ଓଡ଼ିଶାଲାଇଭ୍ ବ୍ୟୁରୋ

CINEMA HALL

ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ୧୫ରୁ ଖୋଲିବ ଆପଣଙ୍କ ସହରର ସିନେମା ହଲ୍। ହେଲେ କରୋନା ପାଇଁ ଅନେକ କଟକଣା ଜାରି ହୋଇଛି। ଉଭୟ ଥିଏଟର ମାଲିକ ଓ ଦର୍ଶକଙ୍କୁ ମାନିବାକୁ ପଡ଼ିବ ଏସବୁ କଟକଣା। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଜି ଏସଓପି ଜାରି କରିଛନ୍ତି।

ସିନେମା ହଲ୍ ସବୁ ୫୦ ପ୍ରତିଶତ ସିଟ୍ ପାଇଁ ବୁକିଂ କରିପାରିବେ। ବାକି ୫୦ ପ୍ରତିଶତ ସିଟ୍ ଖାଲି ରହିବ। ହଲ୍ ଭିତରକୁ ଖାଇବା ନେଇହେବ ନାହିଁ। କେବଳ ପ୍ୟାକେଜିଂ ଫୁଡ୍ ପାଇଁ ଅନୁମତି ମିଳିବ। ଦୁଇଟି ସୋ ମଧ୍ୟରେ ଯଥେଷ୍ଟ ସମୟର ବିରତି ରହିବ। ସମସ୍ତ ଦର୍ଶକଙ୍କ ଯୋଗାଯୋଗ ଠିକଣା ଓ ମୋବାଇଲ ନମ୍ବର ରହିବ। ଯାହା ଦ୍ୱାରା କଣ୍ଟାକ୍ଟ ଟ୍ରେସିଂ କରିବାରେ କିଛି ଅସୁବିଧା ହେବନାହିଁ। ତେବେ ଗୃହମନ୍ତ୍ରାଳୟ ଗତ ୩୦ ତାରିଖରେ ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ସିଟ ଅନୁମତି ଥାଇ ଖୋଲିବ ବୋଲି ସୂଚନା ଦେଇଥିଲେ। ଏବଂ ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମାର୍ଗଦର୍ଶୀକା ଜାରି କରିବ ବୋଲି ଗୃହମନ୍ତ୍ରାଳୟ କହିଥିଲା।

CINEMA HALL

ତେବେ କଣ୍ଟେନମେଣ୍ଟ ଜୋନ ପରିସରରେ କୌଣସି ହଲ୍ ଖୋଲା ରହିବନାହିଁ। ୱେଟିଂ ଏରିଆରେ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଅତି କମରେ 6 ଫୁଟର ଦୂରତା ବଜାୟ ରଖାଯିବ। ସବୁବେଳେ ମାସ୍କ ପିନ୍ଧିବାକୁ ପଡ଼ିବ। ଏଣ୍ଟ୍ରି ଓ ଏକଜିଟ୍ ପଏଣ୍ଟରେ ସାନିଟାଇଜରର ବ୍ୟବସ୍ଥା ସହ ଟଚ୍ ଫ୍ରି ମୋଡରେ ଥିଏଟର ଚାଲିବା ଉପରେ ଗୁରୁତ୍ୱ ଦିଆଯାଇଛି। ଯେପରିକି ଡିଜିଟାଲ ଟିକଟ, ଡିଜିଟାଲ ପେମେଣ୍ଟ ଏବଂ ଡିଜିଟାଲ ଭେରିଫିକେସନକୁ ଗୁରୁତ୍ୱ ଦିଆଯିବ। ଟିକଟ ବୁକିଂ ବେଳେ ହିଁ କଣ୍ଟାକ୍ଟ ନମ୍ବର ରଖିବାକୁ ପଡ଼ିବ। ସମସ୍ତେ ଯେପରି ଆରୋଗ୍ୟ ସେତୁ ବ୍ୟବହାର କରିବେ ସେ ନେଇ ପରାମର୍ଶ ଦିଆଯିବ। ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ କରାଯିବ। କେବଳ କୌଣସି ଲକ୍ଷଣ ନ ଥିଲେ ହିଁ ସିନେମା ଦେଖିବାକୁ ଅନୁମତି ମିଳିବ ବୋଲି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ସିନେମା ଶେଷ ସମୟରେ ଯେପରି ଭିଡ଼ ହେବ ନାହିଁ, ୬ ଫୁଟ ଦୂରତା ବଜାୟ ରଖି ସମସ୍ତେ ଯେପରି ସିନେମା ହଲରୁ ବାହାରିବେ ତାହା ଜଗିବା ଦାୟିତ୍ୱ କର୍ତ୍ତୃପକ୍ଷଙ୍କ ଉପରେ ରହିବ।

multiplex open

ହଲ୍ ଭିତରେ ଗୋଟିଏ ଛାଡ଼ି ଗୋଟିଏ ସିଟରେ ଦର୍ଶକ ବସିବେ। ଅନ୍ୟ ସିଟରେ ବସିହେବ ନାହିଁ ବୋଲି ଉଲ୍ଲେଖ ରହିବ। ପ୍ରତ୍ୟକ ସୋ ପରେ ଗ୍ୟାଲେରି ସାନିଟାଇଜ ହେବା ବାଧ୍ୟତାମୂଳକ। ସାନିଟାଇଜ କରୁଥିବା କର୍ମଚାରୀ ପିପିଇ କିଟ୍, ବୁଟ୍, ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ତେବେ ଏସବୁ କେନ୍ଦ୍ର ଜାରି କରିଥିବା ମାର୍ଗଦର୍ଶିକା। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଚାହିଁଲେ ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସ୍ଥିର କରିଛି। କରୋନା ପରଠାରୁ ସିନେମା ହଲ୍, ଥିଏଟର ବନ୍ଦ ଥିବାରୁ ମନୋରଞ୍ଜନ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ଶିଳ୍ପକୁ ଟ୍ରାକକୁ ଫେରାଇବା ପାଇଁ ବହୁ ଥିଏଟର ଓ ସିନେମା ହଲ୍ ମାଲିକମାନେ କଟକଣା ସହ ଥିଏଟର ଖୋଲିବାକୁ ଅନୁମତି ଦେବା ପାଇଁ ଦାବି କରିଆସୁଥିଲେ।

Comment