ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ଆସିବା ପରେ ଭାରତରେ ରାଜନୀତିଠାରୁ ଆରମ୍ଭ କରି ଅର୍ଥନୀତି ଯାଏଁ ସବୁ କ୍ଷେତ୍ରରେ ମାହୋଲ ସରଗରମ ରହିଛି। ଆଦାନୀ ଗ୍ରୁପ ଉପରେ ସେୟାର ଜାଲିଆତିର ଅଭିଯୋଗ ପରେ ଗ୍ରୁପ୍ ନିଜର ୨୦ ହାଜାର କୋଟି ଟଙ୍କାର ଫଲୋ ଅନ ପବ୍ଲିକ ଅଫରକୁ (ଏଫପିଓ) ପ୍ରତ୍ୟାହାର କରିଥିଲା। ଏହି ଏଫପିଓକୁ ନେଇ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ପାଖରେ କିଛି ତଥ୍ୟ ନଥିବା ଏବେ ସମସ୍ତଙ୍କୁ ଚକିତ କରିଛି।

ଆଦାନୀ ଗ୍ରୁପର ଏଫପିଓରେ କେଉଁମାନେ ନିବେଶ କରିଥିଲେ ଓ କେତେ ଟଙ୍କାର ନିବେଶ କରିଥିଲେ ତାକୁ ନେଇ ସେବି ପାଖରେ କିଛି ତଥ୍ୟ ନାହିଁ। ଆଦାନୀ ଗ୍ରୁପର ଏଫପିଓ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଦାଏର ହୋଇଥିବା ଏକ ସୂଚନା ଅଧିକାର ଆବେଦନର (ଆରଟିଆଇ) ଉତ୍ତରରେ ‘ସେବି’ ଏହି ବୟାନ ଦେଇଛି।

ଆଦାନୀ ଗ୍ରୁପର ଏଫପିଓକୁ ନେଇ ପ୍ରସନଜିତ ବୋଷ ନାମକ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲେ। ସେ ଜାନୁଆରି ୩୧ ଓ ଫେବ୍ରୁଆରି ୮ ତାରିଖରେ ୨ଟି ଆରଟିଆଇ ଦାଏର କରିଥିଲେ। ପ୍ରଥମ ଆରଟିଆଇ ହିଣ୍ଡେନବର୍ଗ ରିପୋର୍ଟରେ ହୋଇଥିବା ଅଭିଯୋଗର ବିଷୟରେ ଥିଲା। ଅନ୍ୟଟିରେ ସେ ଆଦାନୀ ଗ୍ରୁପର ଏଫପିଓ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେବି ପାଖରେ ଏହି ସମ୍ବନ୍ଧୀୟ ତଥ୍ୟ ନଥିବାରୁ ତାଙ୍କୁ ଆରଟିଆଇର ଉତ୍ତର ମିଳିପାରି ନାହିଁ।

ପ୍ରସନଜିତ ବୋଷଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେବି ପକ୍ଷରୁ କୁହାଯାଇଛି, “ଆରଟିଆଇରେ ମଗା ଯାଇଥିବା ତଥ୍ୟ ଆମ ରେକର୍ଡରେ ନାହିଁ।  ଏଭଳି ତଥ୍ୟ ଜମା କରିବା କୌଣସି ନିୟମ ଅନ୍ତର୍ଗତ ବାଧ୍ୟତାମୂଳକ ନୁହେଁ। ଏବେ ତଥ୍ୟ ନଥିବାରୁ ଆମେ ଆରଟିଆଇର ଉତ୍ତର ଦେବା ପାଇଁ  ଅସମର୍ଥ।”

ସେବି ଆହୁରି ମଧ୍ୟ କହିଛି, “ଆଦାନୀ ଗ୍ରୁପ୍ ବିଭିନ୍ନ ବ୍ୟାଙ୍କ ଓ ଅର୍ଥନୈତିକ ଅନୁଷ୍ଠାନ ସହ ସହ ଯେଉଁ ଆର୍ଥିକ କାରବାର କରୁଅଛି, ତାହାର ତଥ୍ୟ ରଖିବା ପାଇଁ ଆମର ଅଧିକାର ନାହିଁ। ଏଥିଲାଗି କିଛି ନିୟମ ମଧ୍ୟ ନାହିଁ।”

ଅନ୍ୟପଟେ ସେବି ଭଳି ବଜାର ନିୟନ୍ତ୍ରକ ପାଖରେ ଆଦନୀ ଗ୍ରୁପର ଏଫପିଓ ବାବଦରେ କିଛି ତଥ୍ୟ ନଥିବା ସାଧରଣ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେତେବେଳେ ଗ୍ରୁପର ୨୦ ହଜାର କୋଟି ଟଙ୍କାର ଏତେ ବଡ଼ ଏଫପିଓ ଯାହା ସମ୍ପୂର୍ଣ୍ଣ ଭାବେ ବିକ୍ରି ହୋଇଯାଇଥିଲା, ଏହାର ପ୍ରତ୍ୟାହାର ହେବା ପଛରେ କ’ଣ କାରଣ ଥାଇପାରେ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

୨୦୨୩ ମସିହା ଜାନୁଆରି ମାସରେ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିଥିଲା। ଏଥିରେ ଗ୍ରୁପ୍ ବିରୋଧରେ ସେୟାର କିଣାବିକାରେ ଅନିୟମିତତା, ଟ୍ୟାକ୍ସ ଜାଲିଆତି, ବିଦେଶରେ ଟଙ୍କା ଜମା କରିବା ଭଳି ଅଭିଯୋଗ କରଯାଇଥିଲା

ଏହି ରିପୋର୍ଟ ଆସିବା ପରେ ସେୟାର ବଜାରରେ ଅସ୍ଥିରତା ଦେଖାଯାଇଥିଲା। ଆଦନୀ ଗ୍ରୁପର ବଜାର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ଏଥିଲାଗି ଅନେକ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ି ଯାଇଥିଲା। ଏହାପରେ ଗ୍ରୁପ୍ ନିଜର ଏହି ଏଫପିଓକୁ ପ୍ରତ୍ୟାହାର କରିଥିଲା।

Tags: #AdaniGroup #HindenburgReport #FPO #SEBI #Investors

 

Comment