ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଜନତା ମଇଦାନଠାରେ ଗୁରୁବାର ଦିନଠାରୁ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆରମ୍ଭ ହୋଇଛି। ଗଛ ଚାରାରେ ପାଣି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଅନ୍ତର୍ଜାଦୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆରମ୍ଭ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ। ମୋ ସରକାର ମିଲେଟସ୍ ଚାଷ ପାଇଁ ୨,୫୦୦ କୋଟି ଟଙ୍କା ବିନିଯୋଗ କରୁଛି। ବହୁ ପୂର୍ବରୁ ମିଲେଟସ୍‌ ଆମ ଖାଦ୍ୟର ଏକ ଅଂଶ ବିଶେଷ ହୋଇ ରହିଆସିଛି। ବିଶେଷ କରି ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଚାଷୀମାନେ ଏହାକୁ ବଞ୍ଚେଇ ରଖିଛନ୍ତି, ଯାହା ବର୍ତ୍ତମାନର ପିଢ଼ି ପାଖରେ ଆଜି ପହଞ୍ଚି ପାରୁଛି। ଏହାକୁ ସମଗ୍ର ବିଶ୍ଵରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପୁଷ୍ଟିଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ୨୦୧୭ ମସିହାରେ ଓଡ଼ିଶା ମିଲେଟସ ମିଶନର ଶୁଭାରମ୍ଭ କରାଯାଇଥିଲା। ଏହି ମିଶାନ ମାଧ୍ୟମରେ ପୁଷ୍ଟିକର ଶସ୍ୟକୁ ବର୍ତ୍ତମାନର ଖାଦ୍ୟ ପ୍ରଣାଳୀରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି। ମିଲେଟସ୍ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ। ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହେଉଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଏହାକୁ ସହଜର କରିବାକୁ ସକ୍ଷମ ହୋଇଥାନ୍ତି। ମିଲେଟ୍‌ ଚାଷରେ ସ୍ଵଳ୍ପ ପାଣି ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ୍ନ କମ୍ ରହୁଥିବାରୁ ଏହା ପରିବେଶ ଅନୁକୂଳ ବୋଲି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ କହିଥିଲେ।

୨୦୨୩ ମସିହାକୁ ଅନ୍ତର୍ଜାତୀୟ ପୁଷ୍ଟିଶାସ୍ୟ ବର୍ଷ ଭାବେ ଘୋଷଣା କରି ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନ ବିଶ୍ଵସ୍ତରରେ ଏହି ଶସ୍ୟପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏଥିଲାଗି ଜାତିସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ।

ଓଡ଼ିଶା ନଭେମ୍ବର ୧୦ ତାରିଖକୁ ପାଳନ କରୁଛି ମାଣ୍ଡିଆ ଦିବସ। ଏହି ପୁଷ୍ଟିଶସ୍ୟର ପୁନରୁଦ୍ଧାର କରିବା ସହ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାର କାମ କରୁଛନ୍ତି। ପ୍ରତ୍ୟେକ ଲୋକଙ୍କ ଖାଇବା ଥାଳିରେ ମିଲେଟସ ଭଳି ସର୍ବୋତ୍ତମ ଖାଦ୍ୟକୁ ସ୍ଥାନ ଦେବାକୁ ଉଦ୍ୟମ ଚାଲିଛି। ମିଲେଟସ୍ ଏବଂ ମିଲେଟସ୍ ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ମିଲେଟ ଚାଷ, ପ୍ରକ୍ରିୟାକରଣରେ ଚାଷୀମାନଙ୍କର ସମ୍ପୃକ୍ତି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମିଲେଟ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ।

ଏଥିରେ ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭେଲପମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାର୍ମା ଦାଦା, ଗ୍ରାମୀ ପୁରସ୍କାର ବିଜେତା ରିକି କେଜ, ଖ୍ୟାତନାମା ସେଫ ବିକାଶ ଖାନା ପ୍ରମୁଖ ଯୋଗ ଦେବେ।

Tags: #InternationalConventionofMillets2023 #CMNaveenPatnaik #Bhubaneswar #MandiaDivas #MilletsMission #OdishaMillets #MilletsDay #Odisha

LEAVE A REPLY

Please enter your comment!
Please enter your name here