ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶେଷ ହେଲା ମିଲେଟସ୍ ମହାକୁମ୍ଭ
  • ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉଦଯାପିତ
  • ସାରା ବିଶ୍ଵ ଦେଖିଲା ଓଡ଼ିଶାର ମିଲେଟସ୍‌ର ସଫଳତା କାହାଣୀ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପୁଷ୍ଟିଶସ୍ୟକୁ ମୁଖ୍ୟ ଧାରାରେ ସାମିଲ କରିବା ଦିଗରେ ଓଡ଼ିଶାର ଯୋଗଦାନକୁ ଉଚ୍ଚ ପ୍ରସଂଶା କରିଥିଲେ। ପୁଷ୍ଟିଶସ୍ୟକୁ ପ୍ରୋତ୍ସହନ ଦେବାରେ ଓଡ଼ିଶାର ଭୂମିକା ଅଗ୍ରଣୀ ବୋଲି ସେ କହିଥିଲେ।

“ମାଣ୍ଡିଆ ଆମ ଦେଶର ଏକ ପାରମ୍ପରିକ ଶସ୍ୟ। ଏଥିରେ ସୂକ୍ଷ୍ମ ପୋଷକ ତତ୍ତ୍ଵ ରହିଛି। ମିଳିତ ଜାତିସଂଘ ୨୦୨୩କୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ଭାବେ ଘୋଷଣା କରିଛି। ନୀତି ଆୟୋଗ ଏବଂ ଭାରତ ସରକାର ଓଡ଼ିଶା ମିଲେଟସ୍ ମିଶନକୁ ବିଭିନ୍ନ ରାଜ୍ୟରେ ପ୍ରୟୋଗ କରିବା ଲାଗି ଏକ ମଡେଲ ଭାବେ ବାଛିଛନ୍ତି। ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟସ୍ ମିଶନକୁ ଏପରି ଏକ ମଡେଲ ଭାବେ ଚିହ୍ନଟ କରିଛନ୍ତି, ଯାହାକୁ ପୂରା ଭାରତ, ଆଫ୍ରିକା ଏବଂ ଦକ୍ଷିଣ ମହାଦେଶରେ ପ୍ରୟୋଗ କରାଯାଇପାରିବ। ଏହି ଅନ୍ତର୍ଜାତୀୟ ସମ୍ମିଳନୀରୁ ବାହାରିଥିବା ନିଷ୍କର୍ସରୁ ପ୍ରସ୍ତୁତ ନୀତି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମିଲେଟସ୍‌ର ଭବିଷ୍ୟତ ପାଇଁ ବାଟ ଦେଖାଇବ”, କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

ରାଜ୍ୟପାଳ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀର ଭବ୍ୟ ଆୟୋଜନ ଲାଗି କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପ୍ରସଂଶା କରିଥିଲେ। ଏହା ସହ ଓଡ଼ିଶା ମିଲେଟସ୍‌ର ବହୁଳ ଉତ୍ପାଦନ ଏବଂ ପ୍ରଚାର ପ୍ରସାର ପାଇଁ ସହଯୋଗ କରୁଥିବା ଅଂଶୀଦାର ଏବଂ ସଂଗଠନଗୁଡ଼ିକୁ ସେ ଧନ୍ୟବାଦ ଜଣାଇଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମିଲେଟସ୍ ମହାକୁମ୍ଭର ଉଦଯାପନୀ ଉତ୍ସବରେ ଯୋଗଦେଇ ପୁଷ୍ଟିଶସ୍ୟ ମାଣ୍ଡିଆ କୃଷି କ୍ଷେତ୍ରର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି କହିଥିଲେ।

ସେ ଆହୁରି କହିଥିଲେ ଯେ, “ମିଲେଟସ୍‌ର ଉତ୍ପାଦନ, ଏହାର ପ୍ରକ୍ରିୟାକରଣ ଏବଂ ଲୋକଙ୍କ ଖାଦ୍ୟଥାଳି ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ଲାଗି ଓଡ଼ିଶା ମିଲେଟସ୍ ମିଶନର ପ୍ରୟାସ ପ୍ରଶଂସନୀୟ। ମିଲେଟସ୍ ଚାଷ କରୁଥିବା ଚାଷୀମାନଙ୍କର ଆୟବୃଦ୍ଧି ସହ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର ପାଲଟିଛି।”

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ପଛୁଆବର୍ଗ ଓ ସଂଖାଲଘୁ ଉନ୍ନୟନ ବିଭାଗ ଏବଂ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଇ ମାଣ୍ଡିଆର ପୌଷ୍ଟିକତା ସମ୍ପର୍କରେ ଲୋକଙ୍କୁ ସସେଚତନ କରିବାରେ ଓଡ଼ିଶା ମିଲେଟସ୍ ମିଶନ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା କହିଥିଲେ।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ଏହି ଅବସରରେ ଯୋଗଦେଇ କହିଥିଲେ ଯେ, “ଓଡ଼ିଶାରେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦିଆଯାଉଛି। ରାଜ୍ୟ ସରକାରଙ୍କ ଦିଗଦର୍ଶନରେ ଏବେ ପୁରାତନ ପୁଷ୍ଟିଶସ୍ୟ ମାଣ୍ଡିଆର ଚାଷ ଏବଂ ଏହା ବ୍ୟବହାରରକୁ ପ୍ରୋତ୍ସାହିତ କରାଯାଉଛି। ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ, ଫାଇବର ଏବଂ ଭିଟାମିନ ରହିଛି। ଏହା ପୋଷଣ ଯୋଗାଇବାରେ ବିଶେଷ ସହାୟକ ହେବ। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁଷ୍ଟିଶସ୍ୟକୁ ପୁନର୍ବାର ଚାଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୨୩ ମସିହାରେ ଆରମ୍ଭ କରିଥିଲେ ଓଡ଼ିଶା ମିଲେଟସ୍ ମିଶନ। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତା ଏବେ ଅନ୍ୟ ରାଜ୍ୟଗୁଡ଼ିକୁ ପ୍ରେରଣା ଯୋଗାଉଛି।”

ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରଚାର ପ୍ରସାର ଓ ଲୋକଙ୍କ ଖାଦ୍ୟ ଥାଳିରେ ଏହାକୁ ପହଞ୍ଚାଇବାରେ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହି ସମ୍ମିଳନୀ ମାଧ୍ୟମରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମିଲେଟସ୍‌ର ପ୍ରଚାର ପ୍ରସାର ଆହୁରି ବ୍ୟାପକ ହେବ ବୋଲି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ କହିଥିଲେ।

ଓଡ଼ିଶା ମିଲେଟସ୍ ମିଶନ ଭଳି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ସାରା ଭାରତ ବର୍ଷରେ ନେତୃତ୍ଵ ପ୍ରଦାନ କରୁଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଉଦଯାପନୀ ଉତ୍ସବରେ ଯୋଗଦେଇ କହିଥିଲେ, “ମିଲେଟସ୍‌କୁ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ। ଓଡ଼ିଶା ମିଲେଟସ୍‌ ମିଶନକୁ ମଡେଲ ଭାବେ ନିଆଯାଇଛି। ଏହାକୁ ଆଗକୁ ବ୍ୟାପକ କରିବା ଲାଗି ବ୍ୟବସ୍ଥା କରାଯିବ, ଯାହାଫଳରେ ମିଲେଟସ୍‌ର ଆଦ୍ରୁତି ଆହୁରି ବଢ଼ିବ।”

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ବହୁ ଚାଷୀ, ଏସଏସଜି ମହିଳା, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏମଏସଏମଇ, ଷ୍ଟାର୍ଟଅପ, ଏଫଏମସିଜି କମ୍ପାନିର ପ୍ରତିନିଧି, ବିଭିନ୍ନ ନାମୀଦାମୀ ସେଫ୍ ଓ ଏନଜିଓ ଯୋଗ ଦେବା ଫଳରେ ଏହା ସଫଳତାର ସହ ଶେଷ ହୋଇଛି। ଏହି ଅବସରରେ ମିଲେଟସ୍ ଉପରେ ହୋଇଥିବା ବିଭିନ୍ନ ଟେକ୍ନିକାଲ ସେସନ ହୋଇଥିଲା। ମିଲେଟସ୍‌ର ପ୍ରଚାର ପ୍ରସାର, ମାଣ୍ଡିଆ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ସମ୍ମିଳନୀରେ ମିଳିଥିବା ପରାମର୍ଶକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରାଯିବ। ଏହିଭଳି କାର୍ଯ୍ୟକ୍ରମ ବିଶ୍ଵସ୍ତରରେ ମିଲେଟସ୍‌ ପ୍ରଚାର ପ୍ରସାରକୁ ଆହୁରି ବ୍ୟାପକ କରିବ ବୋଲି ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।

ସଫଳତାର ସହ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଶେଷ ହୋଇଥିବା ଏହି ଉଦଯାପନୀ ସମାରୋହରେ ଯୋଗ ଦେଇ କହିଛନ୍ତି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ। ସେ ଆହୁରି କହିଛନ୍ତି ଯେ, ସମ୍ମିନଳୀରେ ୩୪ରୁ ଅଧିକ ସେସନ୍ସ ଆୟୋଜିତ ହୋଇଥିଲା। ବିଭିନ୍ନ ଦେଶରୁ ରାଷ୍ଟ୍ରଦୂତ, ପ୍ରତିନିଧି, ରାଜ୍ୟର ଅଧିକାରୀ, ବିଭିନ୍ସ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ହୋଟେଲ ଏବଂ ରେସ୍ତୋରାଁ ସାମିଲ ହୋଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ମିଶନ ଶକ୍ତିର ମା’ ଓ ଚାଷୀ ଏଥିରେ ସାମିଲ ହୋଇଥିଲେ।

ଫିକିର ସଭାପତି ଶୁଭ୍ରକାନ୍ତ ପଣ୍ଡା ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ଦେଶ ବିଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ।

ଏହି ଅବସରରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ରାଜ୍ୟ ସରକାରଙ୍କ ମୁଖ୍ୟପତ୍ର ‘ଓଡ଼ିଶା ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସ୍ଵତନ୍ତ୍ର ସଂସ୍କରଣକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଏହା ସହ ରିପୋର୍ଟସ ଅନ୍ ମିଲେଟ ଆଣ୍ଡ ଏସଡିଜିକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Tags: #InternationalConventionofMillets2023 #Bhubaneswar #MandiaDivas #MilletsMission #OdishaMillets #MilletsDay #Odisha

Comment