ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା ୨୦୨୧’ରେ ଦେଖିବାକୁ ମିଳିଲା ଚାଷର ନୂଆ ପଦ୍ଧତି ହାଇଡ୍ରୋପୋନିକ ଫାର୍ମିଂ।

ଯେକୌଣସି ଚାଷ ପାଇଁ ସର୍ବପ୍ରଥମେ ଆବଶ୍ୟକ ମାଟି। ମାଟି ବିନା ଚାଷ କରିବା କଥା ଭାବିଲେ ବି ଆଶ୍ଚର୍ଯ୍ୟ ଲାଗେ। ହେଲେ ଏବେ ବିନା ମାଟିରେ ଚାଷ ସମ୍ଭବ ହୋଇପାରୁଛି। ହାଇଡ୍ରୋପୋନିକ ଚାଷ ପଦ୍ଧତିରେ ଏହା ସମ୍ଭବ ହୋଇପାରୁଛି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ‘କୃଷି ଓଡ଼ିଶା ୨୦୨୧’ରେ ଏହି ଅତ୍ୟାଧୁନିକ ଚାଷ ପଦ୍ଧତି ଦେଖିବାକୁ ମିଳିଥିଲା।

କୃଷି ଓଡ଼ିଶାର ଏକ ଷ୍ଟଲରେ ଏସ୍‌କେଏମ୍‌ ହାଇଡ୍ରୋପୋନିକ୍ସର ପ୍ରୋପାଇଟର ସୁବତ୍ର କୁମାର ମହାନ୍ତି ଚାଷୀଙ୍କୁ ଚାଷର ଏହି ନୂଆ ଦିଗ ଦେଖାଇଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଚାଷୀ ଏହି ଚାଷ ପ୍ରଣାଳୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।

‘‘ହାଇଡ୍ରୋପୋନିକ ଚାଷ ପଦ୍ଧତି ଇସ୍ରାଏଲରୁ ଆସିଛି। ଏହି ଚାଷ ପଦ୍ଧତିରେ ଜଣେ ଚାଷୀ ଯେକୌଣସି ପନି ପରିବା, ଶାଗଜାତୀୟ ଫସଲ ଚାଷ କରିପାରିବେ। ଏଥିପାଇଁ ମୁଖ୍ୟ ଆବଶ୍ୟକ ହେଲା ପାଣି। ସାଧାରଣତଃ ଜମିରେ ଚାଷୀ କଲେ ଯେଉଁଠି ୧୦୦ ଲିଟର ପାଣି ଦରକାର ହେଉଥିବ, ହାଇଡ୍ରୋପୋନିକ ଚାଷରେ କିନ୍ତୁ ସେହି ଚାଷ ପାଇଁ ୮ରୁ ୧୦ ଲିଟର ପାଣି ଦରକାର ହେବ। ଏହାଦ୍ୱାରା ପାଣି ବି ବଞ୍ଚି ପାରିବ’’, କହିଛନ୍ତି ସୁବ୍ରତ କୁମାର ମହାନ୍ତି।

ଏହି ଚାଷ କରିବା ପାଇଁ ଆବଶ୍ୟକ ନେଟ୍‌ କପ୍‌, ପାଇପ, ,ଏନ୍‌ଏସପି ଚାନେଲ। ନେଟ କପ୍‌ରେ ନଡ଼ିଆ କତାର ଗୁଣ୍ଡ ଦିଆଯାଇ ସେଥିରେ ବିଭିନ୍ନ ଗଛର ମଞ୍ଜି ଦିଆଯାଇଥାଏ। ମଞ୍ଜି ପାଣି ପାଇ ଗଜା ହୋଇଥାଏ। ଗଜା ହେବା ଅବସ୍ଥାରୁ ଗଛର ପତ୍ର ବାହାରିବା ଯାଏଁ ଏଥିରେ କୌଣସି ସାରର ଆବଶ୍ୟକ ପଡ଼ିନଥାଏ। ଗଛ ଟିକିଏ ବଢ଼ିଲେ ତା’ର ଯତ୍ନ ନେବା ପାଇଁ ସେଥିରେ ଅଳ୍ପ କିଛି ସାର ପ୍ରୟୋଗ କରାଯାଇଥାଏ। ତେବେ ଏହି ପ୍ରଣାଳୀରେ କେବଳ ଶାଗଜାତୀୟ ଫସଲ ନୁହେଁ ଅନ୍ୟ ପନିପରିବା ବି ଚାଷ କରାଯାଇପାରିବ। ମାତ୍ର ସବୁ ଚାଷ ପାଇଁ ଭିନ୍ନ ଭିନ୍ନ ପ୍ରଣାଳୀ ରହିଛି।

Comment