ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’। ଚଳିତ ବର୍ଷ ସମ୍ମିଳନୀର ସପ୍ତମ ସଂସ୍କରଣର ଥିମ ରହିଥିଲା ‘ଲିଡିଂ ଆଟ ଦ ଏଜ: ଫ୍ରମ ଅନସର୍ଟନିଟି ଟୁ ଇମ୍ପାକ୍ଟ’।
ଏହି ସମ୍ମିଳନୀରେ ଶିଳ୍ପ ଓ ବ୍ୟବସାୟ ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସମ୍ମିଳନୀର ବିଭିନ୍ନ ସେସନରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ସମୟରେ ବ୍ୟବସାୟ କ୍ଷେତ୍ରରେ ହେଉଥିବା ବିକାଶ ଏବଂ ନୂତନ ସମ୍ଭାବନା, ପ୍ରଯୁକ୍ତିବିଦ୍ୟା ଓ ଏଆଇ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ।
ସମ୍ମିଳନୀରେ ରିଲାଏନ୍ସ ଗ୍ରସେରି ରିଟେଲ ଓ ଜିଓ ମାର୍ଟ ତଥା ରିଲାଏନ୍ସ ରିଟେଲର ସିଓଓ କାମଦେବ ମହାନ୍ତି ଯୋଗଦେଇ ବ୍ୟାଙ୍କିଙ୍ଗ୍, ରିଟେଲ୍ ଏବଂ କର୍ପୋରେଟ ଜଗତର ରଣନୀତି ସମ୍ପର୍କରେ ନିଜର ଅନୁଭୂତି କହିଥିଲେ। ଛାତ୍ରଛାତ୍ରୀଙ୍କୁ ‘ଏଆଇ’ ବ୍ୟବହାର ଏବଂ ଏହାର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।
ସେ କହିଥିଲେ, “ଯଦି ଆପଣ ଜୀବନରେ ବିଫଳ ହେଉନାହାନ୍ତି, ତେବେ ଆପଣ ପ୍ରକୃତରେ ସଫଳତା ହାସଲ କରିପାରିବେ ନାହିଁ।”
ଅନ୍ୟ ଏକ ସେସନରେ ‘ଏନଏବିଏଫଆଇ’ର ଲେଣ୍ଡିଂ ଏବଂ ପ୍ରୋଜେକ୍ଟ ଫାଇନାନ୍ସର ଉପସଭାପତି ସ୍ଵପ୍ନା ମୋହାତ ନିଜ ଅନୁଭୂତି କହିବା ସହ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ଵାସୀ ହେବା ସହ ନିଜ ସ୍ଵପ୍ନକୁ ପୂରଣ କରିବାକୁ ଉତ୍ସାହିତ କରିଥିଲେ।
ସେହିପରି ଆମେରିକାନ ଏକ୍ସପ୍ରେସ ଜିବିଟିର ଇଣ୍ଟରନାଲ ଅଡିଟର ନିର୍ଦ୍ଦେଶକ ଅମିତ ପହୁଜା ‘ଅନିଶ୍ଚିତତା ସମୟରେ ନେତୃତ୍ୱ’ ଶୀର୍ଷକରେ ନିଜ ବକ୍ତବ୍ୟ ରଖି କରିଥିଲେ।
ଇଣ୍ଡସଇଣ୍ଡ ବ୍ୟାଙ୍କର ଉପସଭାପତି ଅରୂପ ମହାପାତ୍ର ଭାରତୀୟ ବ୍ୟାଙ୍କିଙ୍ଗର ବିକାଶ ଯଥା ଏଟିଏମଠାରୁ ମୋବାଇଲ ବ୍ୟାଙ୍କିଙ୍ଗ ଉପରେ ଆଲୋକପାତ କରିଥିଲେ।
ଟାଟା ସନ୍ସର ଡିଜିଟାଲ ଏବଂ ଇନୋଭେସନ ମୁଖ୍ୟ ଭାସ୍କର ରାୟ ଯୋଗଦେଇ ନବସୃଜନ ଉପରେ ଧ୍ୟାନ ଦେବା ସହ ନୈତିକତାକୁ ପ୍ରାଥମିକତା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଜେନପ୍ୟାକ୍ଟର ଗ୍ଲୋବାଲ ଡେଲିଭରି ଲିଡର ଡକ୍ଟର ଭାସ୍କର ରୟ ଯୋଗଦେଇ ଏଆଇର ବ୍ୟବହାର ସମ୍ପର୍କରେ ନିଜର ମତ ରଖିଥିଲେ। ସେ କହିଥିଲେ “ଏଆଇ କେବେ ମଣିଷର ବିକଳ୍ପ ହୋଇପାରିବ ନାହିଁ। କିନ୍ତୁ ଯେଉଁମାନେ ଏଆଇ ବ୍ୟବହାର କରୁଛନ୍ତି, ସେମାନେ ବ୍ୟବହାର କରୁନଥିବା ଲୋକଙ୍କ ସ୍ଥାନ ନେଇପାରିବେ।”
ୟୁନିସିସର ପ୍ରଡକ୍ଟ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ସତ୍ୟସ୍ୱରୂପ ଦାସ ନୂତନତ୍ୱକୁ କାର୍ଯ୍ୟକାରିତା ଭାବେ ବ୍ୟାଖ୍ୟା କରିଥିଲେ। ୟୁପିଆଇର ଉଦାହରଣ ଦେଇ ସେ କହିଥିଲେ, “ଏଆଇ ବ୍ୟବହାର କରିବା ସମୟରେ ବିଶ୍ଵାସନୀୟତା, ଗତି ଏବଂ ଗୁଣବତ୍ତାରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି।”
ସ୍ୱାଧୀନ ପରାମର୍ଶଦାତା ଦେବାଶିଷ ମହାପାତ୍ର ଯୋଗଦେଇ, କୌଣସି କାମକୁ ଛୋଟରୁ ଆରମ୍ଭ କରି ତାକୁ ଶୀର୍ଷରେ ପହଞ୍ଚେଇବା ପର୍ଯ୍ୟନ୍ତ ତା’ର ନେତୃତ୍ଵ ନେବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଶ୍ନୋତ୍ତର ସେସନରେ ଭାଗ ନେଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ।
Tags: #XIMUniversity #BusinessExcellenceSummit2025 #AnnualBusinessConclave #Bhubaneswar


















