ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପାଳନ କରୁଛି ନିଜର ୭୬ତମ ପ୍ରତିଷ୍ଠା ଦିବସ। ଏହି ସମୟ ମଧ୍ୟରେ ସହରର ରୂପ ଆଜି ସମ୍ପୂର୍ଣ୍ଣ ବଦଳି ଯାଇଛି। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ଵର ଆଜି ସ୍ମାର୍ଟ ସିଟି ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ କେମିତି ଗଠନ ହୋଇଥିଲା ଭୁବନେଶ୍ଵର ସହର ଏବଂ କିପରି ବିକଶିତ ହୋଇଥିଲା ଏଠାରେ ହୋଟେଲ ବ୍ୟବସାୟ ଓ ଖାଦ୍ୟ ସଂସ୍କୃତି, ଆସନ୍ତୁ ଜାଣିବା।    

କିଛି ଦିନ ପୂର୍ବେ ଭୁବନେଶ୍ଵରରେ ‘ଷ୍ଟୋରିଜ ଅଫ ସିଟି ଆଣ୍ଡ ଇଟ୍ସ ଫୁଡ’ ନାମରେ ଏକ ଟକ୍ ଶୋ ଆୟୋଜିତ ହୋଇଥିଲା। ବକୁଳ ଫାଉଣ୍ଡେସନ ତରଫରୁ ‘ଏକାମ୍ର ଟକିଜ୍’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହର ଓ ଏଠାକାର ଖାଦ୍ୟ ସଂସ୍କୃତି ତଥା ହୋଟେଲ ବ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ ଡାଲମା ରେସ୍ତୋରାଁ ଚେନର ପ୍ରତିଷ୍ଠାତା ତଥା କ୍ରାଉନ ହୋଟେଲର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ।        

“ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ପ୍ରଥମେ ବିଚାରକୁ ନିଆଯାଇନଥିଲା। ତେବେ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାପରେ ଏହାକୁ ରାଜଧାନୀ ସହର ଭାବେ ଗଢ଼ିତୋଳିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଏହା ଓଡ଼ିଶାର ରାଜଧାନୀ ମାନ୍ୟତା ପାଇଲା। ତେବେ ଭାରତର ବିଭିନ୍ନ ସ୍ଥାନରୁ ଆର୍କିଟେକ୍ଟମାନଙ୍କୁ ଭୁବନେଶ୍ଵରର ଟାଉନ ପ୍ଲାନିଂ କରିବାକୁ ଦାୟିତ୍ଵ ଦିଆଯାଇଥିଲା। ପରେ ଧୀରେ ଧୀରେ ସହର ବଢ଼ିବା ସହ ଏଠାରେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବସବାସ କରିବାକୁ ଲାଗିଲେ”, କହିଥିଲେ ଦେବାଶିଷ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଥିଲେ, “ଭୁବନେଶ୍ଵର ସହରରେ ଲୋକସଂଖ୍ୟା ବୃଦ୍ଧି ହେବ ସହ ଏଠାରେ ଖାଦ୍ୟପେୟର ଆସର ଜମିବାକୁ ଲାଗିଲା। ଓଡ଼ିଶା ଏବଂ ରାଜ୍ୟ ବାହାରୁ ଆସିଥିବା ଅନେକ ଲୋକ ଏଠାରେ ହୋଟେଲ କାରବାର ଆରମ୍ଭ କରିଥିଲେ। ଦେଖୁ ଦେଖୁ ସାଉଥ ଇଣ୍ଡିଆନ, ଚାଇନିଜ, କଣ୍ଟିନେଣ୍ଟାଲ ଖାଦ୍ୟର ହୋଟେଲ ସବୁ ସହରରେ ଖୋଲିବାକୁ ଲାଗିଲା। ଏହା ଏତେ ଲୋକପ୍ରିୟ ହେଲା ଯେ, ହୋଟେଲ ଥିବା ସ୍ଥାନର ନାମକରଣ ହୋଟେଲ ନାଁରେ ହେବାକୁ ଲାଗିଲା। ଉଦାହରଣ ସ୍ୱରୂପ ଆଜିର ରାଜମହଲ, ମାଷ୍ଟରକ୍ୟାଣ୍ଟିନ ଓ ରୂପାଲି ଛକର ନାଁ ସେଠାରେ ଥିବା ହୋଟେଲ ନାଁରେ ହୋଇଥିଲା।”

୮୦ ଦଶକ ବେଳକୁ ଭୁବନେଶ୍ଵରରେ ଜନସଂଖ୍ୟା ବୃଦ୍ଧିର ସମସ୍ୟା ଦେଖାଦେବା ଆରମ୍ଭ ହେଲା। ଏହାର ମୁକାବିଲା ପାଇଁ ସହର ସୀମାକୁ ଆହୁରି ବର୍ଦ୍ଧିତ କରିବା ପାଇଁ ଯୋଜନା କରାଗଲା। ୮ରୁ ୧୦ ବର୍ଷ ତଳେ ଭୁବନେଶ୍ଵରରେ ଲୋକସଂଖ୍ୟାଠାରୁ ଗାଡ଼ି ରେଜିଷ୍ଟ୍ରେସନ ସଂଖ୍ୟା ବଢ଼ିଗଲା। ଏବେ ମଧ୍ୟ କ୍ରମବର୍ଦ୍ଧିତ ଜନସଂଖ୍ୟାର ଚାପ ସହର ଉପରେ ପଡ଼ୁଛି ବୋଲି ଦେବାଶିଷ ପଟ୍ଟନାୟକ ଉଲ୍ଲେଖ କରିଥିଲେ।

ସେ ଆହୁରି କହିଥିଲେ, “ଭୁବନେଶ୍ୱରରେ ଲୋକସଂଖ୍ୟାକୁ ତାଳ ଦେଇ ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ମଧ୍ୟ ଖୋଲୁଥିଲା। ସହରରେ ଓଡ଼ିଆ ଖାଦ୍ୟ ମିଳୁଥିଲା ସତ ହେଲେ ଓଡ଼ିଆ ଖାଦ୍ୟ ପାଇଁ ସେମିତି କିଛି ସ୍ଵତନ୍ତ୍ର ରେସ୍ତୋରାଁ ଗୋଟେ ହେଲେ ବି ନଥିଲା। ଆମେ ସେତେବେଳେ ‘ଡାଲମା’ ନାମରେ ପ୍ରଥମ ଓଡ଼ିଆ ଖାଦ୍ୟର ରେସ୍ତୋରାଁ ଆରମ୍ଭ କରିଥିଲୁ। ଏହା ଆଜି ବହୁତ ଲୋକପ୍ରିୟ ହୋଇପାରିଛି।”

Tags: #Bhubaneswar #FoundationDay #FoodCulture #Hotels #Odisha

Comment