ଓଡ଼ିଶାଲାଇଭ୍ ବ୍ୟୁରୋflood in balasore

ଚଳିତବର୍ଷ ବର୍ଷା ଓ ବନ୍ୟା ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବନ୍ୟାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଟି ଜିଲ୍ଲାରେ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ଚାଷୀ ଅପେକ୍ଷାକୃତ ଅଧିକ କ୍ଷତି ସହିଛନ୍ତି।

ଲଗାଣ ବର୍ଷା ଓ ବନ୍ୟା ଫଳରେ ରାଜ୍ୟର ପ୍ରାୟ ୧ଲକ୍ଷ ୨୦ ହଜାର ହେକ୍ଟର ଚାଷଜମି ଧୋଇଯାଇଥିବା ଆକଳନ କରାଯାଇଛି। ଜଗସିଂହପୁର ଜିଲ୍ଲାର ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବନ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳର କୃଷି ଅଧିକାରୀ ଏବଂ ଜିଲ୍ଲାପାଳମାନେ ବନ୍ୟାପ୍ରଭାବିତ ଚାଷୀଙ୍କୁ  ଯଥୋଚିତ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। କ୍ଷୟକ୍ଷତି ଆକଳନର ୧୫ଦିନ ମଧ୍ୟରେ ପ୍ରଭାବିତ ଚାଷୀଙ୍କୁ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ଷତିଗ୍ରସ୍ତ ଚାଷୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି, ସ୍ୱଚ୍ଛତା ସହ ସହାୟତା ପ୍ରଦାନ ପାଇଁ ବିଭିନ୍ନ ଅଧିୀକାରୀଙ୍କୁ ସୂଚାଇଛନ୍ତି ମନ୍ତ୍ରୀ। ସେହିପରି ଚାଷୀଙ୍କୁ ସେପ୍ଟେମ୍ବର ସୁଦ୍ଧା ସଅଳ କିସମ ବିହନ, ଡ଼ାଲିଜାତୀୟ, ଚିନାବାଦାମ ବିହନ ଆଦି ଯୋଗାଇବା ପାଇଁ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ବେଳେ ଏହା କୁହାଯାଇଛି। ଏଥିରେ ହାଇବ୍ରିଡ ପରିବା, ଫୁଲକୋବି, ବନ୍ଧାକୋବି ଆଦି ବିହନ ଯୋଗାଇ ଦିଆଯିବା ନେଇ ଗୁରୁତ୍ୱ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ଫସଲ ବୀମା ଯୋଗାଇବା ପାଇଁ ସମ୍ପୃକ୍ତ କମ୍ପାନିମାନଙ୍କ ସହିତ ଆଲୋଚନା ଲାଗି ଅଧିକାରୀଙ୍କୁ କୁହାଯାଇଛି।

Tags: #FloodinOdish2022 #AgricultureOdisha #AgricultureministerOdisha #RanendrapratapSwain #floodreview #floodrelief

Comment