ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର କୃଷି ଏବଂ କୃଷକଙ୍କ ବିକାଶ ଉପରେ ବିଶେଷ ଗୁରୁତ୍ଵ ଦେଇ ଆସୁଛନ୍ତି। ପୂର୍ବ ଅପେକ୍ଷା ରାଜ୍ୟରେ ଏବେ କୃଷି ଉତ୍ପାଦନରେ ବୃଦ୍ଧି ହେଉଛି। ବିଭିନ୍ନ ଋତୁରେ ଆବଶ୍ୟକ ପରିମାଣର ଫସଲ ମଧ୍ୟ ଅମଳ ହେଉଛି। ଏହି ଫସଲଗୁଡ଼ିକର ସଂରକ୍ଷଣ ନିମନ୍ତେ ରାଜ୍ୟରେ ଖୁବଶୀଘ୍ର ୧୦୦୦ ସୌର ଚାଳିତ ଶୀତଳଭଣ୍ଡାର ଖୋଲାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଗୁରୁବାର ଦିନ ଭୁବନେଶ୍ଵର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଆୟୋଜିତ ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା ୨୦୨୩’ର ଉଦଘାଟନ ଅବସରରେ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ।

ଏହି ଅବସରରେ ଅରବିନ୍ଦ ପାଢ଼ୀ କହିଥିଲେ, “ଓଡ଼ିଶା ଦୀର୍ଘ ୧୦ ବର୍ଷ ଧରି ଚାଉଳ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ସ୍ଵାବଲମ୍ବୀ ହୋଇପାରିଛି। କେବଳ ସେତିକି ନୁହେଁ ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ପ୍ରଗତି ହୋଇଛି। ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ପରିବେଶ ଅନୁକୂଳ ତଥା ଦୀର୍ଘସ୍ଥାୟୀ କୃଷି ଉତ୍ପାଦନ ଉପରେ ରାଜ୍ୟ ସରକର ଗୁରୁତ୍ଵ ଦେଇଆସୁଛନ୍ତି।”

“ରାଜ୍ୟରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଯୋଗୁଁ ଚାଷୀଙ୍କୁ ରୋଜଗାର ସୁଯୋଗ ମିଳୁଛି। କୃଷି ଯାନ୍ତ୍ରୀକରଣ ଉପରେ ଗୁରୁତ୍ଵ ଦିଆଯାଇ ଫସଲ ଉତ୍ପାନ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଛି। ଫସଲ ବିବିଧିକରଣ, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ରାଜ୍ୟରେ କୃଷି ଉଦ୍ୟୋଗୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି”, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡକ୍ଟର ପାଢ଼ୀ।

ପଣସ ମିଶନଠାରୁ ଛତୁ ମିଶନ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମିଶନ ଜରିଆରେ ଚାଷୀଙ୍କୁ ରୋଜଗାରକ୍ଷମ କରିବା ସହ ପୁଷ୍ଟି ନିରାପତ୍ତା ଉପରେ ଗୁରୁତ୍ଵ ଦିଆଯାଉଥିବା ସେ କହିଥିଲେ। ଚଳିତ ବର୍ଷ ମିଲେଟସ ବର୍ଷ ପାଳନ କରାଯାଉଥିବାରୁ କୃଷି ଓଡ଼ିଶା ୨୦୨୩ରେ ମିଲେଟସକୁ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। ମିଲେଟସ ମିଶନ ଦେଶ ବିଦେଶର ଧ୍ୟାନ ଆକର୍ଷଣ କରିବା ସହ ଏହା ମିଶନ ଶକ୍ତି ମା’ମାନଙ୍କର ରୋଜଗାରର ଆଉ ଏକ ମାଧ୍ୟମ ପାଲଟିଛି। ଖୁବଶଘ୍ର ରାଜ୍ୟର ୩୦ଟି ଜିଲ୍ଲାକୁ ମିଲେଟସ ମିଶନ କାର୍ଯ୍ୟକ୍ରମ ସଂପ୍ରସାରିତ ହେବ ବୋଲି ଏହି ଅବସରରେ କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

Tags: #KrushiOdisha #KrushiOdisha2023 #EmergingTechnologiesInAgriculture #MilletsOdisha #DrArabindaPadhee #ColdStorage #SolarColdStorage

Comment