ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ସୃଷ୍ଟି ତଥା ମାଣ୍ଡିଆର ପୁଷ୍ଟିକର ଗୁଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନର ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ।

  • ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ମାନଚିତ୍ରରେ ସୁନ୍ଦରଗଡ଼ର ୮ ବ୍ଲକ
  • ଏବେ ହେମଗିରି, ବାଲିଶଙ୍କରା, ଟାଙ୍ଗରପାଲି ଏବଂ ଲେଫ୍ରିପଡ଼ା ବ୍ଳକ ସାମିଲ 
  • ଡିଏମ୍‌ଏଫ୍‌ ପକ୍ଷରୁ ସହାୟତା
  • ୩ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ମାଣ୍ଡିଆ ଉତ୍ପାଦନ ଲକ୍ଷ୍ୟ

ମାଣ୍ଡିଆ ଉତ୍ପାଦନ ଏବଂ ଏହାର ବ୍ୟବହାର ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ନୂଆକରି ସାମିଲ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକ ହେମଗିରି, ବାଲିଶଙ୍କରା, ଟାଙ୍ଗରପାଲି ଏବଂ ଲେଫ୍ରିପଡ଼ାର ଚାଷୀଙ୍କୁ ସଚେତନ କରିବା ଲାଗି ଆଜି ସ୍ୱତନ୍ତ୍ର ଅଭିଯାନ ଶୁଭାରମ୍ଭ କରାଯାଇଛି। ସେଥିମଧ୍ୟରୁ ଆଜି ଟାଙ୍ଗରପାଲି ଏବଂ ବାଲିଶଙ୍କରା ବ୍ଲକକୁ ସଚେତନତା ରଥ ଗଡ଼ିଛି। ଆସନ୍ତାକାଲି ଅନ୍ୟ ଦୁଇଟି ବ୍ଲକ ହେମଗିରି ଏବଂ ଲେଫ୍ରିପଡ଼ାକୁ ରଥ ଗଡ଼ିବାର କାର୍ଯ୍ୟକ୍ରମ ରହିଛି।

ଏହାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ତଥା ‘ଆତ୍ମା’ର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦାଶ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ, ‘ୱାସନ’ର ଜିଲ୍ଲା ସଂଯୋଜକ ଉପସ୍ଥିତ ଥିଲେ।

‘‘ସୁନ୍ଦରଗଡ଼ ଜିଲ୍ଲାର ୮ଟି ବ୍ଲକ ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ସାମିଲ ହୋଇଛି। ଯେଉଁ ୪ଟି ବ୍ଲକକୁ ଏବେ ନୂଆକରି ସାମିଲ କରାଯାଇଛି ସେହି ଅଞ୍ଚଳର ଚାଷୀମାନେ ମାଣ୍ଡିଆ ଚାଷ କରିବାକୁ ଆଗ୍ରହୀ ଅଛନ୍ତି। ଚାଷୀମାନଙ୍କ ଉତ୍ସାହ ଏବଂ ଆଗ୍ରହକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକକୁ ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ମାନଚିତ୍ର ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଗତବର୍ଷ ଜିଲ୍ଲାରୁ ୨୦୦୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରାଯାଇଥିଲା। ଚଳିତବର୍ଷ ୪ ହଜାର କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ସହାୟତାକ୍ରମେ ୫ ବର୍ଷ ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସଂପୃକ୍ତ ୪ଟି ବ୍ଲକର ୩ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ମାଣ୍ଡିଆ ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି।

କୃଷି ବିଭାଗ ଅଧୀନରେ ଥିବା ‘ଆତ୍ମା’ର ତତ୍ତ୍ୱାବଧାନ ତଥା ସାମାଜିକ ସଙ୍ଗଠନ ‘ୱାସନ’ର ବୈଷୟିକ ସହାୟତାକ୍ରମେ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଚାଷକୁ ସଫଳ ରୂପାୟନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚାଷୀମାନଙ୍କୁ ଚିହ୍ନଟ ସହିତ ସେମାନଙ୍କୁ ତାଲିମ ଦେବା ଓ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଉଛି। ଏହି କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଟିଏ ସାମାଜିକ ସଂସ୍ଥାକୁ ସହଭାଗୀ ରୂପେ ବଛାଯାଇଛି। ଚଳିତ ଖରିଫ୍‌ ଋତୁରେ ପ୍ରତ୍ୟେକ ବ୍ଲକରେ ଅନ୍ତତଃ ୧୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବା ପାଇଁ ପଦକ୍ଷେପ ନିଆଯାଉଛି।

‘‘ଡିଏମ୍‌ଏଫ୍‌, ୱାସନ ଏବଂ ଆତ୍ମା ସହାୟତାରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେବା ପାଇଁ ପଦକ୍ଷେପ ନିଆଯାଉଛି। ମାଣ୍ଡିଆ ଉତ୍ପାଦନ, ଏହାର ବଜାର ସଂଯୋଗୀକରଣ ଏବଂ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଉପରେ ସଚେତନ କରାଯିବ। ସାମାଜିକ ସଙ୍ଗଠନ ‘ସେବକ’ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ସମ୍ପର୍କରେ ସଚେତନ କରିବାର ଦାୟିତ୍ୱ ନେଇଛି। ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଡିଏମ୍‌ଏଫ୍‌ ଆଗେଇ ଆସିଛି’’, କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ତଥା ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦାଶ।

ପୂର୍ବରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ଜିଲ୍ଲାର ୪ଟି ବ୍ଳକ ରାଜଗାଙ୍ଗପୁର, କୁତ୍ରା, କୁଆଁରମୁଣ୍ଡା ଏବଂ ନୂଆଗାଁରେ ମାଣ୍ଡିଆ ଚାଷ କରାଯାଉଛି।

ଓଡ଼ିଶାର ପ୍ରମୁଖ ଗବେଷଣା ସଂସ୍ଥା ଏନ୍‌ସିଡିଏସ୍‌ ଓଡ଼ିଶା ପୁଷ୍ଟିଶସ୍ୟ ମିଶନକୁ ବୈଷୟିକ ସହାୟତା ଯୋଗାଇ ଦେଇ ଆସୁଛି।

‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ମାଣ୍ଡିଆ ଭଳି ଏକ ପୁଷ୍ଟିକର ଖାଦ୍ୟକୁ ରାଜ୍ୟରେ ପୋଷଣ କାର୍ଯ୍ୟକ୍ରମ ତଥା ସାଧାରଣ ବଣ୍ଟନ ବ୍ୟବସ୍ଥା ବା ପିଡିଏସ୍‌ରେ ସାମିଲ କରାଯାଇଛି। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି। ‘ଓଡ଼ିଶା ମିଲେଟ ମିଶନ’ ଢାଞ୍ଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଆୟୋଗ ଦେଶର ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

Comment