ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମହାମାରୀ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଛତୁ ଏବଂ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର, ବାଇଗଣ ଉତ୍ପାଦନରେ ୨ ନମ୍ବର ଏବଂ ଚାଉଳ ଉତ୍ପାଦନରେ ୪ ନମ୍ବର ରାଜ୍ୟ ହୋଇପାରିଛି ବୋଲି ବୁଧବାର ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି। ଓଡ଼ିଶାରୁ ବିଦେଶକୁ ୭୦୦ ମେଟ୍ରିକ ଟନ୍ ଚାଉଳ ପଠା ଯାଉଛି। ସରକାର ଆଗକୁ ୧ ହଜାର ମେଟ୍ରିକ ଟନ୍ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ରାଜ୍ୟରେ ମୋଟ ୧୧୩ଟି ଶୀତଳ ଭଣ୍ଡାର ରହିଛି। ସେଥି ମଧ୍ୟରୁ ୭୯ଟି ଅଚଳ ହୋଇପଡ଼ିଛି। ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ ୪ ହଜାର ମେଟ୍ରିକ୍ ଟନ ବିଶିଷ୍ଟ କୃଷି ବିଭାଗର ୪ଟି ଶୀତଳ ଭଣ୍ଡାର ରହିଛି ଏବଂ ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳ ଭଣ୍ଡାର ରହିଛି”।

ଶୀତଳ ଭଣ୍ଡାରଗୁଡ଼ିକୁ ଶିଳ୍ପ ଭାବେ ଗଣାଉଥିବାରୁ ଏହାର ବିଦ୍ୟୁତ ଦର ୟୁନିଟ ପିଛା ୪ ଟଙ୍କା ୩୦ ପଇସା ରହିଛି। ତେଣୁ ଶୀତଳ ଭଣ୍ଡାରଗୁଡ଼ିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବାକୁ ରାଜ୍ୟ ସରକାର ଓଇଆରସିକୁ ପ୍ରସ୍ତାଵ ଦେଇଛନ୍ତି। ଏହା ଦ୍ଵାରା ବିଦ୍ୟୁତ୍ ଦର କମ ହୋଇପାରିବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
Tags: #OdishaAssembly #AssemblyBudgetSession2022 #InterimBugdet #Agriculture #LemonAndMashroomProduction #ArunKumarSahoo

Comment