ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଦେଶରେ ଅର୍ଥନୈତିକ ସହ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି କରିଛି। ହିଣ୍ଡେନବର୍ଗର ରିପୋର୍ଟକୁ ଆଧାର କରି ସଂସଦରେ ବିରୋଧୀ ଦଳମାନେ ହଙ୍ଗମା କରିଛନ୍ତି। ଆଦାନୀ ଗ୍ରୁପ୍ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବା ଲାଗି ଏକ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ ପାଇଁ ସେମାନେ ଦାବି କରିଛନ୍ତି। ଏହାକୁ ନେଇ ସୋମବାର ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ଵରେ ୧୬ଟି ବିରୋଧୀ ଦଳର ନେତାମାନେ ସଂସଦ ଭିତର ଗାନ୍ଧୀମୂର୍ତ୍ତି ନିକଟରେ ପ୍ରତିବାଦ କରିଛନ୍ତି।

ସୋମବାର ବିରୋଧ ପ୍ରଦର୍ଶନରେ କଂଗ୍ରେସ ସମେତ ଡିଏମକେ, ଏନସିପି, ସିପିଆଇ, ସିପିଏମ, ବିଆରଏସ ଓ ଅନ୍ୟ କ୍ଷେତ୍ରୀୟ ଦଳଗୁଡ଼ିକ ସାମିଲ ହୋଇଛନ୍ତି। ଯୁଗ୍ମ ସଂସଦୀୟ କମିଟି ନହେଲେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରନ୍ତୁ ବୋଲି ଦଳଗୁଡ଼ିକ ଦାବି କରିଛନ୍ତି। ସଂସଦରେ ବିରୋଧୀଙ୍କ ହଙ୍ଗମା ଯୋଗୁଁ ଉଭୟ ଗୃହକୁ ସୋମବାର ମୁଲତବୀ କରାଯାଇଛି।

ସଂସଦରେ ଆଦାନୀ ଗ୍ରୁପ୍ ବିଷୟରେ ଚର୍ଚ୍ଚା ଛଡ଼ା ଅନ୍ୟ କୌଣସି ବିଷୟରେ ଚର୍ଚ୍ଚା କରେଇଦେବେ ନାହିଁ ବୋଲି ବିରୋଧୀ ଦଳମାନେ କହିଛନ୍ତି। ସରକାର ଗୃହରେ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ କୌଣସି ଆଲୋଚନା କରିବାକୁ ଅନୁମତି ଦେଉନଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି।

ଆଦାନୀ ଗ୍ରୁପ୍ କମ୍ପାନିଗୁଡିକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏଲଆଇସି ଭଳି ସରକାରୀ ସଂସ୍ଥାଗୁଡ଼ିକର ପୁଞ୍ଜି ନିବେଶକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ଏହାଫଳରେ ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ସଞ୍ଚୟ ଉପରେ ପ୍ରଭାବ ପଡ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିରୋଧ ପ୍ରଦର୍ଶନ ପୂର୍ବରୁ ବିରୋଧୀ ଦଳର ନେତାମାନେ ମଲ୍ଲିକାର୍ଜୁନ ଖଡଗେଙ୍କ କୋଠରୀରେ ଏକତ୍ରିତ ହୋଇଥିଲେ। ସୋମବାର ସଂସଦରେ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ।

 

Tags: #AdaniGroup #HindenBurgReport #Opposition #Protest #Parliament #JPC #GandhiStatue

Comment