ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର: ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଗଳ୍ପ ନିମନ୍ତେ ସିଜିନ୍-୨ର ‘ଉଦୟରାଗ ସମ୍ମାନ’ ଗ୍ରହଣ କରିଛନ୍ତି। ଏକକ ଅତିଥି ଭାବେ ସ୍ଵନାମଧନ୍ୟ କଥାକାର ଓ କବି ଦେବଦାସ ଛୋଟରାୟ ଉପସ୍ଥିତ ରହି ପ୍ରତ୍ୟାଶାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା ‘ଟାଇମପାସ୍’ ପ୍ରଯୋଜିତ ‘ଉତ୍-ସାହିତ୍ୟ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଟାଇମପାସ୍ ନିର୍ଦ୍ଦେଶକ କବି ସରୋଜ ବଳଙ୍କ ପରିଚାଳନାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ମନୋନୀତ ସମୁଦାୟ ୩୦ ଜଣଙ୍କ ଭିତରୁ ଉପସ୍ଥିତ ଥିବା ୨୪ ଜଣ ଏହି ସମ୍ମାନ ଗ୍ରହଣ କରିଥିଲେ।

‘ଟାଇମପାସ୍’ ଗତ ବର୍ଷରୁ ଆରମ୍ଭ କରିଛି ୩୦ ବର୍ଷରୁ କମ୍ ବୟସର ଲେଖକ ଲେଖିକାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଇ ‘ଉଦୟରାଗ’ର ଆୟୋଜନ। ଚଳିତ ବର୍ଷ ଗଳ୍ପ ଓ କବିତା ବିଭାଗରେ ସର୍ବମୋଟ ତିରିଶ ଜଣ ଲେଖକଲେଖିକା ମନୋନୀତ ହୋଇଥିଲେ। ପ୍ରତ୍ୟାଶା ଗଳ୍ପ ବିଭାଗରେ ମନୋନୀତ ହୋଇଥିବା ବେଳେ ତାଙ୍କ ଗଳ୍ପଟି ପ୍ରକାଶ ପାଇବ ‘ଉଦୟରାଗ’ ସଂକଳନରେ।

“ଏ ସମସ୍ତ ଆୟୋଜନ ପଛରେ ନୂଆପିଢି ଲେଖକଙ୍କୁ ପରିଚିତି ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ରହିଛି” ‘ଟାଇମପାସ୍’ର ନିର୍ଦ୍ଦେଶକ ତଥା ସୁଲେଖକ ସରୋଜ୍ ବଳ କହିଛନ୍ତି।

ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ପ୍ରତ୍ୟାଶା ପ୍ରିୟମ୍ବଦା ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି ଓ ମମତା ପ୍ରିୟଦର୍ଶିନୀଙ୍କ କନ୍ୟା ଅଟନ୍ତି।

“ପ୍ରଥମ ଥର ଏପରି ଏକ ଭବ୍ୟ ଉତ୍ସବରେ ଏକକ ଅତିଥି ଦେବଦାସ ଛୋଟରାୟଙ୍କ ଠାରୁ ସମ୍ମାନ ପାଇବା ମୋ ପାଇଁ ଅପ୍ରତ୍ୟାଶିତ ଓ ସ୍ମରଣୀୟ। ମୁଁ ଏପରି ଉତ୍ସବ ଦ୍ଵାରା ସତରେ ପ୍ରେରଣା ପାଇଛି। ଆମମାନଙ୍କ ପାଇଁ ଏହା ଏକ ସୁନ୍ଦର ପ୍ଲାଟଫର୍ମ”, ପ୍ରତ୍ୟାଶା କହିଛନ୍ତି।

Comment