ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଚାଲିଛି କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’। ଏହି ବିଶାଳ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛି ‘ପାଠଶାଳା’। ପ୍ରତ୍ୟେକ ଦିନ ଆୟୋଜିତ ହେଉଛି ଏହି ପାଠଶାଳା। ଚାଷୀ, କୃଷି ଉଦ୍ୟୋଗୀ, କୃଷୀ ବିଜ୍ଞାନୀ, କୃଷି ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥା ଏଥିରେ ସାମିଲ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି କୃଷି ବିଶେଷଜ୍ଞ।

କୃଷି ମହାକୁମ୍ଭର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଥମ ପାଠଶାଳା ଆୟୋଜିତ ହୋଇଥିଲା। ଏହାର ବିଷୟ ଥିଲା ‘କୃଷକ ଉତ୍ପାଦନକାରୀ ଗୋଷ୍ଠୀ – କୃଷକ ସଶକ୍ତିକରଣ ନିମନ୍ତେ ଅଭିନବ ପଦକ୍ଷେପ’। ପାଠଶାଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଏମ୍ ମୁଥୁ କୁମାର। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ପରାମର୍ଶଦାତା କୃତ୍ତିବାସ ପାତ୍ର, ବାଲାଡିଅମ କମ୍ପାନିର ବିଶ୍ୱଜିତ୍ ବେହେରା, ବିକାଶ ପରାମର୍ଶଦାତା ଋତାମ୍ବର ମିଶ୍ର, ନାବାର୍ଡ ଏଜିଏମ ଅନାମିକା ପଣ୍ଡା, ଏନଜିଓର ରଶ୍ମି ମହାନ୍ତି।

କୃଷକ ଉତ୍ପାଦନକାରୀ ଗୋଷ୍ଠୀ କ’ଣ ଓ ଏହା ଚାଷୀଙ୍କ ବିକାଶ କ୍ଷେତ୍ରରେ କେଉଁଭଳି ଭୂମିକା ନେବ, ସେ ବିଷୟରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ। ଚାଷ ପାଇଁ ଅନ୍ୟ ଏକ ପ୍ରମୁଖ ଆବଶ୍ୟକତା ହେଉଛି ଋଣ। ଚାଷୀମାନଙ୍କୁ ଠିକ୍ ସମୟରେ ଉପଯୁକ୍ତ ପରିମାଣର ଋଣ ଦିଆଯାଇପାରିଲେ, ସେମାନେ ତାହାକୁ ବିନିଯୋଗ କରି ଲାଭବାନ ହୋଇପାରିବେ। ତେଣୁ ଚାଷୀମାନଙ୍କ ସୁବିଧା ପାଇଁ ବ୍ୟାଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ ମୁଖ୍ୟ ଅତିଥି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ପରାମର୍ଶଦାତା କୃତ୍ତିବାସ ପାତ୍ର।

“ଉନ୍ନତମାନର ଜ୍ଞାନ କୌଶଳ ଓ ମେସିନ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଆଜିର ପାଠଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଏସବୁ ଲୋକଙ୍କ ନିକଟରେ ପହଞ୍ଚିବା ଦ୍ୱାରା ସେମାନେ କୃଷି କାର୍ଯ୍ୟରେ ନିୟୋଜନ କରି ଭଲ ଉତ୍ପାଦନ କରିପାରିବେ। ରାଜ୍ୟରେ ଚାଷଜମି କମିଛି, କିନ୍ତୁ ଚାଷୀମାନଙ୍କ ପରିଶ୍ରମ ପାଇଁ ଉତ୍ପାଦନ ବୃଦ୍ଧି ପାଉଛି। ଚଳିତ ବର୍ଷ ରାଜ୍ୟରେ ଧାନ ଚାଷ ପ୍ରଚୁର ପରିମାଣରେ ହୋଇଛି। ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି”, କହିଥିଲେ ଶ୍ରୀଯୁକ୍ତ ପାତ୍ର।

ଅନ୍ୟତମ ଅତିଥି ବିଶ୍ୱଜିତ ବେହେରା କୃଷକ ଉତ୍ପାଦନକାରୀ ଗୋଷ୍ଠୀ ମାଧ୍ୟମରେ ଚାଷୀ କିଭଳି ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।

“ଚାଷୀମାନେ କିଭଳି ବ୍ୟାଙ୍କରୁ ସହଜରେ ଋଣ ପାଇପାରିବେ, ସେଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା କରାଯାଇଛି । କୃଷି କ୍ଷେତ୍ରରେ ଏହି ଯୋଜନା ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର”, କହିଛନ୍ତି ନାବାର୍ଡ ଏଜିଏମ ଅନାମିକା ପଣ୍ଡା।

ପାଠଶାଳାରେ ଉପସ୍ଥିତ ଥିବା ଜଣେ ଏନ୍‌ଜିଓ କର୍ମକର୍ତ୍ତା ରଶ୍ମି ମହାନ୍ତି କହିଥିଲେ, “ଏଫପିଓ ଦ୍ୱାରା ଚାଷୀମାନେ ସଙ୍ଗଠିତ ହୋଇପାରୁଛନ୍ତି । କୃଷି ବ୍ୟବସାୟୀ ଉନ୍ନତମାନର ସାମଗ୍ରୀ ତିଆରି କରିବାରେ ମଧ୍ୟ ଏହା ସହାୟକ ହେଉଛି।”

ପାଠଶାଳାରେ ଉପସ୍ଥିତ ଥିବା ଚାଷୀମାନେ ନିଜର ସଫଳତା ଓ ଅନୁଭୂତି ରଖିଥିଲେ। ଶେଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ପାଠଶାଳାରେ କାର୍ଯ୍ୟକ୍ରମରେ ସାମିଲ ହୋଇ ‘କୃଷି ଓଡ଼ିଶା-୨୦୨୧’ର ଉଦ୍ଦେଶ୍ୟ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ।

Comment