ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସ୍ଥିତ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବର୍ତ୍ତମାନର ଡିଜିଟାଲ ଯୁଗରେ ମିଡିଆରେ ଅତ୍ୟାଧୁନିକ ଗବେଷଣା ଓ ଅନୁସନ୍ଧାନ ଏବଂ ନୂଆ ଟେକ୍ନୋଲୋଜିର ବ୍ୟବହାରର ଉପଯୋଗିତାକୁ ନେଇ ଆଲୋଚନା କରାଯାଇଥିଲା। ବୁଧବାର ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟର ଡିନ୍ ଡକ୍ଟର ଭି ବିଜୟ କୁମାର ଉଦଘାଟନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏହି ମିଡିଆ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ ବିଶେଷଜ୍ଞ, ଶିକ୍ଷାବିତ୍, ମିଡିଆ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇଥିଲେ। ସମ୍ମିଳନୀରେ ବକ୍ତାମାନେ ଡିଜିଟାଲ୍ ବିଜ୍ଞାପନ, କପି ରାଇଟ୍, ବ୍ରାଣ୍ଡ ଯୋଗାଯୋଗ ଏବଂ ଆକାଉଣ୍ଟ ମ୍ୟାନେଜମେଣ୍ଟ ଆଦି ବିଭିନ୍ନ ବିଷୟରେ ନିଜର ମତ ରଖିଥିଲେ।

କାର୍ଯ୍ୟକ୍ରମରେ ଫ୍ରିହ୍ୱିଲିଂ ପ୍ରୋଜେକ୍ଟର କାର୍ଯ୍ୟନିର୍ବାହୀ ନିର୍ଦେଶକ ଲୁଏଲା ରେବେଲୋ ଆଜିର ଯୁଗରେ ବିଜ୍ଞାପନରେ ସୃଜନଶୀଳ ଚିନ୍ତାଧାରାର ଗୁରୁତ୍ୱ ଏବଂ ଭୂମିକା ଉପରେ ଆଲୋକପାତ କରିଥିଲେ। କିଛି ପରିବର୍ତ୍ତନ ସୃଷ୍ଟି କରିବା ପାଇଁ ନିଜର ସୃଜନଶୀଳ ଶକ୍ତିର ଉପଯୁକ୍ତ ବ୍ୟବହାର ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।

ସେହିପରି ଭିଜିସି ବିଜ୍ଞାପନର ନିର୍ଦେଶକ ତଥା ଷ୍ଟ୍ରାଟେଜିକ୍ ବିଜନେସ୍ ମୁଖ୍ୟ ରାହୁଲ ବିଜୟକୁମାର ବିଜ୍ଞାପନ ଜଗତରେ ଥିବା ନିଜର ଅଭିଜ୍ଞତା ବାବଦରେ କହିଥିଲେ। ସେ ଛାତ୍ରମାନଙ୍କୁ ବିଜ୍ଞାପନରେ ବିଶେଷ ଭାବେ ବ୍ୟବହାର ହେଉଥିବା ବ୍ରାଣ୍ଡ ଯୋଗାଯୋଗ ଏବଂ ଏହାର କାର୍ଯ୍ୟକାରିତା ଉପରେ ମାର୍ଗଦର୍ଶନ କରିଥିଲେ।

ଅନ୍ୟପଟେ ଏହି ମିଡିଆ ସମ୍ମିଳନୀରେ ବିଭିନ୍ନ ବ୍ରାଣ୍ଡିଂ, ମାର୍କେଟିଂ ଶୈଳୀ ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ କମ୍ପାନି କିଭଳି ଭାବେ ନିଜ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି, ସେ ବିଷୟରେ ଏଠାରେ ଚର୍ଚ୍ଚା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ୧୫୦ ଜଣ ମିଡିଆ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିସହ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀକୁ ସ୍କୁଲ ଅଫ କମ୍ୟୁନିକେସନସର ୟୁଜି ଏବଂ ପିଜି ଛାତ୍ରଛାତ୍ରୀମାନେ ଆୟୋଜନ କରିଥିଲେ। ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଅର୍ପିତା ଶାହା ଏହି ସମ୍ମିଳନୀକୁ ସଂଯୋଜନା କରିଥିଲେ।

Tags: #XIMUniversity #Xtraordinaire2023 #AnnualMediaConference #MediaStudies

Comment