ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ବୁଧବାର ଉକ୍ତ ପ୍ରସଙ୍ଗରେ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଶୁଣାଇଛନ୍ତି। ଏହାସହ ୩ ମାସ ମଧ୍ୟରେ ମାମଲାର ତଦନ୍ତ ସାରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ନିର୍ଦେଶ ଦେଇଛନ୍ତି।

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ହେଉଥିବା ତଦନ୍ତକୁ ‘ସେବି’ଠାରୁ ଅନ୍ୟ କୌଣସି ଏସଆଇଟି କିମ୍ବା ସିବିଆଇକୁ ହସ୍ତାନ୍ତର କରିବାର କୌଣସି ଆଧାର ନାହିଁ। ସେବି ଉକ୍ତ ମାମଲାରେ ଆଇନ ଅନୁଯାୟୀ ତଦନ୍ତ କରୁଥିବା ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି।

ଅନ୍ୟପଟେ ଏହି ପ୍ରସଙ୍ଗରେ ସେବି ୨୨ଟି ମାମଲାରୁ ୨୦ଟିର ତଦନ୍ତ କରିସାରିଥିବା ସଲିସିଟର ଜେନେରାଲ ତୁଷାର ମେହେତା ବୁଧବାର ଶୁଣାଣିବେଳେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।    

ଆଦାନୀ ଗ୍ରୁପ୍ ନିଜ ଷ୍ଟକ ମୂଲ୍ୟ ଜାଲିଆତି କରିଥିବା ଅଭିଯୋଗରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟକୁ ଆଧାର କରି ହୋଇଥିବା ମାମଲାରେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହୋଇଥିଲା। ଏଥିରେ ଆବେଦନକାରୀମାନେ ମାମଲାର ତଦନ୍ତରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦାନୀ-ହିଣ୍ଡେନ୍‌ବର୍ଗ ମାମଲାରେ ହୋଇଥିବା ପିଟିସନର ଶୁଣାଣି କରିଥିଲେ। ଗତ ନଭେମ୍ବର ଖଣ୍ଡପୀଠ ଏହି ମାମଲାରେ ନିଜ ରାୟ ସଂରକ୍ଷିତ ରଖିଥିଲେ।     

୨୦୨୩ ମସିହା ଜାନୁଆରି ମାସରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ଗ୍ରୁପ୍ ବିରୋଧରେ ସେୟାର ମୂଲ୍ୟ ହେରଫେର, ବେଆଇନ ଭାବେ ବ୍ୟାଙ୍କରୁ ଋଣ ଆଣିବା ଭଳି ଅଭିଯୋଗ କରି ରିପୋର୍ଟ ପ୍ରକାଶ କରିଥିଲା। ଏହା ଦେଶରେ ରାଜନୈତିକ ଓ ଅର୍ଥନୈତିକ ଝଡ଼ ସୃଷ୍ଟି କରିଥିଲା।

ଏହି ରିପୋର୍ଟ ବାହାରିବା ପରେ ଆଦାନୀ ଗ୍ରୁପ୍ ଅଧୀନରେ ଥିବା ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ଲଗାତର ତଳକୁ ଖସିବା ଆରମ୍ଭ କରିଥିଲା। ଗ୍ରୁପର ମାର୍କେଟ କ୍ୟାପ୍ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ଏହାଦ୍ଵାରା ଗ୍ରୁପର ନିବେଶକମାନଙ୍କର ଅନେକ ଆର୍ଥିକ କ୍ଷତି ହୋଇଥିଲା।

Tags: #AdaniGroup #HindenburgReport #SEBIInvestigation #SupremeCourt #India

LEAVE A REPLY

Please enter your comment!
Please enter your name here