – ‘କୃଷି ପ୍ରଗତିରେ ମହିଳା’

ଭୁବନେଶ୍ୱରରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ‘କୃଷି ଓଡ଼ିଶା-୨୦୨୪’। ସ୍ଥାନୀୟ ଜନତା ମଇଦାନ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀର ଉଦଘାଟନ କରିବେ। ଏହି ପ୍ରଦର୍ଶନୀ ଜାନୁଆରି ୧୪ ତାରିଖ ଯାଏଁ ଚାଲିବ।

ପ୍ରତିବର୍ଷ ଭଳି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଚଳିତ ବର୍ଷ କୃଷି ଓଡ଼ିଶାର ଥିମ ରହିଛି ‘କୃଷି ପ୍ରଗତିରେ ମହିଳା’। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ପ୍ରଦର୍ଶନ କରିବା ସହ ସେମାନଙ୍କ କାର୍ଯ୍ୟକ୍ଷମତାକୁ ସ୍ଵୀକୃତି ଦେବା ଲକ୍ଷ୍ୟରେ ଏହି ଥିମ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ ହଜାର ମହିଳା ଚାଷୀ, ୨ ହଜାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଯୋଗଦେବେ। ଏଠାରେ ସ୍ଵୟଂ ସହାୟକ ଗୋଷ୍ଠୀ, କୃଷି ଉଦ୍ୟୋଗ, ବ୍ୟବସାୟିକ ସଂସ୍ଥା ଓ କୃଷି ଭିତ୍ତିକ ଶିଳ୍ପ ସମୂହର ବିକାଶରେ ମହିଳା କୃଷକଙ୍କ ଭାଗିଦାରୀ ତଥା ସେମାନଙ୍କ ସର୍ବୋତ୍ତମ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯିବ।

“ଓଡ଼ିଶାର କୃଷି କାର୍ଯ୍ୟରେ ୬୦ ପ୍ରତିଶତରୁ ଅଧିକ ମହିଳା ନିୟୋଜିତ ଅଛନ୍ତି। ଆମ ରାଜ୍ୟକୁ କୃଷି  କ୍ଷେତ୍ରରେ ବିକଶିତ କରିବା ପାଇଁ ସେମାନ କଠିନ ପରିଶ୍ରମ କରୁଛନ୍ତି। ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଚଳିତ ବର୍ଷ ‘କୃଷି ଓଡ଼ିଶା’ର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଠାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ସଫଳ ମହିଳା ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ”, କହିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ତିନି ଦିନ ବ୍ୟାପି ଚାଲିବାକୁ ଥିବା ଚଳିତ ବର୍ଷର କୃଷି ଓଡ଼ିଶାରେ ୨୦୦ରୁ ଅଧିକ ଷ୍ଟଲ ରହିବ। ଏହି ସମ୍ମିଳନୀରେ ବିଭିନ୍ନ କୃଷିଭିତ୍ତିକ ସେମିନାର, କୃଷକ ଓ ବୈଜ୍ଞାନିକ ଆଲୋଚନାଚକ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନୀ, ମତ୍ସ୍ୟ ଓ ପ୍ରାଣୀ ପ୍ରଦର୍ଶନୀ, କୃଷି ଉତ୍ପାଦ ପ୍ରଦର୍ଶନୀ, କୃଷକ ଶିକ୍ଷା ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ  ଓ ଫୁଡ କୋର୍ଟ ଆଦି ମୁଖ୍ୟ ଆକର୍ଷଣ ରହିବ।

“କୃଷି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ଚଳିତ ବର୍ଷର କୃଷି ଓଡ଼ିଶାରେ ଗୁରୁତ୍ଵ ଦିଆଯାଇଛି। ଏହାସହ ମେଳାରେ କୃଷି ଉଦ୍ୟୋଗୀକରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇ ବିଭିନ୍ନ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରାଯିବ। ରାଜ୍ୟର କୃଷି ବିକାଶରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଆମେ ଆଶାବାଦୀ ଅଛୁ”,କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।   

କୃଷିର ବିକାଶ ନିମନ୍ତେ ଉତ୍ତମ ଉତ୍ପାଦ ଓ ପଦ୍ଧତିର ବିକାଶ, କୃଷକମାନଙ୍କ ପାଇଁ ବଜାର ଉପଲବ୍ଧିତା, କୃଷିଭିତ୍ତିକ ଶିଳ୍ପ ମଧ୍ୟରେ ସମନ୍ଵୟ, ଏଗ୍ରୀ ଚେନ ମ୍ୟାନେଜମେଣ୍ଟ ଭଳି ବିଷୟବସ୍ତୁକୁ ପ୍ରଦର୍ଶିତ କରିବା ପାଇଁ ‘କୃଷି ଓଡ଼ିଶା-୨୦୨୪’ରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ କୃଷି, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ବୃହତ ନିବେଶର ସୁଯୋଗଗୁଡ଼ିକୁ ଏଠାରେ ବିଭିନ୍ନ ଅଂଶୀଦାରଙ୍କ ସମ୍ମୁଖରେ ରଖାଯିବ।

ଏଥର କୃଷି ଓଡ଼ିଶାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାରଙ୍କ ଆଇସିଏଆର ପ୍ରତିଷ୍ଠାନ, ସିଜିଆଇଏଆର ପ୍ରତିଷ୍ଠାନ ତଥା ବିଭିନ୍ନ ବେସରକାରୀ ସଂଗଠନର ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ।

ସେହିପରି ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା, ପରୀକ୍ଷାମୂଳକ ଜଳକ୍ରୀଡ଼ା, କୃଷକମାନଙ୍କ ସ୍ଥାନୀୟ କଳା ଓ କାହାଣୀ ଉପସ୍ଥାପନା, ପୋଷ୍ଟକାର୍ଡ ବିନିମୟ, କୃଷକ ସୁଗମକାରୀ କେନ୍ଦ୍ର ଏବଂ ସେମାନଙ୍କ ପାଇଁ ପରୀକ୍ଷାମୂଳକ ଶିକ୍ଷଣ କାର୍ମଶାଳାର ଆୟୋଜନ କରାଯିବ।

Tags: #KrushiOdisha2024 #KrushiOdisha #MegaFarmExhibition #WomeninAgriculture #WomenFarmers #Agriculture&FarmersWelfareDept #Odisha #କୃଷି ଓଡ଼ିଶା-୨୦୨୪ 

Comment