ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି। ଏନେଇ ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିଛନ୍ତି।  

ଏହି ଯୋଜନା ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଉଥିବା ୫ କିଲୋଗ୍ରାମ ଚାଉଳ ସହିତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମାଗଣାରେ ମିଳିବ। ଫଳସ୍ୱରୂପ, ହିତାଧିକାରୀମାନେ ମୋଟ ୧୦ କିଲୋଗ୍ରାମ ଚାଉଳ ପାଇବେ। ଏହି ଯୋଜନା ଦ୍ୱାରା ରାଜ୍ୟର ୧ କୋଟି ୯୬ ହଜାର ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ବ୍ୟକ୍ତି ଉପକୃତ ହେବେ, ଯାହା ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ। ଏହି ବାବଦରେ ବାର୍ଷିକ ୮,୮୧୩ କୋଟି ଟଙ୍କା ବ୍ୟୟ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅଙ୍ଗନବାଡୀ କର୍ମୀ, ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ କରିଥିଲେ। ରାଜ୍ୟର ୭୨,୨୨୪ ଅଙ୍ଗନବାଡ଼ୀ କର୍ମୀ, ୨୮୦୨ ଲେଡି ସୁପରଭାଇଜର ଓ ୩୩୮ ବ୍ଲକ୍ ସଂଯୋଜକଙ୍କୁ ଏହି ଫୋନ ପ୍ରଦାନ କରାଯିବ। ଏଥିସହିତ ମହିଳା ସଶକ୍ତୀକରଣ ଉଦ୍ଦେଶ୍ୟରେ ‘ସୁଭଦ୍ରା ଶକ୍ତି ସମ୍ୱାଦ’ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ସେହିପରି ରାଜଧାନୀ ଭୁବନେଶ୍ୱରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତିନୋଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୦୮.୨୪ କୋଟି ଟଙ୍କା ବ୍ୟୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସରୁ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟର ୬ ଲେନ୍ ବିଶିଷ୍ଟ ରାସ୍ତା ଉଦ୍‌ଘାଟିତ ହୋଇଛି। ସେହିପରି ୯୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ୮ ଲେନ୍ ବିଶିଷ୍ଟ ଉନ୍ନତିକରଣ ଓ ଫ୍ଲାଇଓଭର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଏହାବ୍ୟତୀତ, ୮୭୪ କୋଟି ଟଙ୍କା ବ୍ୟୟରେ ଜନପଥଠାରେ ୨୦ ମହଲା ବିଶିଷ୍ଟ ଜନାଶ୍ରୟ ଭବନ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଭବନରେ ୨୦୦୦ ଲୋକଙ୍କ ପାଇଁ ସମସ୍ତ ସୁବିଧା ସହ ସ୍ୱଳ୍ପ ମୂଲ୍ୟରେ ସ୍ୱଳ୍ପକାଳୀନ ରହଣୀ ବ୍ୟବସ୍ଥା କରାଯିବ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଉପଲବ୍‌ଧି ଶୀର୍ଷକ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ବୁଲି ଦେଖିଥିଲେ।

Tags: 2YearsofLokankaSarakar #OdishaGovernment #AnnapurnaYojana #MohanCharanMajhi #Bhubaneswar

Comment