ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ଫୋକସରେ ରହିଛି ଚାଷୀଙ୍କ ବିକାଶ। ସେଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ, ଫସଲ ବିବିଧିକରଣ ଓ ବଜାର ସଂଯୋଗକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

ଚାଷୀ ଓ କୃଷି ଉଦ୍ୟୋଗୀମାନଙ୍କୁ ନୂଆ ସମ୍ଭାବନା ଆଣିଦେଇଛି ‘କୃଷି ଓଡ଼ିଶା – ୨୦୨୧’। ନୂଆ ଜ୍ଞାନ କୌଶଳ, ନୂଆ କୃଷି ଯନ୍ତ୍ରପାତି, ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୃଷି, ଏସବୁ ଉପରେ ସଚେତନ କରିବା ପାଇଁ ଗୋଟିଏ ଭଲ ଅବସର ଆଣିଦେଇଥିଲା ଏହି କୃଷି ମହାକୁମ୍ଭ। ଏହି ଅବସରରେ ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଜ୍ଞାନୀ, କୃଷି ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥାଙ୍କୁ ନେଇ ଚାଷର ବିଭିନ୍ନ ବିଷୟ ଉପରେ ପାଠଶାଳା ସବୁ ଆୟୋଜନ ହୋଇଥିଲା। କୃଷି ଓଡ଼ିଶା-୨୦୨୧ର ଜ୍ଞାନ କୌଶଳ ଚାଷୀମାନଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବ। କୃଷିକ୍ଷେତ୍ରରେ ଚାଷୀଙ୍କ ବିକାଶ ଉପରେ ହିଁ ସରକାରଙ୍କ ଫୋକସ ରହିଥିବା, କହିଛନ୍ତି ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

ଚାଷୀମାନଙ୍କର ସାମଗ୍ରିକ ବିକାଶ ପାଇଁ ତିନୋଟି ଦିଗ ଉପରେ ବେଶି ଫୋକସ୍ କରୁଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ। ସେହି ତିନୋଟି ହେଲା-

  • ଅତ୍ୟାଧୁନିକ ଜ୍ଞାନକୌଶଳ
  • ଫସଲର ବିବିଧକରଣ
  • ବଜାର ସଂଯୋଗକୁ ଗୁରୁତ୍ୱ

ଚାଷୀମାନଙ୍କ ସୁବିଧା ପାଇଁ ‘ଆମ କୃଷି’ ଆପ୍ କରାଯାଇଛି। ଏହି ଆପ୍ ମାଧ୍ୟମରେ ୧୨ଲକ୍ଷ ଚାଷୀ ଯୋଡ଼ି ହୋଇପାରିଛନ୍ତି। ଫୋନରେ ସପ୍ତାହକୁ ଦୁଇଥର ସେମାନଙ୍କୁ ଚାଷ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି। ଭଲ ବିହନ ଯୋଗାଇ ଦେବାପାଇଁ ସବୁ କ୍ଷେତ୍ରରେ ପ୍ରୟାସ କରାଯାଉଛି। ଭିନ୍ନ ଭିନ୍ନ ପ୍ରକାରର ଚାଷକରି ଆୟ ବୃଦ୍ଧି କରିବା ହେଉଛି ମୁଖ୍ୟ ଲକ୍ଷ୍ୟ।

ଚାଷୀମାନେ ଯେଉଁସବୁ ସାମଗ୍ରୀ ଉତ୍ପାଦନ କରୁଛନ୍ତି, ତାକୁ କିଭଳି ସୁବିଧା ଓ ସହଜରେ ବଜାରକୁ ନେଇ ବିକ୍ରୀ କରିପାରିବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ଯଥା କାଳିଆ ଯୋଜନା, ଋଣ ପାଇଁ ବଳରାମ ଯୋଜନା କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହାସହ କୃଷି ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ମାସର ତାଲିମ ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନେ ଚାଷ କ୍ଷେତ୍ରକୁ ଯାଇ ଚାଷୀମାନଙ୍କ ସହ ଯୋଡ଼ି ହୋଇ ଚାଷ ବିଷୟରେ ଜାଣିପାରିବେ ଏବଂ ଚାଷୀମାନେ ସେମାନଙ୍କଠାରୁ ଆଧୁନିକ ଜ୍ଞାନକୌଶଳ ବିଷୟରେ ମଧ୍ୟ ଜାଣିପାରିବେ, କହିଛନ୍ତି ଡକ୍ଟର ସୌରଭ ଗର୍ଗ।

ସମନ୍ୱିତ ଚାଷ

ଏବେ ରାଜ୍ୟରେ ସମନ୍ୱିତ ଚାଷକୁ ବେଶି ଗୁରୁତ୍ୱ ଦିଆଯାଉଛି। ସାଧାରଣତଃ ଖରିଫ ଋତୁ ଓ ରବି ଋତୁରେ ଚାଷୀମାନେ ଗୋଟିଏ ପ୍ରକାରର ଫସଲ କରିଥାନ୍ତି । ତେଣୁ ସେମାନେ ଏବେ ଗୋଟିଏ ପ୍ରକାର ଫସଲ ନକରି ଭିନ୍ନ ଭିନ୍ନ ଚାଷ ଉପରେ ଗୁରୁତ୍ୱ ଦେବାପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି । ଫସଲ କାର୍ଯ୍ୟ ସହ ମାଛ ଚାଷ, ଗୋପାଳନ, କୁକଡ଼ା ପାଳନ ଇତ୍ୟାଦି ଉପରେ ଧ୍ୟାନ ଦେଲେ, ଗୋଟେ ଚାଷୀର ବାର୍ଷିକ ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ । ଏଥସହ ଓଡ଼ିଶାର ଆର୍ଥିକ ସ୍ଥିତି ମଧ୍ୟ ସବଳ ହେବ।

ମିଲେଟ ମିଶନ୍‌

ଓଡ଼ିଶାର ମିଲେଟ୍ ମିଶନକୁ ସବୁ ଦିଗରୁ ପ୍ରଶଂସା ମିଳିଛି। ନିକଟରେ ନୀତି ଆୟୋଗ ପକ୍ଷରୁ ପ୍ରଶଂସା କରାଯାଇଛି। ଓଡ଼ିଶାର ମିଲେଟ ମିଶନ ସାରା ଦେଇ ପାଇଁ ପାଲଟିଛି ରୋଲ ମଡେଲ। ୧୪ ଜିଲ୍ଲାର ୭୦ ବ୍ଲକରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରାଯାଇଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ମାଣ୍ଡିଆ ଲଡ଼ୁ ଦିଆଯାଉଛି। ଆଗାମୀ ଦିନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍କୁଲ ପିଲାମାନଙ୍କୁ ଦିଆଯିବାର ପ୍ରସ୍ତୁତି ଚାଲିଛି । ପିଡିଏସ ଚାଉଳରୁ କିଛି କମ୍ କରାଯାଇ ୧କେଜି ମାଣ୍ଡିଆ ଦିଆଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ପୋଷଣ ଉପରେ ଅଧିକ ଫୋକସ କରି ଜୈବିକ ଉପାୟରେ ମାଣ୍ଡିଆ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି। ଏହାର ବିକ୍ରୀ ପାଇଁ ବ୍ରାଣ୍ଡିଂ ବ୍ୟବସ୍ଥା କରାଯାଉଛି। ମିଶନ ଶକ୍ତିର ମହିଳା ଗୋଷ୍ଠୀମାନେ ଏହାକୁ ଭଲ ଭାବରେ ପ୍ୟାକିଂ କରି ବଜାରରେ ବିକ୍ରୀ କରିବା ଦ୍ୱାରା, ସେମାନଙ୍କର ଆୟ ବୃଦ୍ଧି ପାଇବ। ଏଭଳି କରିବା ଦ୍ୱାରା ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ।

କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଖେଳପଡ଼ିଆରେ ଚାଲିଛି। ଚଳିତ ବର୍ଷର ଥିମ ରହିଛି, ‘ସମନ୍ୱିତ ଚାଷ- ଚାଷୀର ବିକାଶ’। କୃଷି ଓଡ଼ିଶାର ଦ୍ୱିତୀୟ ଦିନରୁ ଆରମ୍ଭ ହୋଇଯାଇଛି ‘ପାଠଶାଳା’ କାର୍ଯ୍ୟକ୍ରମ। ଏହି ମହୋତ୍ସବର ୧୦ରୁ ୧୨ଟି ସେମିନାର ହେବାର କାର୍ଯ୍ୟକ୍ରମ ରହିଛି।

Comment