ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସମାବେଶ। ଗୁରୁବାର ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ବାଲ୍ୟ ବିବାହ ବିରୋଧରେ ଜନ ସଚେତନତା ପାଇଁ ନବରଙ୍ଗପୁର ଜିଲ୍ଲାର ସରିତା ଗରଡ଼ା ଓ କନ୍ଧମାଳ ଜିଲ୍ଲାର ଶରତ ଘିବଲା ପୁରସ୍କୃତ ହୋଇଛନ୍ତି।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ମହିଳା ଓ କିଶୋର କିଶୋରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଉଭୟ ସରିତା ଗରଡ଼ା ଓ ଶରତ ଘିବଲା ନିଜ ନିଜ ଜିଲ୍ଲାରେ ବାଲ୍ୟ ବିବାହ ବିରୋଧରେ ବ୍ୟାପକ ଜନ ସଚେତନତା କରି ବେଶ୍ ପ୍ରଶଂସିତ ହୋଇଛନ୍ତି। ସେମାନେ ଲୋକମାନଙ୍କ ସମ୍ମୁଖରେ ବାଲ୍ୟ ବିବାହର ଖରାପ ପ୍ରଭାବ ବିଷୟରେ ବର୍ଣ୍ଣନା କରିବା ସହ କିଶୋର କିଶୋରୀଙ୍କ ଜୀବନକୁ ଏହା କିପରି ପ୍ରଭାବିତ କରୁଛି ସେ ବିଷୟରେ ଉପସ୍ଥାପନା କରି ସଚେତନ କରାଇପାରୁଛନ୍ତି।

ଛୋଟ ବୟସ ହୋଇଥିଲେ ମଧ୍ୟ ବାଲ୍ୟ ବିବାହ ଭଳି କୁପ୍ରଥା ବିରୋଧରେ ସେମାନଙ୍କ ଅଭିଯାନ ଜିଲ୍ଲା ପ୍ରଶାସନ ଓ ଅନ୍ୟ ସଂସ୍ଥାଗୁଡ଼ିକ ପାଇଁ ବହୁତ ସହାୟକ ହେଉଛି। ଏଥିଲାଗି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି।

“ମହିଳାମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିଛି। ଆଜି ରାଜ୍ୟର ୩୦ ଜିଲ୍ଲା ପରିଷଦ ମଧ୍ୟରୁ ୨୦ଟିରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତ ଓ ପୌର ସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି। ରାଜନୀତି ସହ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅର୍ଥନୀତି ଭଳି ସବୁ କ୍ଷେତ୍ରରେ ଆଜି ଓଡ଼ିଶାର ମହିଳାମାନେ ଅଗ୍ରଣୀ ଭୂମିକା ବହନ କରୁଛନ୍ତି। ମହିଳାମାନେ ସଶକ୍ତ ହେଲେ ଏହା ଶିଶୁମାନଙ୍କ ସୁରକ୍ଷା ଓ ବିକାଶକୁ ଆହୁରି ବଳ ଯୋଗାଇବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଝାରସୁଗୁଡ଼ାର ଜିଲ୍ଲା ସାମାଜିକ ବିକାଶ ଅଧିକାରୀ ପୁଣ୍ୟବତୀ ହେଲନସ୍କେ, ମୟୂରଭଞ୍ଜର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଜୋତ୍ସ୍ନା ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ନଳିନୀପ୍ରଭା ଦାସ, ସୁନ୍ଦରଗଡ଼ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ସୁକାନ୍ତି ପାତ୍ର, ଗଜପତି ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ସୁନୀତା ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଏଠାରେ ଆଶୀର୍ବାଦ, ବିଜୁ କନ୍ୟାରତ୍ନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଓ ଅଦ୍ୱିକା ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଆଇସିଡିଏସର ନିର୍ଦ୍ଦେଶିକା ମନିଷା ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ।  

Tags: #InternationalWomen’sDay #WomenandChildDevelopment #ChildMarriage #Bhubaneswar #Odisha

LEAVE A REPLY

Please enter your comment!
Please enter your name here