ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଦେଶରେ ଆର୍ଥିକ ଓ ରାଜନୈତିକ ସ୍ତରରେ ଚହଳ ପକାଇଛି। ଏବେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଏକ୍ସପର୍ଟ କମିଟି ଏହି ମାମଲାର ତଦନ୍ତ କରିବ। ଗୁରୁବାର ଆଦାନୀ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ଗଠନ କରିଥିବା ଏକ୍ସପର୍ଟ କମିଟିରେ ୬ ଜଣ ସଦସ୍ୟ ରହିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଭୟ ମନୋହର ସାପ୍ରେଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କମିଟି ଆଦାନୀ ଗ୍ରୁପ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବ।

ଏହାଛଡ଼ା କମିଟି ଆଦାନୀ ଗ୍ରୁପ୍ ଯୋଗୁଁ ନିବେଶକମାନଙ୍କର ହୋଇଥିବା ଆର୍ଥିକ କ୍ଷତି ଓ ଏଥିରୁ ସେମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ, ସେ ବିଷୟରେ ସୁପ୍ରିମକୋର୍ଟକୁ ରିପୋର୍ଟ ଦେବ।

ଏକ୍ସପର୍ଟ କମିଟି ଭବିଷ୍ୟତରେ ସେୟାର ବଜାର ତଥା ନିବେଶକମାନଙ୍କ ସୁରକ୍ଷା ପାଇଁ ଯେଉଁ ସବୁ ପଦକ୍ଷେପ ନିଆ ଯାଇପାରିବ, ଏଥିଲାଗି ରିପୋର୍ଟରେ ପରାମର୍ଶ ମଧ୍ୟ ଦେବ।

ଏକ୍ସପର୍ଟ କମିଟିକୁ ଯାଞ୍ଚରେ ସହଯୋଗ କରିବା ପାଇଁ ସେବି ତଥା ଅନ୍ୟାନ୍ୟ ବିଭାଗଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କମିଟି ୨ ମାସ ମଧ୍ୟରେ ସୁପ୍ରିମକୋର୍ଟରେ ନିଜର ରିପୋର୍ଟ ଦାଖଲ କରିବ।

ଏହି କମିଟିରେ ଅଭୟ ମନୋହର ସାପ୍ରେଙ୍କ ଛଡ଼ା ପୂର୍ବତନ ବ୍ୟାଙ୍କର କେ ବି କାମତ, ଓପି ଭଟ୍ଟ, ଇନ୍ଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନିଳକଣି, ପୂର୍ବତନ ବିଚାରପତି ଜେ ପି ଦେବଧର ଓ ଆଡଭୋକେଟ ସୋମଶେଖର ସୁନ୍ଦରେଶନ ରହିଛନ୍ତି।

ଅନ୍ୟପଟେ ସୁପ୍ରିମକୋର୍ଟ ଆଦାନୀ ଗ୍ରୁପ୍ ସେୟାର କିଣାବିକାରେ ହୋଇଥିବା ଅନିୟମିତତାର ତଦନ୍ତ ଜାରି ରଖିବାକୁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି)କୁ ନିର୍ଦେଶ ଦେଇଛନ୍ତି।

ଗୁରୁବାର ସୁପ୍ରିମକୋର୍ଟର ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଆଦାନୀ-ହିଣ୍ଡେନବର୍ଗ ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି ଏସ ନରସିମ୍ହା, ଜଷ୍ଟିସ ଜେ ବି ପର୍ଦିୱାଲା ସାମିଲ ଥିଲେ।

Tags: #AdaniGroup #HindenBurgreport #SupremeCourt #ExpertCommitte #India

Comment