ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁକୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଏଥର ସିଜିନ୍-୨ର ଉଦୟରାଗ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା ‘ଟାଇମପାସ୍’ ଗତ ବର୍ଷରୁ ଆରମ୍ଭ କରିଛି ୩୦ ବର୍ଷରୁ କମ୍ ବୟସର ଲେଖକ ଲେଖିକାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଇ ‘ଉଦୟରାଗ’ ଆୟୋଜନ। ଚଳିତ ବର୍ଷ ଗଳ୍ପ ଓ କବିତା ବିଭାଗରେ ସର୍ବମୋଟ ତିରିଶ ଜଣ ଲେଖକ ଲେଖିକା ମନୋନିତ ହୋଇଛନ୍ତି। ପ୍ରତ୍ୟାଶା ଗଳ୍ପ ବିଭାଗରେ ମନୋନୀତ ହୋଇଥିବା ବେଳେ ତାଙ୍କ ଗଳ୍ପଟି ପ୍ରକାଶ ପାଇବ ଉଦୟରାଗ ସଂକଳନରେ।

ଆସନ୍ତା ଅକ୍ଟୋବର ୨୦ ତାରିଖ ଦିନ ଭୁବନେଶ୍ୱରଠାରେ ଆୟୋଜିତ ହେଉଛି ‘ଉତ୍-ସାହିତ୍ୟ’ ନାମରେ ଏକ ସୃଜନ ସମାବେଶ। ଏହି ସମାବେଶରେ ପ୍ରତ୍ୟାଶା ସମ୍ମାନ ଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିସହ ସେଦିନ ‘ଉଦୟରାଗ-୨’ ନାମରେ ଏକ ସଂକଳନ ମଧ୍ୟ ଉନ୍ମୋଚିତ ହେବ ଯେଉଁଥିରେ ରହିବ ତିରିଶ ଜଣ ବିଜୟୀ ସ୍ରଷ୍ଟାଙ୍କ ଲେଖାମାନ।

“ଏ ସମସ୍ତ ଆୟୋଜନ ପଛରେ ନୂଆପିଢି ଲେଖକଙ୍କୁ ପରିଚିତି ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ରହିଛି” ଟାଇମପାସ୍’ର ନିର୍ଦ୍ଦେଶକ ସରୋଜ୍ ବଳ ‘ଓଡିଶାଲାଇଭ୍’କୁ କହିଛନ୍ତି।

ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ପ୍ରତ୍ୟାଶା ପ୍ରିୟମ୍ବଦା ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି ଓ ମମତା ପ୍ରିୟଦର୍ଶିନୀଙ୍କ ଝିଅ। ସମ୍ପ୍ରତି ସେ ‘ସମ୍ବାଦ’ର ବାଲେଶ୍ଵର ସଂସ୍କରଣରେ ସିଟି ରିପୋର୍ଟର୍ ଭାବେ କାର୍ଯ୍ୟରତ।

“ମୁଁ ଗଳ୍ପ ଲେଖା ପ୍ରତି ଆରମ୍ଭରୁ ଆଗ୍ରହୀ ଥିଲେ ହେଁ, ସାମ୍ବାଦିକତା କରିବା ପରେ ଲେଖିବାର ସୁଯୋଗ ଓ ପ୍ରେରଣା ପାଇଲି”, କହିଛନ୍ତି ପ୍ରତ୍ୟାଶା।

ତାଙ୍କର ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଆଦୃତ ହୋଇଛି। ମାନବିକତାର ଅବକ୍ଷୟ ଏବେ ପ୍ରେମରେ ଛଳନା ଆଦି ତାଙ୍କ ଗଳ୍ପର ବିଷୟବସ୍ତୁ ବୋଲି ସେ କହନ୍ତି।

Comment