ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ
  • ରିପୋର୍ଟ ଆସିବାପରେ ଗ୍ରୁପ୍ ୮ ଦିନରେ ହରାଇସାରିଲାଣି ୮ ଲକ୍ଷ କୋଟିରୁ ଅଧିକ ଟଙ୍କା
  • ବିଶ୍ଵ ଧନୀବ୍ୟକ୍ତିଙ୍କ ତାଲିକାରେ ୨୦ରୁ ତଳକୁ ଖସିଲେ ଗୌତମ ଆଦାନୀ
  • “ଆମ ଉପରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ”- ଆଦାନୀ ଗ୍ରୁପ୍

ଭାରତର ପ୍ରମୁଖ କମ୍ପାନି ଆଦାନୀ ଗ୍ରୁପ୍ ଉପରେ ଘନେଇଛି କଳା ବାଦଲ। ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇବା ପରେ ଗ୍ରୁପର ସେୟାର ମୂଲ୍ୟ ଲଗାତର ତଳକୁ ଖସିବାରେ ଲାଗିଛି। ରିପୋର୍ଟରେ ଗ୍ରୁପ୍ ଉପରେ ସେୟାର ହେରଫେର ତଥା ଜାଲିଆତିର ଅଭିଯୋଗ ହୋଇଛି। ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରପ୍ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇ ସରିଲାଣି।

କମ୍ପାନିର ସେୟାର ମୂଲ୍ୟ ଲଗାତର କମିବା ଯୋଗୁଁ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ହ୍ରାସ ପାଇଛି। କିଛିଦିନ ପୂର୍ବରୁ ବିଶ୍ଵର ତୃତୀୟ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଥିବା ଗୌତମ ଆଦାନୀ, ଏବେ ବିଶ୍ଵ ଧନୀବ୍ୟକ୍ତିଙ୍କ ତାଲିକାରେ ୨୦ରୁ ତଳକୁ ଖସି ଯାଇଛନ୍ତି।

ଆଦାନୀ ଗ୍ରୁପ୍ ଉପରେ ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ

ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପ୍ ଅଧିନରେ ଥିବା ୭ଟି କମ୍ପାନିର ମାର୍କେଟ କ୍ୟାପ୍ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏଥିରେ ଅଦାନୀ ଗ୍ରୁପର ସବୁଠାରୁ ବଡ଼ କମ୍ପାନି ଆଦାନୀ ଏଣ୍ଟରପ୍ରାଇଜର ଅଧିକ କ୍ଷତି ହୋଇଛି।

ଏହି ରିପୋର୍ଟ ପ୍ରଭାବରେ ଆଦାନୀ ଏଣ୍ଟରପ୍ରାଇଜର ସେୟାର ମୂଲ୍ୟ ୩୫୦୦ ଟଙ୍କାରୁ ହ୍ରାସ ହୋଇ ଏବେ ପାଖାପାଖି ୧୫୦୦ ଟଙ୍କାରେ ପହଞ୍ଚିଛି। ଆଦାନୀ ଗ୍ରୁପର ଅନ୍ୟ କମ୍ପାନି ଯଥା ଆଦାନୀ ପୋର୍ଟ୍ସ, ଆଦାନୀ ୱିଲିମାର, ଆଦାନୀ ଗ୍ରୀନ ଇତ୍ୟାଦିର ସେୟାର ମୂଲ୍ୟ ମଧ୍ୟ ଅନେକ ମାତ୍ରାରେ ଖସିଯାଇଛି।

ଏହାକୁ ନଜରରେ ରଖି ଆଦାନୀ ଗ୍ରୁପ୍ କିଛିଦିନ ପୂର୍ବରୁ ସେୟାର ବଜାରରୁ ଫଲୋ ଅନ ପବ୍ଲିକ ଅର୍ଡର (ଏଫପିଓ)ରେ ଉଠାଇଥିବା ୨୦ ହଜାର କୋଟି ଟଙ୍କାକୁ ନିବେଶକମାନଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି।

ଆଦାନୀ ଗ୍ରୁପକୁ ଋଣ ଦେଇଥିବା ଅନ୍ତର୍ଜାତୀୟ ସଂସ୍ଥା ସିଟି ଗ୍ରୁପ୍ ଓ କ୍ରେଡିଟ୍ ସୁସ୍ ଆଗକୁ ଋଣ ବାବଦକୁ ଗ୍ରୁପର ବଣ୍ଡ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ହିଣ୍ଡେନବର୍ଗର ଅଭିଯୋଗ ପରେ ଭାରତୀୟ ସେୟାର ବଜାରକୁ ପରିଚାଳନା କରୁଥିବା ଜାତୀୟ ସଂସ୍ଥା ‘ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ’ (ସେବି) ତତ୍ପର ହୋଇଛି। ଅଭିଯୋଗକୁ ଆଧାର କରି ସେୟାର ବଜାରରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକ ଉପରେ ଯାଞ୍ଚ ଆରମ୍ଭ କରିଛି ସେବି। ଏହାଛଡ଼ା ରିଜର୍ଭ ବ୍ୟାଙ୍କ ମଧ୍ୟ ଆଦାନୀ ଗ୍ରୁପକୁ ମିଳିଥିବା ଲୋନ ସମ୍ବନ୍ଧରେ ତଥ୍ୟ ଦେବାକୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

କ’ଣ ଏହି ହିଣ୍ଡେନବର୍ଗ ରିପୋର୍ଟ ?

ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ଗ୍ରୁପ୍ ବିରୋଧରେ ଜାନୁଆରି ୨୪ ତାରିଖରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ଗ୍ରୁପର ବିଭିନ୍ନ କମ୍ପାନି ଉପରେ ସେୟାର ଜାଲିଆତି, ଅନୈତିକ ଭାବେ ଗ୍ରୁପ୍ ଅଧିନରେ ଥିବା କମ୍ପାନିଗୁଡ଼ିକର ମାର୍କେଟ କ୍ୟାପ ବୃଦ୍ଧି କରିବା ତଥା ମିଛ ତଥ୍ୟ ଦେଇ ଏକାଧିକ ସ୍ଥାନରୁ ଋଣ ଆଣିବାର ଅଭିଯୋଗ କରାଯାଇଛି। ଏହାଛଡ଼ା ରିପୋର୍ଟରେ ସଂସ୍ଥା ପକ୍ଷରୁ ଆଦାନୀ ଗ୍ରୁପକୁ ୮୮ଟି ପ୍ରଶ୍ନ ପଚରାଯାଇଛି।

ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପର ବୋର୍ଡ ସଦସ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦାନୀ ପରିବାରର। ଗ୍ରୁପର ସମସ୍ତ ଆର୍ଥିକ ନିଷ୍ପତ୍ତି ଏହିମାନେ ହିଁ ନେଇଥାନ୍ତି। ଗତ ତିନି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଅବିଶ୍ଵସନୀୟ ଭାବେ ୮୧୯ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟରେ ଗୌତମ ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ପ୍ରାୟ ୧୦୦ ବିଲିୟନ ଡଲାର ଯୋଡି ହୋଇଛି।

ରିପୋର୍ଟରେ ଆଦାନୀ ଗ୍ରୁପ୍ ୟୁଏଇ, ମରିସସ୍ ତଥା ଅନ୍ୟ ଦେଶମାନଙ୍କରେ ନକଲି କମ୍ପାନି କରି ଗ୍ରୁପର ସେୟାରଗୁଡ଼ିକୁ କିଣି ଏହାର ମୂଲ୍ୟକୁ ବୃଦ୍ଧି କରିବାର ଅଭିଯୋଗ ଅଣାଯାଇଛି। ଏହାବଳରେ ଗ୍ରୁପ୍ ନିଜ କମ୍ପାନିଗୁଡ଼ିକର ଭଲ ସ୍ଥିତିକୁ ଦର୍ଶାଇ ଭାରତର ଅନେକ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାଠାରୁ ଋଣ ଆଣିଥିବାର କୁହାଯାଇଛି।

ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ହିଣ୍ଡେନବର୍ଗ ସଂସ୍ଥା ଦୁଇବର୍ଷ ଧରି ତଦନ୍ତ କରିଛି। ଏହି ସମୟରେ ଆଦାନୀ ଗ୍ରୁପର କିଛି ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ତଥ୍ୟ ହାସଲ କରିଥିଲା ସଂସ୍ଥା। ଏହାଛଡ଼ା ଗ୍ରୁପର ଭାରତ ବାହାରେ ଥିବା କିଛି କମ୍ପାନିର ଦସ୍ତାବିଜ ସଂସ୍ଥା ହାତରେ ଲାଗିଥିଲା। ଏହିସବୁ ତଥ୍ୟକୁ ଆଧାର କରି ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ରିପୋର୍ଟ ପ୍ରସ୍ତୁତ କରିଛି।

 ଆଦାନୀ ଗ୍ରୁପର ପ୍ରତିକ୍ରିୟା

ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଆଦାନୀ ଗ୍ରୁପ୍ ପକ୍ଷରୁ ୪୧୩ ପୃଷ୍ଠାର ଏକ ବିବରଣୀ ଜାରି କରାଯାଇଛି। ଏଥିରେ ହିଣ୍ଡେନବର୍ଗ ରିପୋର୍ଟରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଏହାଛଡ଼ା ନିବେଶକମାନଙ୍କୁ ଗ୍ରୁପର କମ୍ପାନିଗୁଡ଼ିକ ଉପରେ ବିଶ୍ଵାସ ରଖିବାକୁ ଅନୁରୋଧ କରାଯାଇଛି।

Tags: #AdaniGroup #StockCrash #MarketCapFall #HindenburgResearch #Report #USA #India

 

Comment