ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରଠାରୁ ଦେଶରେ ଆର୍ଥିକ ଓ ରାଜନୈତିକ ସ୍ତରରେ ଚହଳ ସୃଷ୍ଟି ହୋଇଛି। ଅଭିଯୋଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଜନସ୍ଵାର୍ଥ ମାମଲାର ଶୁଣାଣି ଆରମ୍ଭ ହୋଇଛି। ତେବେ ଆଦନୀ ଗ୍ରୁପ୍ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ୍ସପର୍ଟ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେତା ଏହି ସୂଚନା ଦେଇଛନ୍ତି।

ଆଦନୀ ଗ୍ରୁପ୍ ଯୋଗୁଁ ନିବେଶକମାନଙ୍କର ହୋଇଥିବା ଆର୍ଥିକ କ୍ଷତି ଓ ଏଥିରୁ ସେମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ବିଷୟରେ କମିଟି ନିଜର ରିପୋର୍ଟ ଦେବ। ଏହା ସହ ଗ୍ରୁପ୍ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଏହି କମିଟି କରିବ।

ଏହି କମିଟିରେ କେଉଁମାନେ ରହିବେ ସେ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇବେ। ଏହାପରେ ସୁପ୍ରିମକୋର୍ଟ କମିଟି ଗଠନ ପାଇଁ ଆଦେଶ ଜାରି କରିବେ। ଏହାଛଡ଼ା ଆଦନୀ ଗ୍ରୁପ୍ ପାଇଁ ସେୟାର ବଜାରରେ ହୋଇଥିବା କ୍ଷତି ପାଇଁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(ସେବି) ତଦନ୍ତ କରିବ।

ଶୁକ୍ରବାରଠାରୁ ଆଦନୀ ଗ୍ରୁପ୍ ବିରୋଧରେ ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଜନସ୍ଵାର୍ଥ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଏ ବିଷୟରେ ମତ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦନୀ ଗ୍ରୁପ୍ ବିରୋଧରେ ସେୟାର ହେରଫେର, ବେଆଇନ ଭାବେ ବ୍ୟାଙ୍କରୁ ଋଣ ଆଣିବା ଭଳି ଅଭିଯୋଗ କରି ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ବାହାରିବା ପରେ ଗ୍ରୁପ ଅଧୀନରେ ଥିବା ବିଭିନ୍ନ କମ୍ପାନିର ସେୟାର ଲଗାତର ତଳକୁ ଖସିବା ଆରମ୍ଭ କରିଥିଲା। ଗ୍ରୁପର ମାର୍କେଟ କ୍ୟାପ୍ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ଏହାଦ୍ଵାରା ଗ୍ରୁପର ନିବେଶକମାନଙ୍କ ଅନେକ ଆର୍ଥିକ କ୍ଷତି ହୋଇଥିଲା।

Tags: #AdaniGroup #HindenBurgreport #SupremeCourt #ExpertCommitte #India

Comment