ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ କୃଷି ବିଭାଗର କ୍ୟାଡର ପୁନର୍ବିନ୍ୟାସରେ ବିଳମ୍ବକୁ କୃଷି ଅଧିକାରୀଙ୍କ ପ୍ରତିବାଦ
  • କୃଷି ବିଭାଗରେ ନୂଆ ନିଯୁକ୍ତି ଓ କୃଷି ଅଧିକାରୀଙ୍କୁ ଗ୍ରୁପ-ଏ ମାନ୍ୟତା ଦାବି
  • ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନର ଚେତାବନୀ

ବାରମ୍ବାର ଦାବି ପରେ ଶୁଣିଲେନି ସରକାର, ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶାର କୃଷି ଅଧିକାରୀ। କୃଷି ବିଭାଗର କ୍ୟାଡର ପୁନର୍ବିନ୍ୟାସ ଓ ଅନ୍ୟାନ୍ୟ ଦାବିରେ ରାଜ୍ୟର ସବୁ କୃଷି ଅଧିକାରୀ ଗୁରୁବାରଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। କ୍ୟାଡର ପୁନର୍ବିନ୍ୟାସରେ ହେଉଥିବା ବିଳମ୍ବକୁ ସେମାନେ ପ୍ରତିବାଦ କରିଛନ୍ତି। ସବୁ କୃଷି ଅଧିକାରୀଙ୍କୁ ଗ୍ରୁପ-ଏ ମାନ୍ୟତା ମିଳୁ ବୋଲି ସେମାନଙ୍କ ଦାବି ରହିଛି। ଏନେଇ ଓଡ଼ିଶା କୃଷି ସେବା ସଂଘର ଡକରାରେ ଏହି ଆନ୍ଦୋଳନ ଚାଲିଛି।

ଗୁରୁବାର ଓଡ଼ିଶାର କୃଷି ଅଧିକାରୀମାନେ ସମୂହ ଛୁଟିରେ ଯାଇ ଭୁବନେଶ୍ୱର ସ୍ଥିତ ରାଜ୍ୟ କୃଷି ଭବନ ସହ ନିଜ ନିଜ ଜିଲ୍ଲାର କୃଷି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସେମାନଙ୍କ ଦାବି ପୂରଣ ନହେବା ଯାଏଁ ବିରୋଧ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଉଦ୍ୟାନ କୃଷି ଓ ମୃତ୍ତିକା ସରଂକ୍ଷଣ ଅଧିକାରୀମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

୨୦୧୬ରୁ କୃଷି ଭିତ୍ତିକ ଶିକ୍ଷା ଏକ ବୃତ୍ତିଗତ ଶିକ୍ଷାର ମାନ୍ୟତା ପାଇଛି। ସେହି ଅନୁସାରେ ଅନ୍ୟ ବୃତ୍ତିଗତ କ୍ୟାଡର ଅଧିକାରୀଙ୍କ ସହ ସମକକ୍ଷ କରି ରାଜ୍ୟର କୃଷି ଅଧିକାରୀଙ୍କୁ ମଧ୍ୟ ଗ୍ରୁପ-ଏ ମାନ୍ୟତା ମିଳୁ ବୋଲି କୃଷି ସେବା ସଂଘ ଅନେକ ଦିନରୁ ଦାବି କରିଆସିଛି।

ସେହିପରି ରାଜ୍ୟରେ ଗୋଟିଏ ବେତନ ହାରରେ କୃଷି ଅଧିକାରୀମାନଙ୍କ ଦୁଇଟି ପଦନ୍ନୋତିକୁ କୃଷି ସେବା ସଂଘ ବିରୋଧ କରିଛି। ଅନେକ ଦିନରୁ କୃଷି ବିଭାଗରେ ଖାଲିଥିବା ପଦବୀଗୁଡ଼ିକ ପୂରଣ ହୋଇନଥିବାରୁ ଅଧିକାରୀଙ୍କ ପଦୋନ୍ନତିରେ ସମସ୍ୟା ଦେଖାଯାଉଥିବାରୁ ଏହାର ସମାଧାନ ପାଇଁ ସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଗତ ୩ ଦଶନ୍ଧିରେ ରାଜ୍ୟରେ ଚାଲୁଥିବା କୃଷିଭିତ୍ତିକ ଯୋଜନା ୧୩ରୁ ବଢ଼ି ଏବେ ୩୯ ହୋଇଛି। ରାଜ୍ୟର କୃଷି ବଜେଟ ମଧ୍ୟ ୬୦୦ କୋଟିରୁ ବଢ଼ି ୬ ହଜାର କୋଟିରୁ ଅଧିକ ହୋଇଛି। ହେଲେ ସେହି ଅନୁପାତରେ କୃଷି ବିଭାଗରେ ନୂଆ ନିଯୁକ୍ତି ହୋଇନାହିଁ। ଏଥିପାଇଁ ରାଜ୍ୟରେ କୃଷିଭିତ୍ତିକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ କୃଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କୃଷି ଅଧିକାରୀମାନେ ସୀମିତ ସଂସାଧନରେ କାମ କରୁଥିବା ସଂଘ ଅଭିଯୋଗ କରିଛି।

ଓଡ଼ିଶା କୃଷି ବିଭାଗର ବିଭିନ୍ନ ସ୍ତରରେ କେତେ ଅଧିକାରୀ ରହିବା ଦରକାର ବା କୃଷି ଅଧିକାରୀ କ୍ୟାଡରର ରାଜ୍ୟର ପୁନର୍ବିନ୍ୟାସର ହିସାବ କରିବା ପାଇଁ ରାଜ୍ୟ ସରକାର ରାଷ୍ଟ୍ରୀୟ କୃଷି ସମ୍ପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (ମ୍ୟାନେଜ)କୁ ଦାୟିତ୍ଵ ଦେଇଥିଲେ। ଏହି ସଂସ୍ଥା ରାଜ୍ୟରେ କୃଷି ଅଧିକାରୀ କ୍ୟାଡରର ପୁର୍ନବିନ୍ୟାସ ପାଇଁ ଯେଉଁ ସୁପାରିସ କରିଥିଲା, ତାହାକୁ ଲାଗୁ କରିବା ପାଇଁ ସଂଘ ଦାବି କରିଛି।

ଏହାପୂର୍ବରୁ ଓଡ଼ିଶା କୃଷି ସେବା ସଂଘ ପକ୍ଷରୁ ଉପରୋକ୍ତ ଦାବିଗୁଡ଼ିକୁ ନେଇ ଗତ ଅଗଷ୍ଟ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା। ଏହାପରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କୃଷି ସେବା ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରି ଅଗଷ୍ଟ ୧୫ ଭିତରେ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ କୃଷି ଅଧିକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Tags: #AgricultureOfficers #Protest #CaderRestructure #AgricultureDept #Odisha

Comment