ଓଡ଼ିଶାଲାଇଭ୍ ବ୍ୟୁରୋ

(ସମ୍ବଲପୁର): ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ, ସଙ୍ଗେ ସଙ୍ଗେ ସମାଧାନ କଲେ। ନିଜ ସ୍ତରରେ ଶୀଘ୍ର ସମସ୍ୟା ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପ୍ରଥମ ଥର ପାଇଁ ଭୁବନେଶ୍ଵର ବାହାରେ ସମ୍ବଲପୁରଠାରେ ଲୋକଙ୍କ ଅଭିଯୋଗ ଶୁଣି ତା’ର ସମାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସୋମବାର ଦିନ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ୨,୪୦୦ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ। ତୁରନ୍ତ ଦୁରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ନଅଟି ପାଳିରେ ପ୍ରାୟ ୧୦ ହଜାର ଅଭିଯୋଗ ଗ୍ରହଣ କରାଯାଇଛି ଓ ସେଥିମଧ୍ୟରୁ ୮୮ ପ୍ରତିଶତ ସମାଧାନ କରାଯାଇଛି। ଅନ୍ୟ ଗୁଡ଼ିକ ଶୀଘ୍ର ସମାଧାନ କରାଯିବ। କେବଳ ଭୁବନେଶ୍ଵର ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଅଭିଯୋଗ ଶୁଣାଣି ହେବ। ସମ୍ବଲପୁରରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର ବୋଲି ସେ କହିଥିଲେ।

ଦଶମ ପାଳିରେ ପ୍ରାୟ ଏକ ହଜାର ଅନଲାଇନରେ ପଞ୍ଜୀକୃତ କରିଥିବାବେଳେ ଅଫ୍ ଲାଇନରେ ୧୪ ଶହ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲା ଡୁଙ୍ଗୁରିବାହାଲରୁ ଆସିଥିବା ଲୋକଙ୍କୁ ତୁରନ୍ତ ଜଳ ସେଚନ ସୁବିଧା ଯୋଗାଇ ଦେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେଇଥିଲେ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Tags: #CMMohanCharanMajhi #PublicGrievance #Sambalpur #Odisha

LEAVE A REPLY

Please enter your comment!
Please enter your name here