ଓଡ଼ିଶାଲାଇଭ୍ ବ୍ୟୁରୋ
- ଦୁଇ ବର୍ଷ ପାଇଁ ଘୋଷଣା ହେଲା ପୁରସ୍କାର
- ଏକାଡେମୀର ସର୍ବୋଚ୍ଚ ସମ୍ମାନ – ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ
- ୨୦୧୭-୧୮ ବର୍ଷ ପାଇଁ ଶ୍ୟାମାମଣୀ ଦେବୀ
- ୨୦୧୮-୧୯ ବର୍ଷ ପାଇଁ ଉପେନ୍ଦ୍ର କୁମାର ପାଣିଗ୍ରାହୀ
- ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ଉତ୍ସବରେ ଦିଆଯିବ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି।
୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମାମଣୀ ଦେବୀ ଏବଂ ୨୦୧୮-୧୯ ବର୍ଷ ପାଇଁ ଗଞ୍ଜାମର ବିଶିଷ୍ଟ ଦାସକାଠିଆ ଗାୟକ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯିବ। ଏହା ହେଉଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ।
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବାକୁ ଥିବା ଦୁଇ ଜଣ ବିଶିଷ୍ଟ କଳା ସାଧକଙ୍କୁ ନଗଦ ୧ ଲକ୍ଷ ଟଙ୍କା ଏବଂ ମାନପତ୍ର, ଉପଢୌକନ ଦେଇ ସମ୍ମାନ କରାଯିବ।
ସେହିପରି ଏକାଡେମୀ ପୁରସ୍କାର ପାଇବାକୁ ଥିବା ବିଶିଷ୍ଟ କଳାକାରମାନଙ୍କୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯିବ ବୋଲି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ବିଜୟ କୁମାର ଜେନା ସୂଚନା ଦେଇଛନ୍ତି।
୨୦୧୭-୧୮ ବର୍ଷ ପାଇଁ ଏକାଡେମୀ ପୁରସ୍କାର
ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ସୁନ୍ଦରଗଡ଼ର ଅଳକା ଚାନ୍ଦ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କଟକର ରବି ଶଙ୍କର ପ୍ରଧାନ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ) ପାଇଁ ପୁରୀର କାଳନ୍ଦୀ ଚରଣ ପରିଡ଼ା, ସୁଗମ ସଙ୍ଗୀତ ପାଇଁ ଡକ୍ଟର ସୁଧା ମିଶ୍ର, ଲୋକବାଦ୍ୟ ପାଇଁ ବଲାଙ୍ଗିରର ଆଲୋକ ପ୍ରସାଦ ଦାଶ, ଲୋକ ସଙ୍ଗୀତ ପାଇଁ କେନ୍ଦୁଝରର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନା ପାଇଁ ବାଲେଶ୍ୱରର ହେମେନ୍ଦ୍ର ମହାପାତ୍ର, ଅଭିନୟ ପାଇଁ ଭଦ୍ରକର ବୃନ୍ଦାବନ ବାରିକ, ଭୁବନେଶ୍ୱରର ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କୁ ସମ୍ମାନିତ କରାଯିବ।
ନିର୍ଦ୍ଦେଶନା ପାଇଁ ପ୍ରସନ୍ନ ମିଶ୍ର, ମଞ୍ଚକଳା ପାଇଁ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡ଼ିଶୀ ନୃତ୍ୟ ପାଇଁ ବ୍ରଜ କିଶୋର ମଲ୍ଲିକ, ଲୋକନୃତ୍ୟ ପାଇଁ ନୀଳକଣ୍ଠ ତରେଇ, ଲୋକନାଟ୍ୟ ପାଇଁ ଡକ୍ଟର କେଶର ରଞ୍ଜନ ପ୍ରଧାନ, ଗୀତିକବିତା ପାଇଁ ମିନାକ୍ଷୀ ଦେବୀଙ୍କୁ ଏକାଡେମୀ ପୁରସ୍କାର ଦିଆଯିବ।
୨୦୧୮-୧୯ ବର୍ଷ ପାଇଁ ଏକାଡେମୀ ପୁରସ୍କାର
ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଗଞ୍ଜାମର ସୀମାଞ୍ଚଳ ଦାସ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ହରିହର ରଥ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ) ପାଇଁ ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତ ପାଇଁ ଗୀତା ଦାଶ, ଲୋକ ବାଦ୍ୟ ପାଇଁ ସମ୍ବଲପୁରର ସନ୍ତୋଷ ସୁନା, ଲୋକ ସଙ୍ଗୀତ ପାଇଁ ବଲାଙ୍ଗିରର ବିଥିକା ଚାଟାର୍ଜୀ, ନାଟ୍ୟ ରଚନା ପାଇଁ ଭଦ୍ରକର ଡକ୍ଟର ସୁଧାଂଶୁ ନାୟକ, ଅଭିନୟ ପାଇଁ ନିରଞ୍ଜନ ସାହୁ ଏବଂ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯିବ।
ନିର୍ଦ୍ଦେଶନା ପାଇଁ ହରେନ୍ କୁମାର ସାହୁ, ମଞ୍ଚକଳା ପାଇଁ ସଂଗ୍ରାମ କେଶରୀ ମହାରଣା, ଓଡ଼ିଶୀ ନୃତ୍ୟ ପାଇଁ ମୀରା ଦାସ, ଲୋକନୃତ୍ୟ ପାଇଁ ମାଗୁଣୀ ଜେନା, ଲୋକନାଟ୍ୟ ପାଇଁ ବିଜୟ କୁମାର ବହଳି, ଗୀତିକବିତା ପାଇଁ ବଦ୍ରି ମିଶ୍ରଙ୍କୁ ପୁରସ୍କୃତ କରାଯିବ।