ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳରେ ଗୃହ କମ୍ପିଛି। ବଜେଟ ଅଧିବେଶନରେ ପ୍ରଥମେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି। ଏହାକୁ ବିରୋଧ କରି ଉଭୟ ବିଜେପି ଓ କଂଗ୍ରେସ ଗୃହ ତ୍ୟାଗ କରିଛନ୍ତି।

ମଙ୍ଗଳବାର ଦିନ ୧୧ଟା ସମୟରେ ବିଧାନସଭାରେ ଆରମ୍ଭ ହୋଇଥିଲା। ବିଧାନସଭାରେ ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣ ହୋଇଥିଲା। ଏହି ଅଭିଭାଷଣବେଳେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ।

ରାଜ୍ୟର ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ବ୍ୟବସ୍ଥାକୁ ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ପ୍ରତିବାଦ ଜଣାଇଥିଲେ। ରାଜ୍ୟପାଳ ଭାଷଣ ଦେଉଥିବା ବେଳେ ହୋହଲ୍ଲା, ପାଟିତୁଣ୍ଡ ମଧ୍ୟ କରିଥିଲେ। ଏହାପରେ ସେମାନେ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି ଗୃହ ତ୍ୟାଗ କରିଥିଲେ।

ଅନ୍ୟପଟେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଆରମ୍ଭରୁ କକ୍ଷ ତ୍ୟାଗ କରିଥିଲେ। ସେମାନେ ବିଧାନସଭା ଗୃହ ବାହାରେ ବିଭିନ୍ନ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି। ରାଜ୍ୟ ସରକାର ରାଜ୍ୟପାଳଙ୍କ ମାଧ୍ୟମରେ ମିଛ କଥା କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ ନବ ଦାସଙ୍କ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି।

Tags: #BudgetSession #OdishaAssembly #GovernorsAddress #OppositionParties #Odisha

 

Comment