ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବୃହତ କୃଷିମେଳା। ସମ୍ବଲପୁରରେ ଉଦଘାଟିତ ହୋଇଛି ‘ପଶ୍ଚିମ ଓଡ଼ିଶା କୃଷି ମେଳା ଓ ଫାର୍ମ ମେସିନାରୀ ମେଳା-୨୦୨୩’। ଶୁକ୍ରବାର ଆରମ୍ଭ ହୋଇଥିବା ଏହି ମେଳା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାର ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ସଭାରେ ଉଦବୋଧନ ଦେଇଛନ୍ତି। ଓଡ଼ିଶା କୃଷି ବିଭାଗ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ଫିକିର ମିଳିତ ଆନୁକୂଲ୍ୟରେ ଏହି ମେଳାର ଆୟୋଜନ କରାଯାଇଛି।

“ଚାଷୀ ଭାଇମାନଙ୍କ କଲ୍ୟାଣ ଓ ସେମାନଙ୍କୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ତତ୍ପର ଅଟନ୍ତି। କାଳିଆ ଯୋଜନା, ବଳିଆ ଯୋଜନା, ମିଲେଟ ମିଶନ, ଛତୁ ମିଶନ ଭଳି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଷୀଙ୍କ ରୋଜଗାର ବଢାଇଛି। ଏହି ପଶ୍ଚିମ ଓଡ଼ିଶା କୃଷି ମେଳା ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଞ୍ଚଦିନ ଧରି ହେବାକୁ ଥିବା ଏହି କୃଷି ମେଳାରେ ପଶ୍ଚିମ ଓଡ଼ିଶାର ଅନେକ ଚାଷୀ, କୃଷକ ଉତ୍ପାଦକ ଗୋଷ୍ଠୀ, କୃଷି ଉଦ୍ୟୋଗୀ, କୃଷି ବିଜ୍ଞାନୀ ଓ କୃଷି ସହ ସମ୍ବନ୍ଧିତ ଅନ୍ୟାନ୍ୟ ଲୋକ ଯୋଗ ଦେବେ। କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ଉପଯୋଗରେ କିଭଳି ଚାଷ କରାଯିବ ସେନେଇ ଏଠାରେ ତାଲିମ ଦିଆଯିବ। ଏହାଛଡ଼ା ସମନ୍ଵିତ କୃଷି, ଫସଲ ବିବିଧିକରଣ, ଉଦ୍ୟାନ କୃଷି ମତ୍ସ୍ୟ ଚାଷରେ କିଭଳି ଉନ୍ନତି ଅଣାଯାଇ ପାରିବ ସେନେଇ ଆଲୋଚନା କରାଯିବ।

ଏହି ମେଳାରେ ହେବାକୁଥିବା ବିଭିନ୍ନ କୃଷିଭିତ୍ତିକ କାର୍ମଶାଳାରେ ବିଶେଷଜ୍ଞମାନେ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଟ୍ରେନିଂ ମଧ୍ୟ ଦେବେ। କୃଷକ ତଥା କୃଷକ ଉତ୍ପାଦକ ଗୋଷ୍ଠୀ କିଭଳି ନିଜ ଉତ୍ପାଦକୁ ସୁବିଧାରେ ବଜାରରେ ଉପଲବ୍ଧ କାରାଇ ପାରିବେ ସେ ସମ୍ବନ୍ଧରେ ଚର୍ଚ୍ଚା ହେବ।

“ଆଜିର ବିଶ୍ଵ ଅର୍ଥନୈତିକ ପରିସ୍ଥିତିରେ କୃଷି ପାଇଁ ଆୟୋଜିତ ହେଉଥିବା ଏହି ମେଳାର ପ୍ରାସଙ୍ଗିକତା ଅଧିକ ରହିଛି। କୃଷି କ୍ଷେତ୍ରରେ ନୂଆ ନୂଆ ଜ୍ଞାନ କୌଶଳର ବ୍ୟବହାର କୃଷକମାନଙ୍କୁ ସମୃଦ୍ଧ କରିବ। କେବଳ କୃଷକ ନୁହନ୍ତି କୃଷକ ଉତ୍ପାଦକ ଗୋଷ୍ଠୀ ଓ କୃଷି ଉଦ୍ୟୋଗୀମାନଙ୍କୁ ଏହି କୃଷି ମେଳା ବହୁଳ ଭାବେ ସହାୟ ହେବ। ରାଜ୍ୟ ସରକାରଙ୍କ ନେତୃତ୍ଵରେ ପଶ୍ଚିମ ଓଡ଼ିଶାରେ କୃଷି କ୍ଷେତ୍ର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଭଲଭାବେ କାର୍ଯ୍ୟକାରୀ ହେବ”, କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ଏହି କୃଷି ମେଳାରେ ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଭାଗ ଡାଇରେକ୍ଟର ପ୍ରେମଚାନ୍ଦ ଚୌଧୁରୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭାପତି ଅସିତ ତ୍ରିପାଠୀ, ଓଡ଼ିଶା ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Tags: #WesternOdishaAgricultureFair2023 #Sambalpur #AgricultureDept #GovtofOdisha

Comment