ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିବା ମାମଲା ଶାନ୍ତ ପଡ଼ିନଥିବାବେଳେ ଏବେ ଆଉ ଏକ ଅଡିଟ ସଂସ୍ଥାର ପ୍ରକାଶିତ ତଥ୍ୟ ଗ୍ରୁପର ଚିନ୍ତା ବଢ଼ାଇଛି। ଏବେ ଅଡିଟ ସଂସ୍ଥା ‘ଡେଲଏଟ୍’ ଆଦାନୀ ଗ୍ରୁପର ପୋର୍ଟ କାରବାର ଉପରେ ପ୍ରଶ୍ନ ଉଠାଇଛି। ଆଦାନୀ ଗ୍ରୁପ୍ ନିଜର ବନ୍ଦର କାରବାରକୁ ନେଇ ଭୁଲ ତଥ୍ୟ ଦେଇ ନିୟମ ଉଲଂଘନ କରିଥିବା ଡେଲଏଟ୍ ପକ୍ଷରୁ କୁହାଯାଇଛି।

ଡେଲଏଟ୍ କମ୍ପାନି ଆଦାନୀ ପୋର୍ଟ୍ସର ମୁଖ୍ୟତଃ ୩ଟି କାରବାରକୁ ନେଇ ପ୍ରଶ୍ନ କରିଛି। ପ୍ରଥମତଃ ଆଦାନୀ ପୋର୍ଟ୍ସ ନିଜର ଏକ ସହାୟକ କମ୍ପାନି ସହ କରିଥିବା ଇଞ୍ଜିନିୟରିଂ ବୁଝାମଣା। ଦ୍ଵିତୀୟରେ ଆଦାନୀ ଅଧିନରେ ଥିବା ମିଆଁମାର ପୋର୍ଟର ପରିଚାଳନା କଣ୍ଟ୍ରାକ୍ଟକୁ ମାତ୍ର ୨୪୭ କୋଟି ଟଙ୍କାରେ ସୋଲାର ଏନର୍ଜି ଲିମିଟେଡକୁ ବିକିବା ଘଟଣା। ଶେଷରେ କିଛି ସଂସ୍ଥା ସହ ଆଦାନୀ ପୋର୍ଟ୍ସର ଇକ୍ଵିଟି ଓ ଆର୍ଥିକ କାରବାରକୁ ନେଇ ଡେଲଏଟ୍ ପ୍ରଶ୍ନ କରିଛି।

ଡେଲଏଟ୍ କମ୍ପାନି ଅନେକ ଦିନରୁ ଆଦାନୀ ପୋର୍ଟ୍ସର ଅଡିଟ କାମ କରୁଛି। ଆଦାନୀ ପୋର୍ଟ୍ସର ଯେଉଁ ସବୁ ସଂସ୍ଥା ସହ ଇକ୍ଵିଟି କାରବାର ହୋଇଥିଲା, ସେମନଙ୍କ ସହ ଆଦାନୀ ଗ୍ରୁପର କୌଣସି ସିଧାସଳଖ ସମ୍ପର୍କ ନଥିବା ଡେଲଏଟକୁ କୁହାଯାଇଥିଲା। ଅନ୍ୟପଟେ ଏହି ନିରପେକ୍ଷତାକୁ ପ୍ରମାଣ କରିବା ପାଇଁ ଅଡିଟ ବେଳେ ଡେଲଏଟ୍ ମାଗିଥିବା ତଥ୍ୟ ଦେବାରେ ଗ୍ରୁପ୍ ବିଫଳ ହୋଇଥିଲା। ତେଣୁ ଏହିସବୁ ଇକ୍ଵିଟି ଓ ଆର୍ଥିକ କାରବାର ସନ୍ଦେହ ଘେରରେ ଥିବା ଡେଲଏଟ୍ ପକ୍ଷରୁ କୁହାଯାଇଛି।

ଡେଲଏଟ୍ ପକ୍ଷରୁ ଇକ୍ଵିଟି କାରବାରକୁ ନେଇ କରାଯାଇଥିବା କିଛି ପ୍ରଶ୍ନ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟରେ ମଧ୍ୟ ସାମିଲ ଥିଲା। ଏବେ ଆଦାନୀ ଗ୍ରୁପ୍ ଏ ସବୁ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି।

ଆଦାନୀ ଗ୍ରୁପ୍ ଉପରେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟରେ ହୋଇଥିବା ଅଭଯୋଗକୁ ନେଇ ଏବେ ‘ସେବି’ ତଦନ୍ତ କରୁଛି। ଅଗଷ୍ଟ ମାସ ୧୪ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ‘ସେବି’କୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଆଦାନୀ ବିରୋଧରେ ହୋଇଥିବା ଅଭଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ‘ଏକ୍ସପର୍ଟ କମଟି’ ଗ୍ରୁପକୁ କ୍ଲିନ ଚିଟ୍ ଦେଇଥିଲେ।

ଅନ୍ୟପଟେ ଏବେ ‘ସେବି’ ଯାଞ୍ଚ ଜାରି ରଖିଥିବାରୁ ଡେଲଏଟର ଅଭିଯୋଗ ଆଧାର କରି ଅନ୍ୟ କୌଣସି ନୂଆ ସଂସ୍ଥା ଦ୍ଵାରା ଆଦାନୀ ପୋର୍ଟ୍ସର ଅଡିଟ କରିବାକୁ ଗ୍ରୁପ୍ ମନା କରିଛି। ‘ସେବି’ର ଯାଞ୍ଚରେ ସବୁ ସତ ବାହାରକୁ ଆସିବ ବୋଲି ଆଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଛି।

୨୦୨୩ ମସିହା ଜାନୁଆରି ମାସରେ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ଗ୍ରୁପ୍ ବିରୋଧରେ ସେୟାର ହେରଫେର, ବେଆଇନ ଭାବେ ବ୍ୟାଙ୍କରୁ ଋଣ ଆଣିବା ଭଳି ଅଭିଯୋଗ କରି ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ବାହାରିବା ପରେ ଗ୍ରୁପ୍ ଅଧୀନରେ ଥିବା ବିଭିନ୍ନ କମ୍ପାନିର ସେୟାର ଲଗାତର ତଳକୁ ଖସିବା ଆରମ୍ଭ କରିଥିଲା। ଗ୍ରୁପର ମାର୍କେଟ କ୍ୟାପ୍ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ଏହାଦ୍ଵାରା ଗ୍ରୁପର ନିବେଶକମାନଙ୍କର ଅନେକ ଆର୍ଥିକ କ୍ଷତି ହୋଇଥିଲା।

Also read

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ସାମ୍ରାଜ୍ୟ ଟଳମଳ (odisha.live)

ଆଦାନୀଙ୍କ ପାଇଁ ସଂସଦରେ ହଙ୍ଗମା, ଯୁଗ୍ମ ସଂସଦୀୟ କମିଟି ଦାବି କଲେ ବିରୋଧୀ (odisha.live)

Tags: #AdaniGroup #HindenBurgreport #Deloitte #AuditProcess #Allegations #India

LEAVE A REPLY

Please enter your comment!
Please enter your name here