ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୀବିକା ଅର୍ଜନ ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜ
  • ୨୫ ଲକ୍ଷ ଚାଷୀ ହେବେ ଉପକୃତ
  • କୃଷିଜାତ ସାମଗ୍ରୀର ବିକ୍ରିବଟା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ
  • ମୋ’ ପୋଖରୀ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର
  • ପ୍ରତି ସୋମବାର ପଞ୍ଚାୟତ ଅଫିସରେ ରହିବେ କୃଷି ସଂପ୍ରସାରଣ ଅଧିକାରୀ
  • ଚାଷୀଙ୍କ ସମସ୍ୟା ସମାଧାନ ଉପରେ ଫୋକସ୍‌

କରୋନା ସଙ୍କଟ ବେଳେ ଖରିଫ୍‌ ଚାଷର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। ଲୋକସେବା ଭବନଠାରେ ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀ ସମୀକ୍ଷା କରିଥିଲେ।

‘‘କୋଭିଡ୍‌-୧୯ ମହାମାରୀ ବେଳେ ଲୋକମାନଙ୍କର ଜୀବନ ଜୀବିକା ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କର ଆୟ ବୃଦ୍ଧି କରିବା ଦିଗରେ କୃଷିର ଉଲ୍ଲେଖନୀୟ ଅବଦାନ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିକୁ ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି’’, କହିଛନ୍ତି କୃଷି ଓ କୃଷକ ଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ଏହି ଅବସରରେ ମନ୍ତ୍ରୀ ଜୀବିକା ଅର୍ଜନ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜ ଯୋଗୁଁ ୨୫ ଲକ୍ଷ ଚାଷୀ ଉପକୃତ ହୋଇପାରିବେ। ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ପ୍ୟାକେଜ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଡକ୍ଟର ସାହୁ। ଏହାସହ କୃଷିଜାତ ସାମଗ୍ରୀର ସହଜ ବିକ୍ରିବଟା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଉପସ୍ଥିତ ଥିଲେ। ମୋ’ ପୋଖରୀ ଯୋଜନାର ହିତାଧିକାରୀ ଚୟନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଅଧିକ ପ୍ରକଳ୍ପ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ୧ ଲକ୍ଷ ୩ ହଜାର ମୋ’ ପୋଖରୀ ଖେଳାଯିବାକୁ ଲକ୍ଷ୍ୟ ରହିଥିବା ପ୍ରମୁଖ ଶାସନ ସଚିବ କହିଥିଲେ।

ପଞ୍ଚାୟତ ଅଫିସରେ ପ୍ରତି ସୋମବାର କୃଷି ସଂପ୍ରସାରଣ ଅଧିକାରୀମାନେ ଉପସ୍ଥିତ ରହି ଚାଷୀଙ୍କ ସମସ୍ୟା ସମାଧାନ କରିବେ। ସେହିପରି ୧୫ ଦିନରେ ବ୍ଲକ ସ୍ତରରେ ବୈଷୟିକ ଟିମ୍‌ର ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତି ମାସରେ ଜିଲ୍ଲା ସ୍ତରରେ ସମନ୍ୱୟ କମିଟି ବୈଠକ କରି ଚାଷୀମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତବର୍ଷ ଫସଲବୀମା ଯୋଜନାରେ ଅଧିକ ଅଣୠଣୀ ଚାଷୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆମ କୃଷି ଟୋଲ ଫ୍ରି ହେଲ୍ପଲାଇନ୍‌ ନମ୍ବର ଜରିଆରେ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଦିଆଯାଉଥିବା ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ପଞ୍ଚାୟତ ସ୍ତରରେ ଚାଷୀମାନଙ୍କୁ ନେଇ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରାଯାଇ ଚାଷ ସମ୍ପର୍କରେ ତଥ୍ୟ ଦିଆଯାଉଥିବା ଜଣାପଡ଼ିଛି।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା କୃତିବାସ ପାତ୍ର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ଏମ୍‌ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସିଂରେ ୩୦ଟି ଜିଲ୍ଲା ଏବଂ ୩୧୪ ବ୍ଲକର କୃଷି ଅଧିକାରୀମାନେ ସାମିଲ ହୋଇଥିଲେ।

Comment