ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପର ଏରସମା ଅଞ୍ଚଳରେ ଜେଏସଡବ୍ଲୁ ଷ୍ଟିଲର ମେଗା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ପାରାଦୀପରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ।

ଏହି ପ୍ରକଳ୍ପରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ୨ଟି ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯାହା ଓଡ଼ିଶା ଇତିହାସରେ ସର୍ବବୃହତ୍। ଏହି ଅତ୍ୟାଧୁନିକ ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବ। ଏହାସହ ଏଠାରେ ୧୨ ମିଲିଅନ୍ ଟନର ଏକ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟର କାପ୍‌ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ।

“ଓଡ଼ିଶା ସରକାର ରାଜ୍ଯରେ ଅଧିକ ଶିଳ୍ପାୟନ ପାଇଁ ଗୁରୁତ୍ଵ ଦେଉଛନ୍ତି। ସବୁ ଶିଳ୍ପ ପ୍ରକଳ୍ପର ମଞ୍ଜୁରୀ ଫାଷ୍ଟ-ଟ୍ରାକ୍ ମୋଡ୍‌ରେ ପ୍ରଦାନ କରାଯାଉଛି। ଏହି ଜେଏସଡବ୍ଲୁ ଷ୍ଟିଲ୍ ପ୍ଲାଣ୍ଟର ୨୦୨୮ ସୁଦ୍ଧା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଷ୍ଟିଲ୍ ଉତ୍ପାଦନ ଆରମ୍ଭ ହେବ। ଏହା ଓଡ଼ିଶାର ଶିଳ୍ପ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “୨୦୨୪ରେ ଓଡ଼ିଶାରେ ନୂଆ ସରକାର ଆସିବା ପରେ ୪୩୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନ ସୁଦ୍ଧା ୧୪୮ଟି ପ୍ରକଳ୍ପର ଭୂମିପୂଜା ସରିଛି, ଯାହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୩୭ ହଜାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ସହର ଯଥା ହାଇଦ୍ରାବାଦ, କୋଲକାତା ଓ ଗୁଜରାଟ ଗସ୍ତ କରି ଆମେ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆଣିବାରେ ସଫଳ ହୋଇଛୁ”।

ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ ଦୁଇ ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ଏଠାରେ ଇଣ୍ଡିଆନ୍ ଅଏଲ୍ ରିଫାଇନାରୀ ଏବଂ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ପରେ ଏବେ ଏକ କ୍ରୁଜ୍ ଟର୍ମିନାଲ୍ ଏବଂ ମେଗା ଜାହାଜ ନିର୍ମାଣ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଯୋଜନା ରହିଛି।

ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ୫ ହଜାର କୋଟି ଟଙ୍କା ଅନୁଦାନରେ ପାରାଦୀପ-କଟକ-ଭୁବନେଶ୍ୱର-ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ, ଯେଉଁଥିରେ ପାରାଦୀପ ‘ମୁଖଶାଳା’ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

“ଜେଏସଡବ୍ଲୁ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବା ପାରାଦୀପ ଏବଂ ସମଗ୍ର ଜଗତସିଂହପୁର ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ସ୍ଥାନୀୟ ଜନସାଧାରଣ ଯେଉଁ ସ୍ୱପ୍ନ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଖିଥିଲେ, ତାହା ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟରେ ଶିଳ୍ପାୟନର ବାତାବରଣକୁ ଅଧିକ ସୁଦୃଢ଼ କରିବା ସହ ନିବେଶକମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ଶିଳ୍ପ ବିଭାଗ ଦିନରାତି କାର୍ଯ୍ୟ କରୁଛି। ଏହା ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ”, କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।

ଏହି ସମାରୋହରେ ଜେଏସଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଏବଂ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ, ଜେଏସଡବ୍ଲୁ ଗ୍ରୁପର ସଭାପତି ଅନିଲ କୁମାର ସିଂହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।

Tags: #JSWSteelPlant #JSWGroup #Paradeep #Industrialization #Odisha

Comment