ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଓଡ଼ିଶା ୨୦୨୧ଦ୍ୱିତୀୟ ସନ୍ଧ୍ୟାରେ କୃତି ଚାଷୀ ଭାବେ ସମ୍ମାନିତ ହୋଇଥିଲେ ଢେଙ୍କନାଳର ସଫଳ ଯୁବ ଚାଷୀ ଅରୁଣ କୁମାର ପଣ୍ଡା।

‘‘ଚାଷ କାମ ଯାହାର, କେଡ଼େ ସୁଖ ତାହାର’’, ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା  ଓଡ଼ାପଡ଼ା ବ୍ଲକର ଯୁବ ଚାଷୀ ଅରୁଣ କୁମାର ପଣ୍ଡା। ନିଜର ପୈତୃକ ଜମିରେ ଉଦ୍ୟାନ କୃଷି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଉଦ୍ୟାନ କୃଷି ତାଙ୍କର ସଫଳତା ପାଇଁ ତାଙ୍କ କୃତି କୃଷକ ଭାବେ ‘କୃଷି ଓଡ଼ିଶା ୨୦୨୧’ରେ ପୁରସ୍କାର ମିଳିଛି।

ଅରୁଣ ପୁଣ୍ଡାଙ୍କୁ କୃଷି ଓଡ଼ିଶାର ଦ୍ୱିତୀୟ ସନ୍ଧ୍ୟାରେ ‘କୃତି ଚାଷୀ’ ଭାବେ ସମ୍ମାନିତ କରାଯାଇଛି। ମାନପତ୍ର, ଉପଢୌକନ ସହିତ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି କୃଷି ଓ କୃଷକ ସଶକ୍ତକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

‘‘କୃଷି ଓଡ଼ିଶା ଭଳି ଏତେ ବଡ଼ ମଞ୍ଚରେ ମତେ ଆଜି ସମ୍ମାନିତ କରାଯାଇଛି। ଏଥିପାଇଁ ମତେ ବହୁତ ଗର୍ବିତ ଲାଗୁଛି। କେବଳ ଚାକିରି ନୁହେଁ ଚାଷରୁ ବି ଜଣେ ସଫଳ ହୋଇପାରିବ। ତେଣୁ ଯୁବକମାନେ ଖାଲି ଚାକିରି ପଛରେ ନଗୋଡ଼ାଇ ଚାଷ ପ୍ରତି ବି ମନ ବଳାଇବା ଦରକାର’’, କହିଛନ୍ତି ଚାଷୀ ଅରୁଣ ପଣ୍ଡା।

ଯୁବ ଚାଷୀ ଅରୁଣ କୁମାର ପଣ୍ଡା ୨୦୦୯ରୁ ଉଦ୍ୟାନ କୃଷିକୁ ଆପଣେଇ ନେଇଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ କିଛି ଯୁବକଙ୍କୁ ମଧ୍ୟ ରୋଜଗାର ଯୋଗାଇପାରିଛନ୍ତି। ସେ ମଧ୍ୟ ତାଙ୍କ ଗାଁରେ କୃଷି ଉତ୍ପାଦକ ଗୋଷ୍ଠୀର ସମ୍ପାଦକ ଅଛନ୍ତି।

ଅରୁଣ କୁମାର ପଣ୍ଡା ନିଜ ଜମିରେ ସମନ୍ୱିତ କୃଷି ପ୍ରଣାଳୀ, ହାଇବ୍ରିଡ ପନିପରିବା ଏବଂ ଫଳଚାଷ, ଆଧୁନିକ ଜଳସେଚନ ପ୍ରକ୍ରିୟା ଇତ୍ୟାଦି ଜ୍ଞାନକୌଶଳର ପ୍ରୟୋଗ କରିଛନ୍ତି। ତାଙ୍କ ବିଗଚା ବର୍ତ୍ତମାନ ୭୦ ଶତକଡ଼ା ବୈଜ୍ଞାନିକ ଜ୍ଞାନକୌଶଳରେ ଚାଲୁଛି।

ସେ ମଧ୍ୟ ବିଭିନ୍ନ ସରକାର ଯୋଜନା ସହିତ ଯୋଡ଼ି ହୋଇଛନ୍ତି। ଜଣେ ଅଗ୍ରଣୀ କୃଷକ ଭାବେ ଉଦ୍ୟାନ କୃଷି ବିଭାଗରେ ପରିଚିତ ହୋଇପାରିଛନ୍ତି। ବର୍ତ୍ତମାନ ଅରୁଣଙ୍କର ବାର୍ଷିକ ନେଟ୍‌ ଆୟ ୮, ୫୦,୦୦୦ ବୋଲି ସେ ନିଜେ କହିଛନ୍ତି, ଯାହାକି ଆଜିର ଯୁବ ଚାଷୀଙ୍କ ପାଇଁ ପ୍ରେରଣା।

ତେବେ କେବଳ ଅରୁଣ କୁମାର ପଣ୍ଡା ନୁହନ୍ତି, ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଅଗ୍ରଣୀ ଚାଷୀଙ୍କୁ କୃଷି ଓଡ଼ିଶାରେ ପୁରସ୍କୃତ କରାଯାଉଛି। ଏହି ପୁରସ୍କାର ଚାଷୀ ମନୋବଳ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।

Comment