ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ନରେନ୍ଦ୍ର ମୋଦୀଙ୍କୁ ‘ଦ ଗ୍ରେଟ ଅନର ନିଶାନ ଅଫ ଇଥିଓପିଆ’ ସମ୍ମାନ ପ୍ରଦାନ କରିଛନ୍ତି ଇଥିଓପିଆ ସରକାର। ମୋଦୀ ଏହି ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି।

ଜୋର୍ଡାନ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଥିଓପିଆରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ମୋଦୀଙ୍କୁ ସ୍ଵାଗତ କରିବା ପାଇଁ ପହଞ୍ଚିଥିଲେ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ। ଅବି ଅହମ୍ମଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ କାରରେ ହୋଟେଲ ପର୍ଯ୍ୟନ୍ତ ନେଇଥିଲେ। ବାଟରେ ସାଇନ୍ସ ମ୍ୟୁଜିୟମ ଏବଂ ମୈତ୍ରୀ ପାର୍କ ବୁଲି ଦେଖିଥିଲେ ନରେନ୍ଦ୍ର ମୋଦୀ।

ହୋଟେଲରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରିଥିଲେ। ପରେ ନ୍ୟାସନାଲ ପ୍ୟାଲେସରେ ନରେନ୍ଦ୍ର ମୋଦୀଙ୍କୁ ଔପଚାରିକ ଭାବେ ସ୍ଵାଗତ କରାଯାଇଥିଲା।

ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା। ପରେ ନରେନ୍ଦ୍ର ମୋଦୀଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଗ୍ରେଟ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ। ଏହାକୁ ମିଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି।  

Tags: #PMNarendraModi #Ethiopia #HighestHonour #TheGreatHonourNishanofEthiopia #EthiopiaGovt

Comment