ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ଆସିଲେ ଓଡ଼ିଶାକୁ ମାଡ଼ି ଆସେ ବାତ୍ୟା ଭୟ। କାରଣ ଅକ୍ଟୋବର ମାସରେ ଅନେକ ପ୍ରଳୟଙ୍କରୀ ବାତ୍ୟା ଦେଖିଛି ଓଡ଼ିଶା। ୧୯୯୯ ମହାବାତ୍ୟାରୁ ଆଜି ଯାଏଁ ଏକାଧିକ ବାତ୍ୟା ଓଡ଼ିଶାକୁ ବେଶ ପ୍ରଭାବିତ କରିଛି।
କିଛି ବାତ୍ୟା ପ୍ରାୟ ମେ’ ମାସରେ ଘଟୁଥିବାବେଳେ ଅଧିକାଂଶ ଅକ୍ଟୋବର ମାସରେ ପ୍ରଭାବ ଦେଖାଇଥାନ୍ତି। ଏବେ ପୁଣି ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି ବାତ୍ୟା ‘ମୋନ୍ଥା’। ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଦେଇ ଅତିକ୍ରମ କରିବା ନେଇ ଆକଳନ କରାଯାଇଛି। ତେବେ ଅକ୍ଟୋବର ୨୮ ଓ ୨୯ ତାରିଖ ଦକ୍ଷିଣ ଓଡ଼ିଶାକୁ ରେଡ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବହିବା ନେଇ ପୂବାନୁମାନ କରାଯାଇଛି।
୧୯୯୯ରେ ତାଣ୍ଡବ ରଚି ଥିଲା ମହାବାତ୍ୟା
ସେଦିନ ଥିଲା ୧୯୯୯ ଅକ୍ଟୋବର ମାସ ୨୯ ତାରିଖ। ମାଡ଼ି ଆସିଲା ମହା ପ୍ରଳୟଙ୍କାରୀ ମହାବାତ୍ୟା। ମହାବାତ୍ୟା ତାଣ୍ଡବରେ ପ୍ରାୟ ୧୦ ହଜାର ଲୋକ ଜୀବନ ଚାଲିଗଲା। ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲା ଓଡ଼ିଶାର ଉପକୂଳ ଅଞ୍ଚଳ। ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମହାବାତ୍ୟା ମାଡ଼ରେ ନିସ୍ତେଜ ହୋଇ ଯାଇଥିଲା।
ଦୁଃଖ ଦେଇଗଲା ‘ଫାଇଲିନ’
୨୦୧୩ରେ ଆସିଥିଲା ବାତ୍ୟା ଫାଇଲିନ। ଗଞ୍ଜାମ ଜିଲ୍ଲାର ଗୋପାଳପୁରେ ଏହା ଲ୍ୟାଣ୍ଡଫଲ କରିଥିଲା। ଫାଇଲିନ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଜିଲ୍ଲାର ୧୪, ୫୧୪ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ଗଞ୍ଜାମ ଜିଲ୍ଲା ସହ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।
୨୦୧୪ରେ ‘ହୁଡହୁଡ’ ଭୟ
୨୦୧୪ରେ ଆସିଥିଲା ବାତ୍ୟା ‘ହୁଡହୁଡ’। ଅକ୍ଟୋବର ୧୨ ତାରିଖରେ ବିଶାଖାପାଟଣାରେ ସ୍ଥଳଭାଗ ଛୁଇଁଥିଲା ହୁଡହୁଡ। ସରକାରୀ ରିପୋର୍ଟ ଅନୁଯାୟୀ, ଏହି ବାତ୍ୟାରେ ୨୨ ଜଣଙ୍କ ଜୀବନ ଯାଇଥିଲା। ୩୨୦ ଗ୍ରାମର ପ୍ରାୟ ୨୪୮,୦୦ ଲୋକ ପ୍ରଭାବିତ ହୋଇଥିଲେ।
୨୦୧୮ରେ ନିଜ ହଜାଇଥିଲା ‘ତିତଲି’
୨୦୧୮ ଅକ୍ଟୋବରର ୨ୟ ସପ୍ତାହରେ ଆସିଥିଲା ବାତ୍ୟା ‘ତିତଲି’। ଏହା ଦକ୍ଷିଣ-ପୂର୍ବ ଉପକୂଳ ଗୋପାଲପୁରରେ ସ୍ଥଳଭାଗ ଛୁଇଁଥିଲା। ତିତଲି ମାଡ଼ରେ ଓଡ଼ିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ପରେ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୬୦ ଲୋକଙ୍କ ଜୀବନ ଚାଲି ଯାଇଥିଲା।
୨୦୧୯ରେ ଦୁଇଟି ବାତ୍ୟା ଦେଖିଲା ଓଡ଼ିଶା
୨୦୧୯ରେ ଦୁଇ ଦୁଇଟି ବାତ୍ୟାକୁ ସାମ୍ନା କରିଥିଲା ଓଡ଼ିଶା। ମେ’ ୩ ତାରିଖରେ ଆସିଥିଲା ବାତ୍ୟା ‘ଫନି’ ଏବଂ ନଭେମ୍ବର ୩ ତାରିଖରେ ଆସିଥିଲା ‘ବୁଲବୁଲ’। ‘ଫନି’ ପୁରୀ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି କରିଥିଲା। ରିପୋର୍ଟ ଅନୁଯାୟୀ ଏଥିରେ ୬୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୪୦,୦୦୦ ହେକ୍ଟର ଫସଲ ନଷ୍ଟ ହୋଇଥିଲା।
ବାତ୍ୟା ‘ବୁଲବୁଲ’ ଯଦିଓ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡରେ ସ୍ଥଳଭାଗ ସ୍ପର୍ଶ କରିଥିଲା, ତଥାପି ଏହାର ପ୍ରଭାବ ଓଡ଼ିଶାର ଚାଷକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଏକର ଏକର ଜମିର ଫସଲ ନଷ୍ଟ କରି ଦେଇଥିଲା ଏହି ବାତ୍ୟା।
୨୦୨୦ରେ ଭୟ ସୃଷ୍ଟି କରିଥିଲା ‘ଅମ୍ଫାନ’
୨୦୨୦ ମେ’ ମାସରରେ ଆସିଥିଲା ବାତ୍ୟା ଅମ୍ଫାନ। ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିଥିଲେ ହେଁ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିଲା। ୧୯୯୯ ମହାବାତ୍ୟା ପରେ ଏହାଥିଲା ସବୁଠାରୁ ଶକ୍ତିଶାଳୀ ବାତ୍ୟା। ପ୍ରାୟ ୯,୮୯୩ ଗାଁ ଏବଂ ୨୨ ସହରାଞ୍ଚଳର ପ୍ରାୟ ୪୪.୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।
୨୦୨୪ରେ ପ୍ରଭାବ ଦେଖାଇଲା ‘ଦାନା’
ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଭାବ ଦେଖାଇଥିଲା ବାତ୍ୟା ‘ଦାନା’। ବଙ୍ଗୋପସାଗରରେ ଆସିଥିବା ଭୀଷଣ ବାତ୍ୟା ‘ଦାନା’ ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ଏହା ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ସମେତ ଅନ୍ୟ କିଛି ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ ପ୍ରଭାବିତ ହୋଇଥିଲା।
ଅକ୍ଟୋବର କାହିଁକି ହୁଏ ବାତ୍ୟା?
ଅଧିକାଂଶ ବାତ୍ୟା ଅକ୍ଟୋବରରେ କାହିଁକି ହୁଏ, ଏହାକୁ ନେଇ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଅକ୍ଟୋବର ମାସ ହେଉଛି ବାତ୍ୟାପ୍ରବଣ ମାସ। ଏହି ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରି ଯାଇଥାଏ ଏବଂ ପୂର୍ବପଶ୍ଚିମ ମୌସୁମୀ ଆଗମନ କରିଥାଏ। ଏହି ସମୟରେ ବଙ୍ଗୋପସାଗର ଉପର ଭାଗ ଗରମ ହୋଇଥାଏ। ଫଳରେ ଝଡ଼ ସୃଷ୍ଟି ହେବା ସହ ସମୁଦ୍ର ଅଶାନ୍ତ ହୋଇପଡ଼ିଥାଏ। ଏହା ଘନିଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେଇଥାଏ।
Tags: #Cyclone #IMD #MCBBSR #Odisha #CycloneUpdates #OctoberCyclone


















