ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର: ବଦଳୁଛି ଦୁନିଆ। ତା’ସହ ବଦଳିଛି କାମ କରିବାର ଧାରା। ଆଜିର ଡିଜିଟାଲ ଓ ମୋବାଇଲ ସମୟରେ ଯୁବପିଢ଼ି ପାଇଁ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଦକ୍ଷତା ବା ସ୍କିଲ୍‌। ଏହି କ୍ଷେତ୍ରରେ ଓଡ଼ିଶା ଆଜି ନୂଆ ଉଚ୍ଚତାକୁ ଯାଉଛି। ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ ଲଗାତର ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଫଳରେ ରାଜ୍ୟ ପାଇଁ ଗୌରବ ଆସିପାରିଛି।

ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬

ଦେଶର ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ଲାଟଫର୍ମ ହେଉଛି ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା। ତେଣୁ, ପ୍ରତି ଦୁଇ ବର୍ଷରେ ଥରେ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ୨୦୨୧-୨୨, ୨୦୨୩-୨୪ ଏବଂ ୨୦୨୫-୨୬ରେ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରି ନିଆରା ରେକର୍ଡ ସୃଷ୍ଟି କରିପାରିଛି।

ଚଳିତବର୍ଷ ନାସନାଲ ସ୍କିଲ ଡେଭଲପମେଣ୍ଟ କାଉନ୍ସିଲ (ଏନଏସଡିସି) ପକ୍ଷରୁ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଦେଶର ୫ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ସେଥିରୁ ଓଡ଼ିଶା, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକର ଅଫସାଇଟ୍ କେନ୍ଦ୍ର ଏବଂ ଗ୍ରେଟର ନୋଏଡାରେ ଗୋଟିଏ ଅନସାଇଟ୍ କେନ୍ଦ୍ରରେ ପ୍ରତିଯୋଗିତାଗୁଡ଼ିକ ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୬୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଜୁରି ସଦସ୍ୟ ଏବଂ ୱାର୍ଲ୍ଡ ସ୍କିଲ୍ସ ବିଶେଷଜ୍ଞମାନେ ଉପସ୍ଥିତ ରହି ପ୍ରତିଯୋଗୀଙ୍କ ଦକ୍ଷତାକୁ ମୂଲ୍ୟାୟନ କରିଥିଲେ।

‘ଟିମ୍‌ ଓଡ଼ିଶା’କୁ ୫୭ ପଦକ

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ପ୍ରତିଯୋଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ରାଜ୍ୟର ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି, କ୍ରିଏଟିଭ ଆର୍ଟ ଆଣ୍ଡ ଫ୍ୟାସନ, ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମୋବାଇଲ ଆପ୍ଲିକେସନ୍ ଭଳି ୫୦ଟି ସ୍କିଲରେ ପ୍ରତିଯୋଗୀମାନେ ଦକ୍ଷତା ପ୍ରଦର୍ଶନ କରି ମୋଟ ୫୭ଟି ପଦକ ଜିତିଥିଲେ। ତା’ ଭିତରେ ୧୫ ଜଣ ସ୍ୱର୍ଣ୍ଣ, ୧୨ ଜଣ ରୌପ୍ୟ ଏବଂ ୧୪ ଜଣ ପ୍ରତିଯୋଗୀ ବ୍ରୋଞ୍ଜ ପଦକ ପାଇଥିଲେ। ସେହିପରି ୧୬ ଜଣଙ୍କୁ ‘ମେଡାଲିୟନ୍ସ ଫର ଏକ୍ସଲେନ୍ସ‘ ପୁରସ୍କାର ପ୍ରଦାନ କରାଯାଇଥିଲା।

‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ପ୍ରମୁଖ ଯୋଗଦାନ

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ‘ଓଡ଼ିଶା ସ୍କିଲ୍ପ‘ରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନେ ‘ଇଣ୍ଡିଆ ସ୍କିଲ୍ସ’ରେ ଭାଗ ନେଇଥିଲେ। ତେଣୁ, ଏଥିରେ ଲଗାତର ତୃତୀୟ ଥର ପାଇଁ ‘ଟିମ୍‌ ଓଡ଼ିଶା’ କିପରି ସଫଳତା ପାଇବ ସେନେଇ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି କେନ୍ଦ୍ରର ଦକ୍ଷ ପ୍ରଶିକ୍ଷକମାନେ ପ୍ରତିଯୋଗୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ସହ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତି କରାଇଥିଲେ। ଏଥିରେ ମେଣ୍ଟରିଂ, ମକ୍ ଟେଷ୍ଟ ଓ ପ୍ରଦର୍ଶନ ମୂଲ୍ୟାଙ୍କନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଆଗାମୀ ଲକ୍ଷ୍ୟ ‘ୱାର୍ଲ୍ଡ ସ୍କିଲ୍ସ-୨୦୨୬’

‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ସେପ୍ଟେମ୍ବର ମାସରେ ଚୀନର ସାଙ୍ଘାଇଠାରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ-୨୦୨୬’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ, ଯାହା ବିଶ୍ୱ ସ୍ତରରେ ଦେଶ ପାଇଁ ଗର୍ବ ଏବଂ ଗୌରବ ଆଣିବ।

“ଇଣ୍ଡିଆ ସ୍କିଲ୍ସ ଭଳି ପ୍ରତିଯୋଗିତା ମୋ’ ପାଇଁ ଗୋଟିଏ ବଡ଼ ପ୍ଲାଟଫର୍ମ ଥିଲା। ଏଠାରେ ମୁଁ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀଙ୍କ ସହ ମିଶିବାର ସୁଯୋଗ ପାଇଥିଲି। ଆଗକୁ ଚୀନର ସାଙ୍ଘାଇରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ମଧ୍ୟ ଭଲ ପ୍ରଦର୍ଶନ କରି ଦେଶ ପାଇଁ ପଦକ ଆଣିବି।”

ସୁଧାଂଶୁ ଶେଖର ସାହୁ, ସ୍ୱର୍ଣ୍ଣ ପଦକ ବିଜେତା, ଇଣ୍ଡିଆ ସ୍କିଲ୍ସ

“ଆମର ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଏକ ଭଲ ସୁଯୋଗ ପ୍ରଦାନ କରିଛି। ଏଠାକୁ ଆସି ଆମେ ନୂଆ ନୂଆ ବିଷୟରେ ଜାଣିବାକୁ ପାଇଲୁ। ଏହି ପ୍ରତିଯୋଗିତାରେ ମିଳିଥିବା ଅଭିଜ୍ଞତା ଆମକୁ ଭବିଷ୍ୟତରେ ମଧ୍ୟ ବହୁତ ସହାୟକ ହେବ।”

ଅକ୍ଷୟ କୁମାର ପ୍ରଧାନ, ରୌପ୍ୟ ପଦକ ବିଜେତା, ଇଣ୍ଡିଆ ସ୍କିଲ୍ସ

“ଇଣ୍ଡିଆ ସ୍କିଲ୍ସରେ ଓଡ଼ିଶା ପାଇଁ ସ୍ଵର୍ଣ୍ଣ ପଦକ ଆଣିବା ମୋ ପାଇଁ ଏକ ସ୍ୱପ୍ନ ପରି ଥିଲା। ଏହା କେବଳ ଆମର କଠିନ ପରିଶ୍ରମ ଏବଂ ତାଲିମ ଯୋଗୁଁ ସମ୍ଭବ ହୋଇଛି। ଏବେ ‘ୱାର୍ଲ୍ଡ ସ୍କିଲ୍ସ’ରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ଗୌରବ ଆଣିବା ମୋର ଲକ୍ଷ୍ୟ।”

ପ୍ରେମାଂଶୁ ପ୍ରୀତମ ବେହେରା, ସ୍ଵର୍ଣ୍ଣ ପଦକ ବିଜେତା, ଇଣ୍ଡିଆ ସ୍କିଲ୍ସ

“ଓଡ଼ିଶାର ଯୁବପିଢ଼ିଙ୍କ ଅନନ୍ୟ ଦକ୍ଷତାକୁ ପ୍ରଦର୍ଶନ କରିବା ପାଇଁ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା ଏକ ବଡ଼ ମାଧ୍ୟମ ହୋଇପାରିଛି। ଏହି ସଫଳତା ଆମ ପ୍ରତିଯୋଗୀଙ୍କ ନିଷ୍ଠା ଓ କଠିନ ପରିଶ୍ରମର ପ୍ରତିଫଳନ। ଆଗକୁ ଚୀନର ସାଙ୍ଘାଇରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ପାଇଁ ସେମାନଙ୍କୁ ଶୁଭକାମନା।”

ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ସିଇଓ, ବିଶ୍ଵ ଦକ୍ଷତା କେନ୍ଦ୍ର

“ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶାର ଐତିହାସିକ ବିଜୟ ଆମ ପ୍ରତିଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ। ୫୭ଟି ପଦକ ସହ ଓଡ଼ିଶା ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆମକୁ ଗର୍ବିତ କରିଛି। ବିଶ୍ଵ ଦକ୍ଷତା କେନ୍ଦ୍ରର ଉତ୍ସର୍ଗୀକୃତ ନେତୃତ୍ୱ ବଳରେ ଆମର ପ୍ରତିଭାବାନ ଯୁବକମାନେ ଆଜି ଜାତୀୟ ସ୍ତରରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି। ଏହି ସଫଳତା ବିଶ୍ୱ ସ୍ତରୀୟ ଦକ୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।’’

ଡକ୍ଟର ଶୁଭଙ୍ଗ କିଶୋର ଦାସ, ଅଧ୍ୟକ୍ଷ, ବିଶ୍ଵ ଦକ୍ଷତା କେନ୍ଦ୍ର

‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତାରେ ଟିମ୍ ଓଡ଼ିଶାର ପ୍ରଦର୍ଶନ

ପ୍ରତିଯୋଗିତାସ୍ଵର୍ଣ୍ଣ ପଦକରୌପ୍ୟ ପଦକବ୍ରୋଞ୍ଜ ପଦକମେଡାଲିୟନ୍ସ ଫର ଏକ୍ସଲେନ୍ସମୋଟ ପଦକ
୨୦୨୧-୨୨୧୦୧୮୧୪୫୧
୨୦୨୩-୨୪୧୭୧୩୧୨୫୧
୨୦୨୫-୨୬୧୫୧୨୧୪୧୬୫୭

Tags: #IndiaSkills2026 #TeamOdisha #WorldSkillCenter #SkillDevelopmentOdisha #OdishaPride

Comment