ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡର ନୂଆ ଭାରିଏଣ୍ଟ ବିଏଫ୍ .୭କୁ ନେଇ ଚିନ୍ତା ବଢ଼ିଛି। ଚୀନ, ଜାପାନ ଏବଂ ଆମେରିକା ଭଳି ୭ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଭାରତରେ କୋଭିଡ ମୁକାବିଲା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଆଗାମୀ ୪୦ ଦିନ ଭାରତ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ଭାରତରେ ଶୁକ୍ରବାର ଦିନ ୨୪୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦେଶରେ ୩,୬୦୯ଟି ସକ୍ରିୟ ମାମଲା ରହିଛି। ଏହା ପୂର୍ବରୁ ଗୁରୁବାର ଦିନ ଆସିଥିବା କୋଭିଡ ରିପୋର୍ଟ ଅନୁସାରେ ୨୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡର ଦୈନିକ ପଜିଟିଭ ରେଟ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ରେଟ ୦.୧୬ ପ୍ରତିଶତ ରହିଛି। ୨,୧୩,୦୮୦ ଜଣଙ୍କର କୋଭିଡ ପରୀକ୍ଷା କରିଥିବାବେଳେ ୨୪୩ଟି ପଜିଟିଭ ମାମଲା ଆସିଛି।

୨୦୨୦ ମସିହା ଅଗଷ୍ଟ ୭ ତାରିଖ ବେଳକୁ ଭାରତରେ କୋଭିଡ ସଂକ୍ରମଣ ୨୦ ଲକ୍ଷ ଟପିଟିଲା। ଅଗଷ୍ଟ ୨୩ ତାରିଖରେ ୩୦ ଲକ୍ଷ, ସେପ୍ଟେମ୍ବର ୫ ତାରିଖରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ ତାରିଖରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ ତାରିଖରେ ୬୦ ଲକ୍ଷ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଟପିଥିବାବେଳେ ଅକ୍ଟୋବର ୧୧ ତାରିଖରେ ୭୦ ଲକ୍ଷ, ଅକ୍ଟୋବର ୨୯ ତାରିଖରେ ୮୦ ଲକ୍ଷ, ନଭେମ୍ବର ୨୦ ତାରିଖରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ ତାରିଖରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚି ଥିଲା।

ଏହା ପରେ ଦେଶରେ ୨୦୨୧ ମସିହା ମେ’ ୪ ତାରିଖ ବେଳକୁ ୨ କୋଟି, ଜୁନ ୨୩ ତାରିଖରେ ୩ କୋଟି କୋଭିଡ ଆକ୍ରାନ୍ତ ଭାରତରେ ବାହାରିଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି।

କୋଭିଡକୁ ନେଇ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପରିଧାନ ସହ ସାମାଜିକ ଦୂରତା ଏବଂ ବାରମ୍ବାର ହାତ ଧୋଇବାକୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯିବା ସହ କୋଭିଡ ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି।

Tags: #Covid19 #Corona #CoronaVirus #CovidCasesinIndia

LEAVE A REPLY

Please enter your comment!
Please enter your name here