ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଶେଷ ହୋଇଛି ଜାତୀୟସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ-୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ୱରଠାରେ ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ଦେବାକୁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଛନ୍ତି ରାଜ୍ୟ ସରକାର।
ଏହି ସମ୍ମିଳନୀରେ ଭାରତ, ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ ଓ ଆମେରିକା ଭଳି ଦେଶରୁ ୧୦୦ରୁ ଅଧିକ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିବା ସହ ‘ଟାଇ’ର ୫୦୦ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ସାମିଲ ହୋଇଥିଲେ।
ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶାର ଅଭିବୃଦ୍ଧିରେ ସହଭାଗୀ ହେବା ଲାଗି ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଥିଲେ। ଗ୍ଲୋବାଲ କାପାବିଲିଟି ସେଣ୍ଟର (ଜିସିସି), ଚିପ ଡିଜାଇନ, ବ୍ଲକଚେନ ଓ ଏଆଇ ରିସର୍ଚ୍ଚ ଭଳି କ୍ଷେତ୍ରରେ ରାଜ୍ୟର ନେତୃତ୍ୱ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଉଦ୍ୟୋଗୀମାନଙ୍କ ସହଯୋଗରେ ଓଡ଼ିଶା ପୂର୍ବ ଭାରତର ଉଦ୍ୟୋଗ ରାଜଧାନୀରେ ପରିଣତ ହୋଇପାରିବ।
ଏହି ଅବସରରେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ନୂଆ ଡିଜିଟାଲ ହବ୍ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ଏଆଇର ଗ୍ରହଣୀୟତା କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୨୫-୨୬ ବଜେଟରେ ଓଡ଼ିଶା ଏଆଇ ମିଶନ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ପ୍ରଥମ ରାଜ୍ୟ ବୋଲି ସେ କହିଥିଲେ।
କୋରାପୁଟରେ ଏଆଇ-ଆଧାରିତ କଫି ଚାଷର ତଦାରଖ ଏବଂ ଶିଶୁ କୁପୋଷଣ, ମାତୃ ମୃତ୍ୟୁହାର (ଏମଏମଆର) ଓ ଶିଶୁ ମୃତ୍ୟୁହାର ଆଦି ଟ୍ରାକ୍ କରିବା ପାଇଁ ଏଆଇଭିତ୍ତିକ ପ୍ରକଳ୍ପ ସମେତ କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ପ୍ରୟୋଗ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏଥିସହିତ ଓଡ଼ିଶା ସେମିକଣ୍ଡକ୍ଟର ପଲିସି ଏବଂ ଭୁବନେଶ୍ୱରରେ ଏକ ଫିନଟେକ ସେଣ୍ଟର ସ୍ଥାପନ କରିବା ପାଇଁ ସ୍ୱାକ୍ଷରିତ ହୋଇଥିବା ଏମଓୟୁଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଏହି ଅବସରରେ ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଅୟସକାନ୍ତ ମହାନ୍ତି କହିଥିଲେ, “ଏହି ସମ୍ମିଳନୀ ଓଡ଼ିଶାର ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ତର୍ଜାତୀୟ ସହଭାଗିତା ପାଇଁ ମଞ୍ଚ ପ୍ରସ୍ତୁତ କରୁଛି। ସମ୍ମିଳନୀରେ ବିବିଧ ଅଂଶଗ୍ରହଣ ଏକ ଉଲ୍ଲେଖନୀୟ ଉଦ୍ଭାବନ କେନ୍ଦ୍ର ଭାବେ ଭୁବନେଶ୍ୱରର ସ୍ଥିତିକୁ ସୁଦୃଢ଼ କରିଛି।”
କାର୍ଯ୍ୟକ୍ରମର ପ୍ରଥମ ଦିନର ହାଇଲାଇଟରେ ବ୍ଲ୍ୟୁ ଇକୋନୋମି, ପର୍ଯ୍ୟଟନ, ଉତ୍ପାଦନ, ଖଣି ଏବଂ ମହିଳା ଉଦ୍ୟୋଗୀ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଦ୍ୟାଳୟଗୁଡ଼ିକରେ ଉଦ୍ୟୋଗୀ ପ୍ରତିଭାମାନଙ୍କୁ ବିକଶିତ କରିବା ପାଇଁ ଭଏସ ଅଫ୍ ଏଣ୍ଟରପ୍ରିନ୍ୟୁଓରସିପ, ଟାଇ ୱିମେନ ୧୦୦, ଏଣ୍ଟରପ୍ରିନ୍ୟୁଓରସିପ ଓଡ଼ିଶାର ଶୁଭାରମ୍ଭ କରାଯାଇଥିଲା।
ଦ୍ଵିତୀୟ ଦିନରେ ଏଆଇ ପଲିସି ୨୦୨୫, ଭାରତର ଏଆଇ ଲିଡରସିପ ଭିଜନ, ଉଦ୍ୟୋଗ କ୍ଷେତ୍ରରେ ଏଆଇ, ଡାଟା ସେଣ୍ଟର, ସ୍କିଲିଙ୍ଗ ଏବଂ ସାର୍ବଜନିନ ସେବାଗୁଡ଼ିକ ପାଇଁ ଏଆଇ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ରିସର୍ଚ୍ଚ, ପାଇଲଟ ପ୍ରୋଜେକ୍ଟ, ଟେକ୍ କୋର ଡେଭେଲପମେଣ୍ଟ, ପଲିସି ଇନ୍ପୁଟ୍ସ ଓ ଇନୋଭେସନ ଇକୋସିଷ୍ଟମ ବିଲ୍ଡିଂ କ୍ଷେତ୍ରରେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ସହଭାଗିତା, ଓ-ଚିପ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଓକାକ୍ ଓ ଏସ୍ଏଫଏଏଲ (ସେମିକଣ୍ଡକ୍ଟର ଫାବ୍ଲେସ୍ ଆକ୍ସିଲରେଟର ଲ୍ୟାବ) ମଧ୍ୟରେ ସହଭାଗିତା, ବୈଷୟିକ ସହଭାଗିତା ପାଇଁ ଇଏସସି ଓଡ଼ିଶା ଓ ହିଟାଚି ଏମଜିଆରଏମ ମଧ୍ୟରେ ନଲେଜ ପାର୍ଟନରସିପ ଏବଂ ଷ୍ଟାର୍ଟଅପ ସପୋର୍ଟ ନେଟ୍ୱର୍କଗୁଡ଼ିକୁ ମଜବୁତ କରିବା ପାଇଁ ଟାଇ ଭୁବନେଶ୍ୱର ଓ ଇନ୍କ୍ୟୁବେସନ ସେଣ୍ଟରଗୁଡ଼ିକ ମଧ୍ୟରେ ସହଭାଗିତା ଆଦି ଅନ୍ତର୍ଭୁକ୍ତ ରହିଛି।
ସମ୍ମିଳନୀରେ ଟାଇ ଲିଜେଣ୍ଡ ଏଣ୍ଟରପ୍ରିନ୍ୟୁଓର, ଏମର୍ଜିଙ୍ଗ ଏଣ୍ଟରପ୍ରିନ୍ୟୁଓର, ୱମେନ ଏଣ୍ଟରପ୍ରିନ୍ୟୁଓର, ଚେଞ୍ଜ ମେକର ଏଣ୍ଟରପ୍ରିନ୍ୟୁଓର ଓ ବେଷ୍ଟ ଇକୋସିଷ୍ଟମ ପାର୍ଟନର ଆୱାର୍ଡ ପ୍ରଦାନ କରାଯାଇଥିଲା।
ଓଡ଼ିଶାଲାଇଭ୍ ‘ଟାଇକନ ୨୦୨୫’ର କମ୍ୟୁନିକେସନ ପାର୍ଟନର ରହିଛି।
Tags: #TiECON2025 #TiEBhubaneswar #EntrepreneurshipSummit













