ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର: ଓଡ଼ିଶାକୁ ପୂର୍ବ ଭାରତର ମତ୍ସ୍ୟ ଉତ୍ପାଦନ ଏବଂ ରପ୍ତାନୀର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଗୁରୁବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ’ ଏବଂ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ’ ସମ୍ପର୍କିତ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, “ଓଡ଼ିଶାକୁ ଏକ ପ୍ରମୁଖ ବ୍ଲୁ ଇକୋନୋମି କେନ୍ଦ୍ର ଭାବେ ଗଢ଼ି ତୋଳାଯିବ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଜରିଆରେ ବଙ୍ଗୋପସାଗରର ଗଭୀର ଏବଂ ଦୂର ସମୁଦ୍ରରେ ଥିବା ସମ୍ପଦର ସୁବିନିଯୋଗ ହେବ। ଏହାଦ୍ୱାରା ବାର୍ଷିକ ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ ସାମୁଦ୍ରିକ ମାଛ ଉତ୍ପାଦନ ହେବା ସହ ୫୦,୦୦୦ରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିସହିତ ମତ୍ସ୍ୟଜୀବୀଙ୍କ ଆୟ ୨ ରୁ ୩ ଗୁଣ ବୃଦ୍ଧି ପାଇବ। ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବାକୁ ଯାଇ ୨୦୩୬ ସୁଦ୍ଧା ବାର୍ଷିକ ସାମୁଦ୍ରିକ ରପ୍ତାନି ଆୟକୁ ୫,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ।”
ସେହିପରି ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ’ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, “ଏହା ନୀଳ ଅର୍ଥନୀତିର ମୁଖ୍ୟ ରଣନୀତି ହେବ। ଚିଙ୍ଗୁଡ଼ି ଚାଷ ଉପଯୋଗୀ କ୍ଷାରୀୟ ଜଳ ସମ୍ପଦର ସୁବିନିଯୋଗ ଦ୍ୱାରା ବାର୍ଷିକ ୩୦ ରୁ ୪୦ ମେଟ୍ରିକ ଟନ ଚିଙ୍ଗୁଡ଼ି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସୁପର-ଇଣ୍ଟେନସିଭ୍ ଚାଷ ପ୍ରଣାଳୀ ଗ୍ରହଣ ସହିତ ହାଚେରୀ, ଫିଡ୍ ମିଲ୍ ଏବଂ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ। ଏହି ପଦକ୍ଷେପ ରାଜ୍ୟକୁ ଭାରତର ଶୀର୍ଷ ଚିଙ୍ଗୁଡ଼ି ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ରାଜ୍ୟରେ ପରିଣତ କରିବ।”

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସହକାରୀ ସଚିବ ଡକ୍ଟର ତରୁଣ କୁମାର ସିଂହ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ନୀଳ ଅର୍ଥନୀତିର ବିକାଶରେ ମତ୍ସ୍ୟଜୀବୀଙ୍କ ଭୂମିକା ଓ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ କମିଶନର ତଥା ସଚିବ ପ୍ରେମଚନ୍ଦ୍ର ଚୌଧରୀ ଉଭୟ ମିଶନର ଆଭିମୁଖ୍ୟ ବାବଦରେ ମତବ୍ୟକ୍ତ କରିଥିଲେ। ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏଥିସହିତ, ଆଇସିଏଆର-କେନ୍ଦ୍ରୀୟ ଲବଣାକ୍ତ ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥାନର ନିର୍ଦ୍ଦେଶକ ଡକ୍ଟର କୁଳଦୀପ କୁମାର ଲାଲ, ଆଇସିଏଆର ମତ୍ସ୍ୟ ବିଜ୍ଞାନ ବିଭାଗର ଉପ-ମହାନିର୍ଦ୍ଦେଶକ ଡକ୍ଟର ଜୟକୃଷ୍ଣ ଜେନା ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟରର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଜୀବିକା, ପୋଷଣ ସୁରକ୍ଷା, ରୋଜଗାର ଏବଂ ରପ୍ତାନି ଆୟ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମିଶନ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
୫ଟି ଅଧିବେଶନରେ ଆୟୋଜିତ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅଭିଜ୍ଞ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ସହ ମତାମତ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ସୁବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #OdishaDeepSeaFishingMission #OdishaShrimpMission #BlueEconomy #Bhubaneswar








