ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର: ଦୂର ହେବ ଭିଡ଼ ସମସ୍ୟା। ଭିଡ଼ ମୁକ୍ତ ହେବ ଭୁବନେଶ୍ୱରର ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ରାସ୍ତା। ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି।

ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ୯୪୯ କୋଟିରୁ ଅଧିକ ଟଙ୍କା ଅଟକଳରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତୀକରଣ ଓ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍‌ଠାରୁ ଆରମ୍ଭ ହୋଇ ରଘୁନାଥପୁର ବ୍ରିଜ୍‌ ପର୍ଯ୍ୟନ୍ତ ଥିବା ବର୍ତ୍ତମାନର ୬ ଲେନ୍ ବିଶିଷ୍ଟ ରାସ୍ତାକୁ ପ୍ରଶସ୍ତ କରାଯାଇ ୮ ଲେନ୍‌ରେ ପରିଣତ କରାଯିବ। ଏହି ୯.୫ କିଲୋମିଟର ଲମ୍ବର ସମ୍ପୂର୍ଣ୍ଣ ରାସ୍ତାକୁ ଗ୍ରେଡ୍-ସେପାରେଟେଡ୍ ଜଙ୍କସନ୍ ଢାଞ୍ଚାରେ ନିର୍ମାଣ କରାଯିବ। ଏହା ନିରବଚ୍ଛିନ୍ନ ଟ୍ରାଫିକ ଚଳାଚଳକୁ ସୁନିଶ୍ଚିତ କରିବ। ଜୟଦେବ ବିହାର ଛକର ୧୬ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ସୁବିଧା ପାଇଁ ଏକ ୪ ଲେନ୍ ବିଶିଷ୍ଟ ଅତ୍ୟାଧୁନିକ ଝୁଲା ବ୍ରିଜ୍ ମଧ୍ୟ ନିର୍ମାଣ କରାଯିବ।

ଏହାଛଡ଼ା କଳିଙ୍ଗ ହସ୍ପିଟାଲ୍, ଡମଣା, କିଟ୍ ଏବଂ କଳାରାହାଙ୍ଗ ଭଳି ପ୍ରମୁଖ ଛକଗୁଡ଼ିକରେ ଫ୍ଲାଏଓଭର ନିର୍ମାଣ କରାଯିବା ସହ ଟ୍ରାଫିକ୍ ଗୋଲେଇ ବ୍ୟବସ୍ଥା ହେବାରୁ ଯାନବାହନ ଚଳାଚଳ ସୁରୁଖୁରୁରେ ହୋଇପାରିବ। ରାଜଧାନୀର ଏହି ପ୍ରମୁଖ ରାସ୍ତାରେ ସର୍ଭିସ୍ ରୋଡ୍ ନିର୍ମାଣ କରାଯିବ। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତ ଅତ୍ୟନ୍ତ ସୁବିଧାଜନକ ହେବ।

ଭୁବନେଶ୍ୱର ସହର ବିକାଶ ଯୋଜନା-୨୦୪୦ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ହଜାର ହଜାର ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ଦୂର ହେବ। ଏହା ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ସେବାକୁ ତ୍ୱରାନ୍ୱିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି ପ୍ରକଳ୍ପର ଶିଳାନ୍ୟାସ ସମୟରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂହ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Bhubaneswar #JaydevVihar #NandankananRoad #MohanChranMajhi #TrafficFreeBhubaneswar

Comment