ଓଡ଼ିଶାଲାଇଭ୍ ବ୍ୟୁରୋ

ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ
(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର। ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ଇମ୍ପା ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ପା ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଉଛି।
ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ହିନ୍ଦୀ କବି ତଥା ଲେଖିକା ପ୍ରଫେସର ସବିତା ସିଂହ ଦେବଦାସ ଛୋଟରାୟଙ୍କୁ ‘ଶାରଳା ପୁରସ୍କାର’ ପ୍ରଦାନ କରିଥିଲେ। ପୁରସ୍କାର ବାବଦକୁ ତାମ୍ରଫଳକ, ଉପାୟନ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
ଏହି ଅବସରରେ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବର୍ଷିୟାନ୍ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଏବଂ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାମ୍ର ଫଳକ ସହ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି।
ପୁରସ୍କାର ପ୍ରଦାନ ଉତ୍ସବରେ ଇମ୍ପାକ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଅଧ୍ୟକ୍ଷତା କରି କହିଥିଲେ ଯେ ଶାରଳା ପୁରସ୍କାର ବିଜେତା ଦେବଦାସ ଛୋଟରାୟ ନିଜ ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରି ଆସିଛନ୍ତି।
ଏହି ଅବସରରେ ମୁଖ୍ୟଅତିଥି ପ୍ରଫେସର ସବିତା ସିଂହ କହିଥିଲେ, “ସାହିତ୍ୟ ମଣିଷ ଦ୍ୱାରା ନିଜସ୍ୱ ଖୁସି ଏବଂ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ। ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଏବଂ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ। ସମସ୍ତ ସାମାଜିକ କାର୍ଯ୍ୟର କେନ୍ଦ୍ରରେ ଥାଏ ପ୍ରେମ, ଯାହାକୁ କବିତା ମୁକ୍ତ ଭାବରେ ଉପସ୍ଥାପନ କରେ।”
ପୁରସ୍କାର ଗ୍ରହଣ କରିବା ଅବସରରେ ଦେବଦାସ ଛୋଟରାୟ କହିଥିଲେ ଯେ, “ମୁଁ ଲେଖେ ନାହିଁ, କୌଣସି ବୁଝି ନହେଉଥିବା ଉପଭୋକ୍ତା ପାଇଁ, ଯାହା ଉପରେ ମୋର କୌଣସି ବିଶ୍ୱାସ ନାହିଁ। ମୁଁ କେବଳ ମୋ ପାଇଁ ଲେଖେ, ଆଉ ମୋର କିଛି ବନ୍ଧୁମାନଙ୍କ ପାଇଁ। ଆଉ ମୁଁ ପୁଣି ଲେଖେ ସମୟ କାଟିବାର ଶ୍ଳେଷକୁ ଲାଘବ କରିବା ପାଇଁ।”
ତାଙ୍କ ‘ମ୍ୟାଟିନି ଶୋ’ ଗଳ୍ପ ସଂକଳନ ସାରଳା ପୁରସ୍କାର ପାଇଁ ବିବେଚିତ ହୋଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲେଖକ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେଇଥିଲେ।
Tags: #DevdasChhotray #PoetAndWriter #SaralaPuraskar #MatineeShow














