ସଙ୍ଗୀତା ମାନସିଂହ

“ବିଶ୍ୱ ଦକ୍ଷତା କେନ୍ଦ୍ର କେବଳ ଆମମାନଙ୍କର ଦକ୍ଷତା ବୃଦ୍ଧି କରୁନାହିଁ, ବରଂ ଆମ ଭିତରେ ଆତ୍ମବିଶ୍ଵାସ ଭରି ଆଗୁକୁ ବଢ଼ିବାକୁ ପ୍ରସ୍ତୁତ କରୁଛି”, ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ଏହିଭଳି କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ।

ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଥିବା ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ୨୦୨୩-୨୪ ବର୍ଷ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ‘ଓଡ଼ିଶା ସ୍କିଲ୍ସ’ର ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ଦକ୍ଷତା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର କେତେକ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ବିକାଶ ଯାତ୍ରାର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ। ବିଶେଷକରି ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର କିଭଳି ସେମାନଙ୍କ ସ୍ୱପ୍ନ ଓ ଜୀବନକୁ ଏକ ନୂଆ ରୂପ ଦେଇଛି ସେ ବିଷୟରେ କହିଥିଲେ।

“ଆଇଟିଆଇ ସରିବା ପରେ କ’ଣ କରିବି ଭାବୁଥିଲି। ଏହି ସମୟରେ ଭୁବନେଶ୍ଵରଠାରେ ଥିବା ଓ୍ଵାର୍ଲ୍ଡ ସ୍କିଲ ସେଣ୍ଟର ସମ୍ପର୍କରେ ଜାଣିବାକୁ ପାଇଲି। ସେଠାରେ ପାଠପଢ଼ିବାକୁ ଘରେ କହିଲି। ହେଲେ ଭୁବନେଶ୍ଵରରେ ପାଠପଢ଼ିବାକୁ ସମର୍ଥ ନଥିବା ମା’ କହିଥିଲେ। ଘରେ ଯେତେବେଳେ ଜାଣିଲେ ରାଜ୍ୟ ସରକାର ଓ୍ଵାର୍ଲ୍ଡ ସ୍କିଲ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ରହିବା, ଖାଇବା, ପୋଷାକ ଏବଂ ଯାତାୟତ ସୁବିଧା କରୁଛନ୍ତି, ତା’ପରେ ମୁଁ ଏଠାରେ ପ୍ରଶିକ୍ଷଣ ନେବାକୁ ଆସିଲି”, କୁହନ୍ତି ଓ୍ଵାର୍ଲ୍ଡ ସ୍କିଲ ସେଣ୍ଟରର ଛାତ୍ର ପ୍ରିୟବ୍ରତ ଓଝା।

ପ୍ରିୟବ୍ରତ ଆହୁରି କହିଥିଲେ, କେନ୍ଦୁଝର ଜିଲ୍ଲା ବାଲିପାଳ ଗାଁରୁ ଆସି ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଶ୍ଵସ୍ତରୀୟ ତାଲିମ ନେବି ବୋଲି କେବେ କଳ୍ପନା କରିନଥିଲି। କେବଳ କୌଶଳ ନୁହେଁ ଆତ୍ମବିଶ୍ଵାସ ବୃଦ୍ଧି କରି ଆଗକୁ ବଢ଼ିବା ପାଇଁ ବିଶ୍ଵ ଦକ୍ଷତା କେନ୍ଦ୍ର ମୋ ପାଇଁ ବଡ଼ ପ୍ଲାଟଫର୍ମ ପାଲଛି।

ସେହିପରି ଆଉ ଜଣେ ଛାତ୍ରୀ ସୁଲତା ଦିଗାଲ କହିଛନ୍ତି, “ମୁଁ ପ୍ରଥମ ଥର ଲାଗି କନ୍ଧମାଳ ଜିଲ୍ଲାରୁ ବାହାରି ଭୁବନେଶ୍ଵରକୁ ଆସିଛି। ଯେତେବେବେଳ ମୁଁ ପ୍ରଥମେ ଓ୍ଵାର୍ଡ ସ୍କିଲ ସେଣ୍ଟର ବିଲ୍ଡିଂକୁ ଦେଖିଲି ବିଶ୍ଵାସ କରିପାରିଲିନି, ମୋତେ ସବୁ ସ୍ଵପ୍ନ ଭଳି ଲାଗିଲା। କାରଣ ଏତେ ବଡ଼ ବିଲ୍ଡିଂ ମୁଁ କେବଳ ସିନେମାରେ ଦେଖିଥିଲି।”

ସୁଲତାଙ୍କ ପରିବାର ଆର୍ଥିକ ଭାବେ ଏତେ ସ୍ଵଚ୍ଛଳ ନୁହନ୍ତି। କିନ୍ତୁ ଆତ୍ମନିର୍ଭରଶୀଳ ହୋଇ ପରିବାରର ଅର୍ଥାଭାବକୁ ଦୂର କରିବାକୁ ଚାହୁଁଥିଲେ ସୁଲତା। ବଡ଼ ଜାଗାକୁ ଯାଇ ପାଠପଢ଼ିବା ବା ପ୍ରଶିକ୍ଷଣ ନେବା ତାଙ୍କ ପାଇଁ ସମ୍ଭବ ନଥିଲା। ମା’ ଜଣେ ଏସଏସଜି ସଦସ୍ୟା ହୋଇଥିବାରୁ ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଉଟି ଓ୍ଵେଲନେସ ଆଣ୍ଡ ସ୍ପାରେ ପ୍ରଶିକ୍ଷଣ ନେବାକୁ ସେ ସୁଯୋଗ ପାଇଥିଲେ।  

ସୁଲତା କହିଛନ୍ତି, “ଯେତେବେଳେ ମୁଁ ଏଠାକୁ ପ୍ରଶିକ୍ଷଣ ନେବାକୁ ଆସିଲି, ଅନ୍ୟ ଛାତ୍ରୀମାନଙ୍କୁ ଦେଖି ସେମାନଙ୍କ ସହ ମିଶିବାକୁ କିମ୍ବା କଥା ହେବାକୁ ନିଜକୁ ସହଜ କରିପାରୁ ନଥିଲି। କିନ୍ତୁ ଏଠାକୁ ଆସିବା ପରେ ମୋ ଆତ୍ମବିଶ୍ଵାସ ବଢ଼ିଛି। ହଜାର ହଜାର ଲୋକଙ୍କ ଆଗରେ କଥା କହିବାର ଦମ୍ଭ ମୋ ଭିତରେ ଭରିଯାଇଛି।”

ବିଶ୍ଵ ଦକ୍ଷତା କେନ୍ଦ୍ରରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ବିଭାଗରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ମଧୁସ୍ମିତା ମହାରଣା କୁହନ୍ତି, “ମୋ ବାପା ଜଣେ କୃଷକ। ମୁଁ କେବେ ଭାବିନଥିଲି ମୋ କ୍ୟାରିୟରର ସ୍ୱପ୍ନ ପୂରା କରିବାକୁ ବିଦେଶ ଯିବି। ଆଜି ବିଶ୍ଵ ଦକ୍ଷତା କେନ୍ଦ୍ର ପାଇଁ ମୋତେ ସେ ସୁଯୋଗ ମିଳିଛି, ନୂଆ ପରିଚୟ ମିଳିଛି। ସିଙ୍ଗାପୁର ଯାଇ ଇଣ୍ଟର୍ଣ୍ଣସିପ କରିବାକୁ ମୁଁ ଯୋଗ୍ୟ ହୋଇପାରିଛି।”

ସେହିପରି ବିଶ୍ଵ ଦକ୍ଷତା କେନ୍ଦ୍ରର ଆଉ ଜଣେ ଛାତ୍ର ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ବିଜୟ ଭଦ୍ର। ପିଲାଟି ବେଳରୁ ବାପା ମା’ଙ୍କୁ ହରାଇବା ପରେ ବିଜୟ ପୁରୀର ଏକ ଆଶ୍ରମରେ ବଢ଼ିଥିଲେ। ସେଠାରେ ସ୍କୁଲ ପଢ଼ା ସରିବା ପରେ ଯୁକ୍ତ ୨ ପଢ଼ିବା ପାଇଁ ଭୁବନେଶ୍ଵର ଆସିଥିଲେ। ପରେ ହେୟାର ଡିଜାଇନିଂରେ କ୍ୟାରିୟର କରିବାକୁ ଇଛା ପ୍ରକାଶ କରିଥିଲେ, କିନ୍ତୁ ନିଜ ସ୍ୱପ୍ନ ପୂରା କରିବାକୁ ତାଙ୍କ ପାଖରେ ଅର୍ଥ ନଥିଲା।

“ଦିନେ ଆଶ୍ରମର ଜଣେ ଦିଦି ବିଶ୍ଵ ଦକ୍ଷତା କେନ୍ଦ୍ର ବିଷୟରେ ମତେ କହିଥିଲେ। ଏଠାରେ ମୋଭଳି ପିଲାମାନଙ୍କର  ସ୍ଵପ୍ନ ପୂରା ହେବାର ସୁଯୋଗ ଥିବା ଜାଣି ବହୁତ ଖୁସି ହେଲି। ଏଠାରେ ପ୍ରଶିକ୍ଷଣ ନେବାକୁ ଆବେଦନ କରିବା ପରେ ମୋତେ ସୁଯୋଗ ମିଳିଳା। ଏବେ ମୋତେ ବିଶ୍ଵ ସ୍ତରୀୟ ପ୍ରଶିକ୍ଷଣ ମିଳିପାରୁଛି। ଜଣେ ସଫଳ ହେୟାର ଡିଜାଇନର ହେବାକୁ ମୋର ଲକ୍ଷ୍ୟ ରହିଛି। ବିଶ୍ଵ ଦକ୍ଷତା କେନ୍ଦ୍ର ମୋ ଦକ୍ଷତା ବଢ଼ାଇବା ସହ ମୋ ଆତ୍ମବିଶ୍ଵକୁ ବଢ଼ାଇଦେଇଛି।”

“ମୁଁ ଆଇଟିଆଇ ପଢ଼ିବାବେଳେ ବିଶ୍ଵ ଦକ୍ଷତା କେନ୍ଦ୍ର ବିଷୟରେ ଜାଣିବାକୁ ପାଇଥିଲି। ଏଠାରେ ପ୍ରଶିକ୍ଷଣ ନେବା ପାଇଁ ଆବେଦନ କରିଥିଲି। ଏଠାରେ ମୁଁ ବିଶ୍ଵସ୍ତରୀୟ ପ୍ରଶିକ୍ଷଣର ସୁବିଧା ପାଇପାରୁଛି। ବିଶ୍ଵ ଦକ୍ଷତା କେନ୍ଦ୍ର ମୋ କ୍ୟାରିୟର ସ୍ଵପ୍ନ ପୂରଣ କରିଛି। କେବଳ ସେତିକି ନୁହେଁ ଏଠାକୁ ଆସିବା ପରେ ଆତ୍ମବିଶ୍ଵାସ ବଢ଼ିବା ସହ  ମୋ ବ୍ୟକ୍ତିତ୍ଵ ମଧ୍ୟ ବୃଦ୍ଧି ପାଇଛି। ମୁଁ ଆଜି ସେତିକି ଦକ୍ଷ ହୋଇପାରିଛି ଯେ, ଆତ୍ମବିଶ୍ଵାସର ସହ ଇଂରାଜୀରେ କଥା ହେବାକୁ ଆଗଭଳି କଣ୍ଠା ପ୍ରକାଶ କରୁନି”, କୁହନ୍ତି ଛାତ୍ରୀ ଆର ଭବାନୀ।

ଯୁବପିଢ଼ିଙ୍କ କ୍ୟାରିୟରର ସ୍ଵପ୍ନକୁ ପୂରଣ କରିବାରେ ଏକ ବଡ଼ ପ୍ଲାଟଫର୍ମ ପାଲଟିଛି ବିଶ୍ଵ ଦକ୍ଷତା କେନ୍ଦ୍ର। ବିଶ୍ଵସ୍ତରୀୟ ପ୍ରଶିକ୍ଷଣ ସହ ଦେଶ ବିଦେଶରେ ଚାକିରି କରିବାର ସୁଯୋଗ ପାଇପାରୁଛନ୍ତି ଛାତ୍ରଛାତ୍ରୀ।

Tags: #WorldSkillCenter #WSC #Career #Odisha #Bhubaneswar

Comment